କ୍ରେଡିଟ୍ କାର୍ଡ ପାଇଁ ନୂଆ ସୁବିଧା, ଉପଭୋକ୍ତାଙ୍କ ପାଇଁ ରିଜର୍ଭ ବ୍ୟାଙ୍କ ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ : ଆପଣ ନିଜ ପସନ୍ଦର ଡ୍ରେସ୍ ପିନ୍ଧନ୍ତି, ନିଜ ପସନ୍ଦର ଖାଦ୍ୟ ଖାଆନ୍ତି । କିନ୍ତୁ ଯେତେବେଳେ କ୍ରେଡିଟ୍ କାର୍ଡ କଥା ଆସେ, ସେତେବେଳେ ଆପଣଙ୍କ ମନମାନୀ ଚଳେନି । ବ୍ୟାଙ୍କ ଆପଣଙ୍କୁ କେଉଁ ନେଟଓ୍ବର୍କର କ୍ରେଡିଟ୍ କାର୍ଡ ଦେବ ତାହା ଆପଣ ନିଷ୍ପତ୍ତି ନେଇପାରୁନଥିଲେ । ଆପଣଙ୍କର ଯେଉଁ ବ୍ୟାଙ୍କ ହେଲେ ବି କ୍ରେଡିଟ୍ କାର୍ଡର ନେଟଓ୍ବର୍କ କିଛି ନିର୍ଦ୍ଧାରିତ ହୋଇନଥାଏ । ବ୍ୟାଙ୍କ ଆପଣଙ୍କୁ ମାଷ୍ଟର କାର୍ଡ, ଭିସା, ଆମେରିକାନ୍ ଏକ୍ସପ୍ରେ ବା ରୁପେ ମଧ୍ୟରୁ କୌଣସି ବି କାର୍ଡ ଦେଇପାରେ । କିନ୍ତୁ ଏବେ ବ୍ୟାଙ୍କର ଏହି ମନମାନୀ ଆଉ ଚଳିବନି ।

ରିଜର୍ଭ ବ୍ୟାଙ୍କ କ୍ରେଡିଟ୍ କାର୍ଡକୁ ନେଇ ନିୟମ ପରିବର୍ତ୍ତନ କରିଛି । କ୍ରେଡିଟ୍ କାର୍ଡକୁ ନେଇ ଅନେକ ନିର୍ଦ୍ଦେଶନାମା ଜାରି କରାଯାଇଛି । ନୂଆ ନିୟମ ଅନୁସାରେ କ୍ରେଡିଟ୍ କାର୍ଡର ନେଟଓ୍ବର୍କ ଚୟନ କରିବା ପାଇଁ ଗ୍ରାହକଙ୍କୁ ବିକଳ୍ପ ଦିଆଯିବ । ଗ୍ରାହକଙ୍କ ବିନା ନିଷ୍ପତ୍ତିରେ ତାଙ୍କୁ କୌଣସି ବି କାର୍ଡ ଧରେଇପାରିବନି ବ୍ୟାଙ୍କ । ଅର୍ଥାତ୍ ଆପଣଙ୍କୁ ମାଷ୍ଟର କାର୍ଡ ଦରକାର ବା ଭିସା କାର୍ଡ, ତାହା ଆପଣ ହିଁ ନିର୍ଦ୍ଧାରିତ କରିବେ । ରିଜର୍ଭ ବ୍ୟାଙ୍କର ନୂଆ ନିୟମ ଫଳରେ ଉପଭୋକ୍ତାଙ୍କୁ ଏହି ସୁବିଧା ମିଳିବ । ଆଗାମୀ ୬ ମାସରେ ଏହି ନିୟମ ଲାଗୁ କରାଯିବ ।

କ୍ରେଡିଟ କାର୍ଡର ବାର୍ଷିକ ଫି ଭିନ୍ନ ଭିନ୍ନ ହୋଇଥାଏ । କାହାର ଅଧିକ ତ, ଆଉ କାହାର କମ୍ । ଅନେକ ବ୍ୟାଙ୍କର କ୍ରେଡିଟ୍ କାର୍ଡର ବାର୍ଷିକ ଫି ଅଧିକ ହୋଇଥାଏ । ଏପର୍ଯ୍ୟନ୍ତ ଆପଣଙ୍କ ପାଖରେ ଏହାକୁ ଚୟନ କରିବାର ବିକଳ୍ପ ନଥିଲା । ବ୍ୟାଙ୍କ ଯେଉଁ କାର୍ଡ ପଠାଉଥିଲା ଆପଣ ବାର୍ଷିକ ଖର୍ଚ୍ଚ ବହନ କରୁଥିଲେ । କିନ୍ତୁ ଏଣିକି ଆପଣଙ୍କ ପାଖରେ ଏହାକୁ ଚୟନ କରିବା ପାଇଁ ବିକଳ୍ପ ରହିବ । ତେଣୁ ଆପଣ ନିଜ ସୁବିଧା ଅନୁସାରେ ଏହାକୁ ବାଛି ପାରିବେ ।

Comments are closed.