-ଭାରତ ସରକାର ଲେହ, ଲଦାଖ ଏବଂ କାର୍ଗିଲରେ ସାମଗ୍ରିକ ବିକାଶକୁ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ
-ମେଡ଼ିକାଲ ପାଠ୍ୟକ୍ରମରେ ସର୍ବଭାରତୀୟ କୋଟାରେ ଓବିସିଙ୍କୁ ୨୭% ଏବଂ ଆଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୧୦% ସଂରକ୍ଷଣର ବ୍ୟବସ୍ଥା
-ଓବିସି,ଏସସି,ଏସଟି ଏବଂ ଆଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀଙ୍କ ପାଇଁ ସଂରକ୍ଷଣର ସାମ୍ବିଧାନିକ ବ୍ୟବସ୍ଥା
ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ରାଜ୍ୟସଭାରେ କେନ୍ଦ୍ର ଶାସିତ ଅଂଚଳ ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ, ୨୦୨୧ ଉପରେ ବକ୍ତବ୍ୟ ରଖିବା ପରେ ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହୋଇଛି।
ଗୃହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ, ୨୦୨୧ ଉପରେ ବକ୍ତବ୍ୟରେ ଶ୍ରୀ ପ୍ରଧାନ କହିଛନ୍ତି ଭାରତ ସରକାର ଲେହ, ଲଦାଖ ଏବଂ କାର୍ଗିଲରେ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଲଦାଖରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଭାରତ ସରକାରଙ୍କ ଲକ୍ଷ୍ୟ।
ସଂରକ୍ଷଣ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ସାମ୍ବିଧାନିକ ସଂରକ୍ଷଣ ଦେବା ପାଇଁ କଟିବଦ୍ଧ। କେବଳ ଓବିସି ବର୍ଗ ନୁହେଁ ବରଂ ଅନୁସୂଚିତ ଜାତି(ଏସସି), ଅନୁସୂଚିତ ଜନଜାତି(ଏସଟି) ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ(ଇଡବ୍ଲୁଏସ)ଙ୍କ ପାଇଁ ସଂରକ୍ଷଣର ସାମ୍ବିଧାନିକ ବ୍ୟବସ୍ଥା ହୋଇଛି।
ନିକଟରେ ଚଳିତ ୨୦୨୧-୨୨ ଶିକ୍ଷା ବର୍ଷରୁ ମେଡ଼ିକାଲ ଏବଂ ଡେଣ୍ଟାଲ ପାଠ୍ୟକ୍ରମରେ ସ୍ନାତକ ଏବଂ ସ୍ନାତକୋତ୍ତରରେ ସର୍ବଭାରତୀୟ କୋଟା(ଏଆଇକ୍ୟୁ) ଯୋଜନାରେ ଓବିସିଙ୍କୁ ୨୭ ପ୍ରତିଶତ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲୁଏସ)ର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ପଛୁଆ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଓଡ଼ିଶା ସମେତ ଭାରତବର୍ଷର ୫ ହଜାର ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ଉପକୃତ ହେବେ।
ଉଚ୍ଚ ଶିକ୍ଷାନୁଷ୍ଠାନ ସଂସ୍ଥା ଗୁଡିକରେ ସଂରକ୍ଷଣ ପାଇବାକୁ ଯେଉଁମାନେ ହକଦାର୍, ସେମାନଙ୍କୁ ସେମାନଙ୍କ ଅଧିକାର ଦିଆଯିବ। ନୂଆ ଶିକ୍ଷା ନୀତି(ଏନଇପି)ରେ ଆର୍ଥିକ ଦୃଷ୍ଟିରୁ ପଛୁଆ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ଶିକ୍ଷା ସହ ଯୋଡିବା ପାଇଁ ବିଶେଷ ଗୁରୁତ୍ବ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଥିଲେ।



