www.samajalive.in
Monday, December 15, 2025
16.1 C
Bhubaneswar

ବଦଳିବ ଫସଲ କଟା ଆକଳନ ଢାଞ୍ଚା

ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହିତାଧିକାରୀଙ୍କୁ ଠିକଣା ସମୟରେ ବୀମା ରାଶି ମିଳୁ ନାହିଁ। ଏ ସଂକ୍ରାନ୍ତରେ ଗତ ବିଧାନସଭା ଅଧିବେଶନ କାଳରେ ଉଭୟ ଶାସକ ଓ ବିରୋଧୀ ଅଭିଯୋଗ ଉଠାଇବା ସହିତ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ବୀମା କମ୍ପାନୀଙ୍କ ଟାଳଟୁଳ ନୀତି ଯୋଗୁଁ ହିତତାଧିକାରୀ ହତାଶ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ବାବଦରେ କେନ୍ଦ୍ର ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି। ବୀମା ରାଶି ପ୍ରଦାନ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ତେବେ ବୀମା ରାଶି ପ୍ରଦାନରେ ବିଳମ୍ବ ପଛର କାରଣ ନେଇ ନିକଟରେ ରାଜ୍ୟସ୍ତରୀୟ ଶସ୍ୟ ବୀମା ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେଉଁ କାରଣରୁ ବୀମା ରାଶି ପ୍ରଦାନରେ ବିଳମ୍ବ ହେଉଛି ତା’ର ସମୀକ୍ଷା କରାଯାଇଥିଲା। ବୀମା ପ୍ରଦାନକାରୀ କମ୍ପାନୀ ଫସଲ କଟା ଆକଳନ କାଳରେ ଅବଲମ୍ବନ କରାଯାଉଥିବା ପଦ୍ଧତି ଉପରେ ପ୍ରଶ୍ନ ଉଠାଉଥିବାରୁ ଏହାର ପ୍ରତିକାର ନିମନ୍ତେ ଏକ ମୋବାଇଲ ଆପ୍‌ର ବିନିଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି।
ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ୨୦୨୧ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହିତାଧିକାରୀଙ୍କୁ ବୀମା ରାଶି ପ୍ରଦାନର ସ୍ଥିତି ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଫସଲ କଟାଯିବା ସମୟରେ ଯେଉଁ ପଦ୍ଧତି ଅନୁସରଣ କରାଯାଉଛି ସେଥିନେଇ ମୁଖ୍ୟତଃ ବୀମା କମ୍ପାନୀଗୁଡ଼ିକ ଆପତ୍ତି ଉଠାଇଥିବା ସେ ସୂଚାଇଥିଲେ। ସ୍ଥଳ ବିଶେଷରେ ଅଧିକାଂଶ ଜିଲାରେ ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କ ଦ୍ୱାରା ଅନୁସୃତ ଫସଲ କଟା ପଦ୍ଧତିରେ ସନ୍ତୁଷ୍ଟ ନଥିବା ଜଣାପଡ଼ିଛି। ଏସବୁ କାରଣରୁ ବୀମା ରାଶି ପ୍ରଦାନ ବିଳମ୍ବିତ ହେଉଛି। ଏଭଳି ଅଭିଯୋଗର
ସମାଧାନ ନିମନ୍ତେ ଏଣିକି ଫସଲ କଟା ପ୍ରକ୍ରିୟାକୁ ତଦାରଖ କରାଯିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ଥିର ହୋଇଛି। ଏଥିପାଇଁ ସ୍ୱତନ୍ତ୍ର ଭାବେ ଏକ ପ୍ରୋଟୋକଲ ବିକଶିତ କରାଯାଇଛି। ଏଣିକି ଫସଲ କଟାର ସମସ୍ତ ପ୍ରକ୍ରିୟା ଏକ କୃଷି ସମ୍ପ୍ରସାରଣ ଆପ୍‌ (ଆଗ୍ରି-ଏକ୍ସଟେନସନ ଆପ୍‌) ଦ୍ୱାରା ନିୟନ୍ତ୍ରିତ ହେବ ବୋଲି ବୈଠକରେ ସ୍ଥିର ହୋଇଛି। କୃଷି ବିଭାଗର ଅଧିକାରୀଙ୍କ ଦ୍ୱାରା ଏହି ଆପ୍‌ ଜରିଆରେ ଏବେ ବିଭନ୍ନ ଯୋଜନାର ତଦାରଖ କରାଯାଉଛି। ଏଥିସହିତ ଫସଲ କଟା କାଳରେ କ୍ଷୟକ୍ଷତିର ଆକଳନ ସଂକ୍ରାନ୍ତରେ କୃଷି ବିଭାଗ ସହିତ ଯୋଜନା ଓ ସଂଯୋଜନା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର(ଓକାକ)କୁ ଏହି ଆପ୍‌ର ବିନିଯୋଗ ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ନୂଆ ବ୍ୟବସ୍ଥା ସମ୍ପର୍କରେ କୃଷି ବିଭାଗ ପକ୍ଷରୁ ସମସ୍ତ ଜିଲାର ଜିଲାପାଳ ଓ ଅନ୍ୟାନ୍ୟ ଅଂଶୀଦାରଙ୍କୁ ଅବଗତ କରାଯିବା ସହିତ ନୂତନ ‘ଆପ୍‌’ର ପ୍ରୟୋଗ ନିମନ୍ତେ କୃଷି ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯିବ। ଫସଲ କଟା ପଦ୍ଧତିର ଆକଳନ ଓ ମୂଲ୍ୟାୟନ ନିମନ୍ତେ ନୂତନ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଥିବା ବ୍ୟବସ୍ଥା ସଂକ୍ରାନ୍ତରେ ଜିଲାପାଳଙ୍କୁ ଅବଗତ କରାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯିବାକୁ ସ୍ଥିର ହୋଇଛି। ପରବର୍ତ୍ତୀ ଖରିଫ ଋତୁରେ ବୀମା ରାଶି ପ୍ରଦାନ ବା ଦାବିଦାରଙ୍କ କ୍ଷେତ୍ରରେ ଜାଲିଆତି କାରବାର ରୋକିବା ପାଇଁ କୃଷକ ଓଡ଼ିଶା ପୋର୍ଟାଲ ଜରିଆରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହିତାଧିକାରୀ ପଞ୍ଜୀକରଣକୁ ଗୁରୁତ୍ୱ ଦେବା ପାଇଁ ନିଷ୍ପତ୍ତି ହୋଇଛି।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories