ରୋହିତଙ୍କ ନେତୃତ୍ବକୁ କ୍ରିକେଟ୍‌ ପଣ୍ଡିତଙ୍କ ପ୍ରଶଂସା

ବେଙ୍ଗାଲୁରୁ: ବିରାଟ କୋହଲିଙ୍କଠାରୁ ସମସ୍ତ ଫର୍ମାଟ୍‌ର କ୍ରିକେଟ୍‌ରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ନେବା ପରେ ଭାରତ ୫ଟି ଶୃଙ୍ଖଳା ଖେଳିଛି। ଗୋଟିଏ ଶୃଙ୍ଖଳା କଥା ଛାଡ଼ନ୍ତୁ; ରୋହିତଙ୍କ ନେତୃତ୍ବ​ରେ ଉପରୋକ୍ତ ୫ଟି ଶୃଙ୍ଖଳାରୁ ଭାରତ ଗୋଟିଏ ମଧ୍ୟ ମ୍ୟାଚ୍‌ ହାରିନାହିଁ। ରୋହିତଙ୍କ ନେତୃତ୍ବରେ ଭାରତ ୫ଟିଯାକ ଶୃଙ୍ଖଳା ପୋଛିନେବା​ରେ ସମର୍ଥ ହୋଇଛି। ରୋହିତ ଶର୍ମା ପୂର୍ଣ୍ଣକାଳୀନ ଅଧିନାୟକ ହେବା ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୩-୦​ରେ ଟ୍ବେଣ୍ଟି୨୦ ଶୃଙ୍ଖଳା, ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୩-୦ରେ ଦିନିକିଆ ଶୃଙ୍ଖଳା, ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୩-୦ରେ ଟ୍ବେଣ୍ଟି୨୦ ଶୃଙ୍ଖଳା, ଶ୍ରୀଲଙ୍କା ବିପକ୍ଷରେ ଭାରତ ୨-୦​ରେ ଟ୍ବେଣ୍ଟି୨୦ ଶୃଙ୍ଖଳା ଏବଂ ଶ୍ରୀଲଙ୍କା ବିପକ୍ଷରେ ଭାରତ ୨-୦​ରେ ଟେଷ୍ଟ ଶୃଙ୍ଖଳା ଜିତିବାରେ ସଫଳ ହୋଇଛି। ଫଳରେ ୩୪ ବର୍ଷ ବୟସ୍କ ରୋହିତଙ୍କ ନେତୃତ୍ବରେ ଭାରତ ମୋଟ ୧୪ଟି ମ୍ୟାଚ୍‌ ଖେଳି ଅପରାଜିତ ରହିଛି।

ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ରୋହିତ ଶର୍ମା ନେତୃତ୍ବାଧୀନ ଭାରତ ୨ଟିଯାକ ଟେଷ୍ଟକୁ ୩ ଦିନ ମଧ୍ୟରେ ଜିତିବାରେ ସଫଳ ହୋଇଛି। ସୂଚନାଯୋଗ୍ୟ; ରୋହିତଙ୍କ ନେତୃତ୍ବରେ ମୁମ୍ବଇ ଇଣ୍ଡିଆନ୍‌ସ ସର୍ବାଧିକ ୫ ଥର ଆଇପିଏଲ୍‌ ଚମ୍ପିଆନ୍ ହୋଇଛି। ଏହା ସତ ଯେ ବିରାଟ କୋହଲିଙ୍କଠାରୁ ରୋହିତ ଶର୍ମାଙ୍କ ନେତୃତ୍ବନେବା ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ। ହେଲେ ଅଦ୍ୟାବଧି ରୋହିତ ଶର୍ମା ୧୪ଟି ମ୍ୟାଚ୍‌ରେ ତାଙ୍କ ନେତୃତ୍ବ ନେବା ଶୈଳୀ ଦ୍ବାରା ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି। କ୍ରିକେଟ୍‌ ପଣ୍ଡିତମାନେ ରୋହିତଙ୍କ ନେତୃତ୍ବକୁ ପ୍ରଶଂସା କରିବା ସହ ଭାରତୀୟ କ୍ରିକେଟ୍‌ ଏବେ ସୁରକ୍ଷିତ ହାତରେ ବୋଲି କହିଛନ୍ତି। ବିଶିଷ୍ଟ କ୍ରିକେଟ୍‌ ଭାଷ୍ୟକାର ହର୍ଷ ଭୋଗ୍‌​‌େ​ଲ କହିଛନ୍ତି, ଅଧିନାୟକ ଭାବେ ରୋହିତ ବହୁତ ଶାନ୍ତ ସ୍ବଭାବର ମନେ ହେଉଛନ୍ତି। ସେ ଖେଳାଳିଙ୍କ ସହ ନିୟମିତ କଥାବାର୍ତ୍ତା କରୁଛନ୍ତି ଏବଂ ସେମାନଙ୍କୁ ସୁଯୋଗ ମଧ୍ୟ ଦେଉଛନ୍ତି।

