ଦିନିକିଆରୁ ଧୋନି ଅବସର ନେବେ ନାହିଁ: ରବି ଶାସ୍ତ୍ରୀ

0

ଲଣ୍ଡନ : ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ବର୍ତ୍ତମାନ ଦିନିକିଆ କ୍ରିକେଟ୍‍ରୁ ଅବସର ନେବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ସୂଚନାଥାଉକି ଧୋନି ଦିନିକିଆରେ ପୂର୍ବଭଳି ପ୍ରଦର୍ଶନ କରିବାରେ ବିଫଳ ହେଉଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‍ ଶେଷ ହେବା ପରେ ଧୋନି ଅମ୍ପାୟାରଙ୍କ ଠାରୁ ମ୍ୟାଚ୍‍ ବଲ୍‍ ନେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଧୋନି ଖୁବ୍‍ଶୀଘ୍ର ଦିନିକିଆରୁ ଅବସର ଘୋଷଣା କରିବେ ବୋଲି ଆଲୋଚନା ହେଉଥିଲା। ତେବେ ଏହି ଚର୍ଚ୍ଚାରେ କୌଣସ ସତ୍ୟତା ନାହିଁ ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଶାସ୍ତ୍ରୀ କହିଥିଲେ ଧୋନି ଭାରତୀୟ ଦିନିକିଆ ଦଳର ଅନ୍ୟତମ ପ୍ରମୁଖ ଖେଳାଳି। ତେଣୁ ସେ ବର୍ତ୍ତମାନ ଦିନିକିଆରୁ ଅବସର ନେବାର ପ୍ରଶ୍ନ ଉଠୁ ନାହିଁ।
ଅମ୍ପାୟାରଙ୍କ ଠାରୁ ଧୋନି ମ୍ୟାଚ୍‍ ବଲ୍‍ ନେବା ସଂପର୍କରେ ସୂଚନା ଦେଇ ଶାସ୍ତ୍ରୀ କହିଥିଲେ ଧୋନି ସେହି ବଲ୍‍କୁ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣଙ୍କୁ ଦେଖାଇବାକୁ ନେଇଥିଲେ। ବଲ୍‍ର ଅବସ୍ଥା ଦେଖି ଇଂଲଣ୍ଡ ପରିବେଶ ଓ ପିଚ୍‍ରେ କିପରି ଭାବେ ବୋଲିଂ କରିବାକୁ ପଡ଼ିବ ସେ ସଂପର୍କରେ ଧାରଣା ପାଇଁ ଧୋନି ଏପରି କରିଛନ୍ତି। ତେଣୁ ଧୋନି ଦିନିକିଆରୁ ଅବସର ନେବେ ବୋଲି ଯେଉଁ ଆଲୋଚନା ହେଉଛି ସେଥିରେ କୌଣସି ସତ୍ୟତା ନାହିଁ। ଗତ କିଛିମାସ ହେବ ଧୋନି ଦିନିକିଆରେ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‍ରେ ମଧ୍ୟ ଧୋନି ବ୍ୟାଟିଂରେ ସଫଳତା ପାଇନାହାନ୍ତି। ପ୍ରଥମ ଦିନିକିଆରେ ଭାରତ ବିଜୟୀ ହୋଇଥିବା ବେଳେ ଧୋନି ବ୍ୟାଟିଂ କରିବାକୁ ସୁଯୋଗ ପାଇନଥିଲେ। ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ୮୬ ରନ୍‍ରେ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‍ରେ ଧୋନି ୫୯ଟି ବଲ୍‍ରୁ ୩୭ ରନ୍‍ ସଂଗ୍ରହ କରିଥିଲେ। ଧୋନି ଦ୍ରୁତଗତିରେ ରନ୍‍ ସଂଗ୍ରହ କରିନପାରିବାରୁ ଦଳ ଦ୍ୱିତୀୟ ଦିନିକିଆରେ ପରାସ୍ତ ହେଲା ବୋଲି ଆଲୋଚନା ହେଉଛି। ସେହିପରି ତୃତୀୟ ଦିନିକିଆରେ ଧୋନି ୬୬ଟି ବଲ୍‍ରୁ ୪୨ ରନ୍‍ ସଂଗ୍ରହ କରିଥିଲେ। ଭାରତୀୟ ଦଳ ଏହି ମ୍ୟାଚ୍‍ରେ ୨୫୬ ରନ୍‍ ସଂଗ୍ରହ କରିଥିବା ବେଳେ ଇଂଲଣ୍ଡ ଦଳ ବ୍ୟାଟିଂ କରି ୪୪.୩ ଓଭରରେ ମାତ୍ର ୨ ୱିକେଟ୍‍ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା।
ଧୋନି ଦିନିକିଆରେ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ସେ ଅବସର ନେବା ଉଚିତ୍‍ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଥିଲା। ତେବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଧୋନିଙ୍କ ସପକ୍ଷରେ ମତ ଦେଇଛନ୍ତି। ଧୋନିଙ୍କୁ ଅଯଥାରେ ସମାଲୋଚନା କରାଯାଉଥିବା କୋହଲି ମତ ଦେଇଥିଲେ। ଧୋନି ଆହୁରି କିଛିବର୍ଷ ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍‍ ଖେଳିବାକୁ ଯୋଗ୍ୟ ବୋଲି କୋହଲି କହିଥିଲେ। ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କ ସମର୍ଥନ ଯୋଗୁଁ ଧୋନି ଆହୁରି କିଛିବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍‍ ଖେଳିବେ ବୋଲି ଆଶା କରାଯାଉଛି।

Leave A Reply