ଜେନେଭା: ସାଉଦି ଆରବ ସାମ୍ବାଦିକ ଜମାଲ ଖାସୋଗିଙ୍କ ହତ୍ୟା ପଛରେ ରାଜା ମହମ୍ମଦ ବିନ୍ ସଲମାନଙ୍କର ପ୍ରଚ୍ଛନ୍ନ ହାତ ରହିଥିବାର ଗ୍ରହଣଯୋଗ୍ୟ ପ୍ରମାଣ ମିଳିଛି। ଜାତିସଙ୍ଘ ମାନବାଧିକାର ବିଶେଷଜ୍ଞ ତଥା ସ୍ୱାଧୀନ ଆଇନ ବିଶାରଦ ଏଜ୍ନେସ୍ କାଲାମାର୍ଡ ବୁଧବାର ଏହି ସୂଚନା ଦେଇଛନ୍ତି। କାଲାମାର୍ଡ ଏହି ମାମଲାର ଆନ୍ତର୍ଜାତିକ ତଦନ୍ତ ପାଇଁ ଆହ୍ୱାନ ଦେଇଛନ୍ତି। କାଲାମାର୍ଡଙ୍କ ମତରେ ଖାସୋଗିଙ୍କ ହତ୍ୟାକୁ ନେଇ କୌଣସି ଉପସଂହାରରେ ଉପନୀତ ହେବା ଏବେ ଠିକ୍ ହେବ ନାହିଁ; କିନ୍ତୁ ଏହା ସତ୍ୟ ଯେ ତାଙ୍କୁ ହତ୍ୟା କରାଯାଇଛି ଓ ଏହା ପଛରେ ସଲମାନଙ୍କ ହାତ ରହିଛି। ଏହାର ଅଧିକ ତଦନ୍ତଯୋଗ୍ୟ ପ୍ରମାଣ ରହିଥିବା ସେ କହିଛନ୍ତି। ଉପଯୁକ୍ତ ସଂସ୍ଥା ଦ୍ୱାରା ଘଟଣାର ତଦନ୍ତ କରାଗଲେ ଅଭିଯୁକ୍ତଙ୍କୁ ଧରାଯାଇପାରିବ। ଖାସୋଗିଙ୍କୁ ତାଙ୍କ ବିରୋଧରେ ଚାଲିଥିବା ଷଡ଼ଯନ୍ତ୍ର ସମ୍ପର୍କରେ ହୁଏତ କିଛି କଥା ଜଣାଥିଲା ଏବଂ ସେଥିପାଇଁ ସେ ସଲମାନଙ୍କୁ ଅତ୍ୟନ୍ତ ଭୟ କରୁଥିଲେ। ତାଙ୍କୁ ହତ୍ୟା ପାଇଁ ୧୫ଜଣ ନିଯୁକ୍ତ ଥିଲେ। ତଦନ୍ତରେ ଯେଉଁ ୧୧ଜଣ ଅଜଣା ବ୍ୟକ୍ତିଙ୍କୁ ସମ୍ପୃକ୍ତ କରାଯାଇଛି ସେମାନଙ୍କ ମଧ୍ୟରେ ଏହି ବ୍ୟକ୍ତିଙ୍କ ନାଁ ନାହିଁ; ତେବେ ଦୂତାବାସର ସିସିଟିଭି ଚିତ୍ର ଦେଖିଲେ ସବୁକିଛି ସ୍ପଷ୍ଟ ହେବ।
‘ୱାଶିଂଟନ୍ ପୋଷ୍ଟ’ର ସାମ୍ବାଦିକ ଖାସୋଗି ସାଉଦି ରାଜା ସଲମାନଙ୍କର କଟୁ ସମାଲୋଚକ ଥିଲେ। ତାଙ୍କୁ ଗତବର୍ଷ ଅକ୍ଟୋବର ୨ରେ ତୁର୍କୀ ରାଜଧାନୀ ଇସ୍ତାନବୁଲସ୍ଥିତ ସାଉଦି ଆରବ ଦୂତାବାସରେ ହତ୍ୟା କରାଯାଇଥିଲା। ତାଙ୍କର ମୃତଦେହ ଅଦ୍ୟାବଧି ମିଳିବା ସମ୍ଭବ ହୋଇ ନାହିଁ। ସଲମାନଙ୍କ ସୁଚିନ୍ତିତ ଯୋଜନାକ୍ରମେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଆସୁଛି। ସାଉଦି ଦୂତାବାସ ଭିତରେ ତାଙ୍କ ମୃତଦେହକୁ କାଟି ଜାଳି ଦିଆଯାଇଥିବା କୁହାଯାଉଛି। କାଲାମାର୍ଡଙ୍କ ମତରେ ସାଉଦି ଓ ତୁର୍କୀ କର୍ତ୍ତୃପକ୍ଷ ଅଦ୍ୟାବଧି ଏହି ମାମଲାର ଯେଉଁ ତଦନ୍ତ କରିଛନ୍ତି ତାହା ଆନ୍ତର୍ଜାତିକ ମାନର ନୁହେଁ। ଜାତିସଙ୍ଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହାର ବିଧିବଦ୍ଧ ତଦନ୍ତ ନିର୍ଦେଶ ଦେବା ଉଚିତ। ଖାସୋଗିଙ୍କୁ ହତ୍ୟା ପଛର ଅପରାଧିକ ଷଡ଼ଯନ୍ତ୍ର ଓ ଏଥିରେ ସାମିଲ ବ୍ୟକ୍ତି ବିଶେଷଙ୍କ ମୁଖା ଖୋଲାଯିବା ଉଚିତ। ଖାସୋଗି ଆମେରିକାରେ ଅବସ୍ଥାନ କରୁଥିବାରୁ ଏଫ୍ବିଆଇ ଏହାର ତଦନ୍ତ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି।


