୧୬୪୪ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା

ନୂଆଦିଲ୍ଲୀ : ଲୋକସଭାର ୫୪୩ ଆସନ ପାଇଁ ଏପ୍ରିଲ ୧୯ରୁ ଜୁନ ୧ ମଧ୍ୟରେ ସାତଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଉଛି। ଇତିମଧ୍ୟରେ ଚାରିଟି ପର୍ଯ୍ୟାୟରେ ଭୋଟଗ୍ରହଣ ପ୍ରକ୍ରିୟା ଶେଷ ହୋଇସାରିଥିବାବେଳେ ମେ‘ ୨୫ ଓ ଜୁନ୍‌ ୧ରେ ଅବଶିଷ୍ଟ ଦୁଇଟି ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି। ଚଳିତ ନିର୍ବାଚନରେ ମୋଟ ୮୩୬୦ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏମାନଙ୍କ ମଧ୍ୟରୁ ୧୬୪୪ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା ବିଚାରାଧୀନ ରହିଛି ବୋଲି ଏଡିଆର (ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ) ଦ୍ବାରା ପ୍ରସ୍ତୁତ ରିପୋର୍ଟରୁ ଜଣାପଡିଛି। ପୁନଶ୍ଚ ୧୬୪୪ ମଧ୍ୟରୁ ୧୧୮୮ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ବଳାତ୍କାର ଭଳି ଗୁରୁତର ଅପରାଧ ମାମଲା ରହିଥିବା ରିପୋର୍ଟରୁ ଜଣାପଡିଛି। ପ୍ରଥମ ପର୍ଯ୍ୟାୟ (ଏପ୍ରିଲ ୧୯)ରେ ୧୬୧୮ ପ୍ରାର୍ଥୀଙ୍କ ସତ୍ୟପାଠରୁ ଜଣାପଡିଛି ଯେ ୨୫୨ ଜଣଙ୍କ ବିରୋଧରେ ଅପରାଧ ମାମଲା ବିଚାରାଧୀନ ରହିଛି। ଦ୍ବିତୀୟ ପର୍ଯ୍ୟାୟରେ ୧୧୯୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୫୦, ତୃତୀୟ ପର୍ଯ୍ୟାୟରେ ୧୩୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୪୪, ଚତୁର୍ଥ ପର୍ଯ୍ୟାୟରେ ୧୭୧୦ ପ୍ରାର୍ଥୀଙ୍କ ମଧ୍ୟରୁ ୩୬୦, ପଞ୍ଚମ ପର୍ଯ୍ୟାୟରେ ୬୯୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୯, ଷଷ୍ଠ ପର୍ଯ୍ୟାୟରେ ୮୬୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୦ ଏବଂ ସପ୍ତମ ପର୍ଯ୍ୟାୟରେ ୯୦୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୯୯ ପ୍ରାର୍ଥୀ ସମଦଶା ଭୋଗୁଛନ୍ତି।

ଅପରପକ୍ଷରେ ଚଳିତ ନିର୍ବାଚନରେ ମୋଟ ୮୩୬୦ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୧୯୯୬ ପରଠାରୁ ଏହା ସର୍ବାଧିକ ବୋଲି ଏଡିଆର ରିପୋର୍ଟରୁ ଜଣାପଡିଛି। ୧୯୯୬ ନିର୍ବାଚନରେ ସର୍ବାଧିକ ୧୩,୯୫୨ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ୨୦୧୯ରେ ଏମାନଙ୍କ ସଂଖ୍ୟା ୮୦୩୯ ରହିଥିଲା। ଚଳିତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ (ମେ’ ୧୩)ରେ ସର୍ବାଧିକ ୧୭୧୭ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟ (ଏପ୍ରିଲ ୧୯)ରେ ଏମାନଙ୍କ ସଂଖ୍ୟା ୧୬୨୫), ଦ୍ବିତୀୟ ପର୍ଯ୍ୟାୟ (ଏପ୍ରିଲ ୨୬)ରେ ୧୧୯୮, ତୃତୀୟ ପର‌୍ୟ୍ୟାୟ (ମେ’ ୭)ରେ ୧୩୫୨, ପଞ୍ଚମ ପର୍ଯ୍ୟାୟ (ମେ’ ୨୦)ରେ ୬୯୫), ଷଷ୍ଠ ପର୍ଯ୍ୟାୟ (ମେ’ ୨୫)ରେ ୮୬୯ ଏବଂ ସପ୍ତମ ପର୍ଯ୍ୟାୟ (ଜୁନ୍‌ ୧)ରେ ୯୦୪ ରହିଥିବା ପ୍ରକାଶ। ୧୯୫୨ରେ ପ୍ରଥମ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୮୭୪ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ୧୯୭୧ରେ ପ୍ରାର୍ଥୀଙ୍କ ସଂଖ୍ୟା ୨୭୮୪ ଥିବାବେଳେ ୧୯୭୭ରେ ଏହା ୨୪୩୯, ୧୯୮୦ରେ ୪୬୨୯, ୧୯୮୪ରେ ୫୪୯୨, ୧୯୮୯ରେ ୬୧୬୦, ୧୯୯୧-୯୨ରେ ୮୬୬୮ ରହିଥିଲା। ୨୦୨୪ ସୁଦ୍ଧା ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ସଂଖ୍ୟା ହାରାହାରି ୪.୬୭ରୁ ୧୫.୩୯ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି।

Comments are closed.