ରୋହିତଙ୍କ ପାଖ​ରେ ଅନ୍ୟ ଖେଳାଳିଙ୍କୁ ବୁଝିବାର ଦକ୍ଷତା ରହିଛି। ନିକଟରେ ଭାରତୀୟ ଦଳର ଖେଳାଳିମାନେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବକୁ ବହୁତ ପ୍ରଶଂସା କରିଛନ୍ତି। ପୂର୍ବତନ ଭାରତୀୟ ଓପ୍‌ନର ତଥା ଓଡ଼ିଶା ରଣଜୀ ଟ୍ରଫି ଦଳର ପ୍ରଶିକ୍ଷକ ୱାସିମ୍ ଜାଫର ମଧ୍ୟ ରୋହିତଙ୍କ ନେତୃତ୍ବକୁ ବେଶ୍‌ ପ୍ରଶଂସା କରିଛନ୍ତି। ରୋହିତ ମଧ୍ୟ ଦଳର ସଫଳତାର ଶ୍ରେୟ ସାଥୀ ଖେଳାଳିଙ୍କୁ ଦେବାରେ କୁଣ୍ଠାବୋଧ କରିନାହାନ୍ତି। ରୋହିତ କହିଛନ୍ତି, ଦଳଠାରୁ ସମସ୍ତ ସମର୍ଥନ ପାଇଛି। ଦଳରେ କିଛି ବରିଷ୍ଠ ସଦସ୍ୟ ଅଛନ୍ତି; ଯେଉଁମାନେ କ୍ରିକେଟ୍‌କୁ ଭଲଭାବେ ବୁଝିପାରନ୍ତି। ସେମାନଙ୍କଠାରୁ ନିୟମିତ ପରାମର୍ଶ ନେଉଛି। ମୁଁ ନିଜେ ମଧ୍ୟ ମ୍ୟାଚ୍‌ର ପରିସ୍ଥିତିକୁ ପଢ଼ିପାରୁଛି। ହେଲେ ସମସ୍ତେ ସେମାନଙ୍କ ସ୍ବାଭାବିକ ପ୍ରବୃତ୍ତି ଅନୁସାରେ କାର୍ଯ୍ୟ କରିଥାଆନ୍ତି। ମୋର ନେତୃତ୍ବ ନେବାର ନୀତି ହେଲା ଯେଉଁ ସମୟରେ ମୋତେ ଯାହା ସଠିକ୍ ଲାଗିଥାଏ; ତାହା ହିଁ କରିଥାଏ। ଏହାସହ ମ୍ୟାଚ୍‌ କେଉଁଆଡ଼େ ଯାଉଛି; ତାହା ମଧ୍ୟ ମନରେ ରଖିଥାଏ।

୨ ମାସ ଲାଗି ଟେଷ୍ଟ କ୍ରିକେଟ୍‌ ପଛ ଚଉକି​‌େ​‌ର ବସିବ। ସମସ୍ତଙ୍କର ନଜର ବିଶ୍ବର ସବୁଠାରୁ ଧନଶାଳୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌ ଉପରେ ରହିବ। ମାର୍ଚ୍ଚ ୨୬ରୁ ଆଇପିଏଲ୍‌ ଆରମ୍ଭ ହେଉଛି। ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଘରୋଇମାଟିରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ। ଜୁଲାଇରେ ରୋହିତ ଶର୍ମାଙ୍କ ଦଳ ଇଂଲଣ୍ଡ ଯାଇ ସେଠାରେ ବାକିଥିବା ଗୋଟିଏ ଟେଷ୍ଟମ୍ୟାଚ୍‌ ଖେଳିବ। ଭାରତ ଏହି ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି। ରୋହିତ କହିଛନ୍ତି, ଆମେ ସଠିକ୍ ଦିଗରେ ଅଗ୍ରସର ହେଉଛୁ। ଅବଶ୍ୟ ଇଂଲଣ୍ଡରେ ଟେଷ୍ଟମ୍ୟାଚ୍‌ ଖେଳିବା ସମ୍ପୂର୍ଣ୍ଣ ଭିନ୍ନ ଆହ୍ବାନ। ୨ ମାସ ଲାଗି ଖେଳାଳି ଆଇପିଏଲ୍‌ ଖେଳି ଭଲ ପ୍ରଦର୍ଶନ କରିବାକୁ ଚାହିଁବେ। ଆଇପିଏଲ୍‌ ପରେ ଆମେ ଭାରତୀୟ ଦଳ ବିଷୟରେ ଚିନ୍ତାକରିବୁ ।

Comments are closed.