କୋଭିଡ ସାମଗ୍ରୀ କିଣାରେ ଅନିୟମିତତା ଅଭିଯୋଗ ପ୍ରସଙ୍ଗ : ହାଇକୋର୍ଟରେ ଜନସ୍ବାର୍ଥ ମାମଲା
କଟକ : କୋଭିଡ ସାମଗ୍ରୀ କିଣାରେ ଅନିୟମିତତା ଅଭିଯୋଗ ପ୍ରସଙ୍ଗ ଏବେ ହାଇକୋର୍ଟରେ ପହଞ୍ଚିଛି। ଏହି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରି ନେସନାଲିଷ୍ଟ ଲୟର୍ସ ଫୋରମ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଏଥିରେ ରାଜ୍ୟ, କେନ୍ଦ୍ର ସରକାର ଏବଂ ସିବିଆଇକୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି।ଏକ ନିରପେକ୍ଷ ସଂସ୍ଥା କିମ୍ବା ସିବିଆଇ ଦ୍ୱାରା ଏହି କ୍ରୟ ବ୍ୟାପାରର ତଦନ୍ତ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । କ୍ରିମିନାଲ୍ କୋର୍ଟସ ବାର୍ ଆସୋସିଏସନ୍ର ପୂର୍ବତନ ସଭାପତି ଆଇନଜୀବୀ ଅକ୍ଷୟ କୁମାର ପତି ଏବଂ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ୍ର ଜାତୀୟ ସଂଯୋଜକ ସବ୍ୟସାଚ୍ଚୀ ମହାପାତ୍ର ଏହି ମାମଲା ରୁଜୁ କରିଛନ୍ତି ।
କୋଭିଡ୍ ପରୀକ୍ଷଣ ସହ ଜଡ଼ିତ ବିଭିନ୍ନ ସାମଗ୍ରୀର ମୂଲ୍ୟ କେତେ ରହିବ ବା କୌଣସି ରାଜ୍ୟ ସରକାର କେତେ ଟଙ୍କାରେ ଗୋଟିଏ କମ୍ପାନୀଠାରୁ କିଣିବେ ସେ ନେଇ କେନ୍ଦ୍ର ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ବର୍ତ୍ତମାନ ସମୟରେ ଯେଉଁ ଦୁଇ ପ୍ରକାର ମାସ୍କ ରହିଛି ଏଥିରୁ ଦୁଇ ପରସ୍ତ ମାସ୍କର ମୂଲ୍ୟ ୮ଟଙ୍କା ଥିଲା ବେଳେ ୩ ପରସ୍ତ ମାସ୍କର ମୂଲ୍ୟ ୧୦ଟଙ୍କା ଧାର୍ଯ୍ୟ ହୋଇଥିଲା। କିନ୍ତୁ ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ୍ ପକ୍ଷରୁ ଗତ ଏପ୍ରିଲ ୧୫ରେ ଏକ କମ୍ପାନୀଠାରୁ ତ୍ରିସ୍ତରୀୟ ମାସ୍କ ଗୋଟା ପ୍ରତି ୯ଟଙ୍କା ୯୦ ପଇସାରେ କିଣିବା ପାଇଁ ସ୍ଥିର କରାଯାଇଥିଲା । ମାତ୍ର ଔଷଧ ନିଗମ ତାମିଲନାଡ଼ୁର ଏକ କମ୍ପାନୀ ବିଷ୍ଣୁ ଡିସ୍ପୋଜେବୁଲଠାରୁ ୧୬ ଟଙ୍କାରେ ଦରରେ ୧୬ ଲକ୍ଷ ମାସ୍କ କିଣିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ଏହି କ୍ରୟ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ରାଜ୍ୟ ମେଡିକାଲ କର୍ପୋରେସନ୍ ଏବଂ ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି ।
ରାଜ୍ୟ ସରକାରଙ୍କ କୋବିଦ ସାମଗ୍ରୀ କିଣା ତଦାରଖ କମିଟି ମାସ୍କ କିଣିବାକୁ ଅନୁମତି ଦେଇଥିଲା । ଏହି କମିଟିରେ କିଛି ମନ୍ତ୍ରୀ ଓ କିଛି ବରିଷ୍ଠ ଆଇଏଏସ୍ ସଦସ୍ୟ ଅଛନ୍ତି । ଏହି କମିଟି ପିପିଇ, ମାସ୍କ କିଣିବାକୁ ଅନୁମତି ଦେଇଥିଲେ ହେଁ ବୈଠକରେ ମୂଲ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ପରବର୍ତୀ ସମୟରେ ଔଷଧ ନିଗମ ମାସ୍କ ଓ ସାନିଟାଇଜର ଭର୍ତି କିଛି ଟ୍ରକକୁ ଫେରାଇ ଦେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟ ଆପତ୍ତି ଉଠାଇ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ । କଂଗ୍ରେସ ନେତା ସୁଦର୍ଶନ ଦାସ ଏହି ଘଟଣାର ସିବିଆଇ ତଦନ୍ତ ନିମନ୍ତେ ଦାବି କରିଥିଲେ । ମାସ୍କ, ପିପିଇ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ କିଣାରେ ଯାବତୀୟ ଅନିମିତତା ହୋଇଥିବା ସେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ । ନ୍ୟାସନାଲିଷ୍ଟ ଲୟର୍ସ ଫୋରମ୍ ପକ୍ଷରୁ ମାମଲାକୁ ଆଇନଜୀବୀ ଘାସିରାମ ବର୍ମା, ସୁନୀଲ ବର୍ମା ଏବଂ ତାପସ ଦ୍ୱିବେଦୀ ରୁଜୁ କରିଛନ୍ତି ।
Comments are closed.