ଭାରତରେ କରୋନା ଭୂତାଣୁର ୨ୟ ତରଙ୍ଗ ଯେଉଁଭଳି ପରିସ୍ଥିତି ସୃଷ୍ଟି କରିଛି, ତାହା ସାରା ବିଶ୍ଵକୁ ଭୟଭୀତ କରିଛି। ଏହା ପରେ ପୁଣି ୩ୟ ତରଙ୍ଗ ଆସିବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇସାରିଛନ୍ତି। ତେବେ ଦେଶରେ କରୋନା ସଙ୍କଟକୁ ନେଇ ବିଶେଷଜ୍ଞମାନେ ବିଭିନ୍ନ ପ୍ରକାର କଥା କହୁଛନ୍ତି। କେହି କେହି ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବାରେ ସରକାରଙ୍କ ବିଫଳତାକୁ ଦର୍ଶାଉଛନ୍ତି ତ ଆଉ କେହି ଭୂତାଣୁର ନୂଆ ଷ୍ଟ୍ରେନକୁ ଦୋଷ ଦେଉଛନ୍ତି। ଏସବୁ ଠିକ୍, କିନ୍ତୁ ସବୁଠୁ ବଡ଼ କାରଣଗୁଡ଼ିକ ମଧ୍ୟରେ ରହିଛି ଭାରତରେ ଜଳବାୟୁ ପରିବର୍ତ୍ତନ, ବାୟୁ ପ୍ରଦୂଷଣ ଏବଂ ଜୀବାଶ୍ମ ବା ପେଟ୍ରୋଲ, ଡିଜେଲ ଓ କୋଇଲାର ବ୍ୟବହାର। ଏହି ୩ଟି ପ୍ରସଙ୍ଗ ଉପରେ କେହି ଧ୍ୟାନ ଦେଉନାହାନ୍ତି ବୋଲି ଅନ୍ତର୍ଜାତୀୟ ସ୍ତରର ପତ୍ରିକା ଟାଇମ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି।
ଟାଇମ୍ସ ରିପୋର୍ଟ ଅନୁସାରେ, ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାଇରନମେଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦେଶକ ଅନୁମିତା ରାୟ ଚୌଧୁରୀ କହିଛନ୍ତି ଯେ, ଗତଥର ବୈଜ୍ଞାନିକମାନେ ମହାମାରୀ ପ୍ରାରମ୍ଭରେ ବାୟୁ ପ୍ରଦୂଷଣ ଏବଂ କରୋନା ସହିତ ତାହାର ସମ୍ପର୍କ ବିଷୟରେ ତଥ୍ୟ ପ୍ରକାଶ କରିଥିଲେ। ବାୟୁ ପ୍ରଦୂଷଣ ଯୋଗୁ କରୋନା ବ୍ୟାପିବାର ଆଶଙ୍କା ଅଧିକ ରହିଛି ବୋଲି ସ୍ପଷ୍ଟ ହୋଇଥିଲା।
ଅନୁମିତାଙ୍କ କହିବା ଅନୁସାରେ, ଭାରତରେ ଏମିତି ଅନେକ ସହର ରହିଛି, ଯେଉଁଗୁଡ଼ିକ ବିଶ୍ଵର ସବୁଠୁ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ରହିଛନ୍ତି। ଏଭଳି ସ୍ଥାନରେ ଯେଉଁମାନେ ରୁହନ୍ତି, ସେମାନଙ୍କ ଶ୍ଵାସକ୍ରିୟା ପଦ୍ଧତି ଅର୍ଥାତ ନିଃଶ୍ଵାସପ୍ରଶ୍ଵାସ ନେବାର ପଦ୍ଧତି ପୂର୍ବରୁ ପ୍ରଦୂଷଣ ଯୋଗୁ ଦୁର୍ବଳ ରହିଥାଏ। ଏବେ ଏପରି ଲୋକଙ୍କୁ ଯଦି କରୋନା ହୁଏ, ତେବେ ସେମାନଙ୍କ ଫୁସଫୁସର ଅବସ୍ଥା ଖରାପ ହିଁ ହେବ।
ଉଲ୍ଲେଖ ଯେ, ଭାରତରେ ବାୟୁ ପ୍ରଦୂଷଣ ଏବଂ କରୋନାର ସମ୍ପର୍କକୁ ନେଇ ଅନେକ ଗବେଷଣା କରାଯାଇଛି। ମାତ୍ର କୌଣସି ଗବେଷଣାରେ ଅଧିକ କିଛି କୁହାଯାଇ ନାହିଁ। ଗତବର୍ଷ ଡିସେମ୍ବରରେ ହୃଦରୋଗ ଗବେଷଣା ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ପାର୍ଟିକୁଲେଟ ମ୍ୟାଟର ବା ପିଏମ ପ୍ରଦୂଷଣ ଯୋଗୁ ଲୋକଙ୍କଠାରେ ପୁରାତନ ରୋଗ ସୃଷ୍ଟି ହୋଇଥାଭଏ। ଯାନବାହନରୁ ନିର୍ଗତ ଧୂଆ, କ୍ଷେତ୍ରରେ ଫସଲର ଅବଶିଷ୍ଟାଂଶକୁ ଜଳାଇବା, ଶିଳ୍ପ ପ୍ରତିଷ୍ଠାନରୁ ନିର୍ଗତ ଧୂଆଁ ଯୋଗୁ ଏପରି ହୋଇଥାଏ। ବିଶ୍ଵରେ ଯେତିକି ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ୧୫ ପ୍ରତିଶତ ପୂର୍ବରୁ ବାୟୁ ପ୍ରଦୂଷଣ ଯୋଗୁ ନାନା ପୁରାତନ ରୋଗରେ ପୀଡ଼ିତ ