ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ଦଳର ଅଧିନାୟକ ପଦରୁ ବିରାଟ କୋହଲିଙ୍କୁ ହଟାଇ ରୋହିତ ଶର୍ମାଙ୍କୁ ନିଯୁକ୍ତ କରିଥିଲା ବିସିସିଆଇ। ତେବେ ଯେଉଁ ଢଙ୍ଗରେ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ବାଦ୍ ଦିଆଗଲା ତାହାକୁ ନାପସନ୍ଦ କରିଛନ୍ତି ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ସୂଚନାଥାଉକି ଟ୍ବେଣ୍ଟି୨୦ ବିଶ୍ବକପ୍ ପରେ ଭାରତୀୟ ଟ୍ବେଣ୍ଟି୨୦ ଦଳର ଅଧିନାୟକ ପଦ ଛାଡ଼ିଥିଲେ କୋହଲି। ତେବେ ଏହାର କିଛିଦିନ ପରେ ବିସିସିଆଇ କୋହଲିଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଦେଇଥିଲା। ଏହାକୁ ନେଇ ବେଶ୍ କିଛି ହଟଚମଟ ସୃଷ୍ଟି ହୋଇଥିଲା। କୋହଲି ଓ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖା ଦେଇଥିଲା।
ଏ ସଂପର୍କରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାସ୍ତ୍ରୀ କହିଥିଲେ ଯେଉଁ ପ୍ରକ୍ରିୟାରେ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ବିସିସିଆଇ ବାଦ୍ ଦେଲା ତାହା ଠିକ୍ ନୁହେଁ। କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ବାଦ୍ ଦେବା ପୂର୍ବରୁ ବିସିସିଆଇ ଅଧିକାରୀମାନେ ତାଙ୍କ ସହ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା। ସେ କ୍ରିକେଟ୍ ପରିଚାଳନା ସହ ଦୀର୍ଘଦିନ ଧରି ଜଡ଼ିତ, ତେଣୁ କୌଣସି କ୍ରିକେଟର୍ଙ୍କୁ ହଠାତ୍ ଅଧିନାୟକ ପଦରୁ ବାଦ୍ ଦିଆଯିବା ଭଲ ପରମ୍ପରା ନୁହେଁ ବୋଲି ଶାସ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି। ଆଲୋଚନା ମାଧ୍ୟମରେ ଅଧିନାୟକ ବଦଳ କରାଯାଇଥିଲେ ଉଚିତ୍ ହୋଇଥାନ୍ତା ବୋଲି ଶାସ୍ତ୍ରୀ କହିଛନ୍ତି।
ଦିନିକିଆ ଦଳର ଅଧିନାୟକ ପଦରୁ ବାଦ୍ ପଡ଼ିବା ନେଇ କୋହଲି ନିଜ ପକ୍ଷ ରଖି ସାରିଥିବା ବେଳେ ବିସିସିଆଇ ପଦାଧିକାରୀମାନେ ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି ଶାସ୍ତ୍ରୀ କହିଛନ୍ତି। ସତ କ’ଣ ତାହା ସମସ୍ତେ ଜାଣିବା ଉଚିତ୍ ବୋଲି ଶାସ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ରୋହିତ ଶର୍ମା ଉଭୟ ଟ୍ବେଣ୍ଟି୨୦ ଓ ଦିନିକିଆ ଦଳର ଅଧିନାୟକ ଭାବେ ଦାୟିତ୍ବ ନିର୍ବାହ କରିବା ଯୁକ୍ତିଯୁକ୍ତ ବୋଲି ଶାସ୍ତ୍ରୀ ମତ ଦେଇଛନ୍ତି।



