ଭୁବନେଶ୍ୱର : ସହରାଞ୍ଚଳ ସହିତ ବର୍ତ୍ତମାନ ରାଜ୍ୟର ଗ୍ରାମ ଓ ଆଦିବାସୀ ଅଞ୍ଚଳରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବାକୁ ସିପିଆଇ(ଏମ୍)ଓଡିଶା ରାଜ୍ୟ କମିଟି ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି। ରାଜ୍ୟର ସର୍ବତ୍ର ଘରକୁ ଘର ଯାଇ ବ୍ୟାପକ ପରୀକ୍ଷା କରି ସଂକ୍ରମିତଙ୍କୁ ଅଲଗା କରିବା ଅଭିଯାନ ନେବାରେ ମନ୍ଥରତା ଯୋଗୁଁ ସ୍ଥିତିରେ ପରିବର୍ତ୍ତନ ହେଉ ନାହିଁ। ରାଜ୍ୟର ପଛୁଆ ଅଧିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେମାନଙ୍କୁ ପ୍ରଭାବିତ କରି ପରୀକ୍ଷା କରିବାରେ ବିଫଳତା ଯୋଗୁଁ ସ୍ଥିତି ଆହୁରି ଖରାପ ଆଡକୁ ଯିବ। ଏବେ କମ ପରୀକ୍ଷା ସତ୍ୱେ ସଂକ୍ରମିତଙ୍କ ସଂଖ୍ୟା ଦୈନିକ ୧୨୦୦୦ରୁ ଊର୍ଦ୍ଧ୍ବ ରହୁଥିବା ପ୍ରକାଶ ପାଇଛି। ଏପରି ସ୍ଥିତିରେ ଘରକୁ ଘର ଯାଇ ସର୍ଭେ କରିବା ସହିତ ଏକା ସାଙ୍ଗରେ ପରୀକ୍ଷା କରିବା ଦରକାର। ରାଜ୍ୟରେ ଦୈନିକ ସର୍ବନିମ୍ନ ଏକ ଲକ୍ଷ ପରୀକ୍ଷା ଏବଂ ତ୍ବରିତ ରିପୋର୍ଟ ପ୍ରଦାନ ପାଇଁ ସିପିଆଇ(ଏମ୍) ପକ୍ଷରୁ ଦାବି କରାଯାଇଛି।
ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ତୁରନ୍ତ ସ୍କୁଲ ଘର, ବଡ , କୋଠା ବାତ୍ୟା ଆଶ୍ରୟସ୍ଥଳୀ ଆଦିରେ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ତୁରନ୍ତ ସ୍କୁଲ ଘର , ବଡ କୋଠା, ବାତ୍ୟା ଆଶ୍ରୟସ୍ଥଳୀ ଆଦିରେ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି। ସମ୍ଭାବ୍ୟ ବାତ୍ୟା ବିପର୍ଯ୍ୟୟକୁ ଆଖି ଆଗରେ ରଖି ଲୋକଙ୍କ ଥଇଥାନ, ବାତ୍ୟା ପରବର୍ତ୍ତୀ ମୁକାବିଲା ଏବଂ କୋଭିଡ୍ ପରିଚାଳନାରେ ସମନ୍ୱୟ ରକ୍ଷା ସହିତ ରାଜ୍ୟ ସ୍ତରୀୟ ସର୍ବ ଦଳୀୟ ବୈଠକ, ଜିଲ୍ଲା ସ୍ତରୀୟ ମନିଟରିଂ କମିଟି ଜରିଆରେ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନଙ୍କୁ ସାମିଲ କରିବାକୁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଦାବି କରିଛନ୍ତି।



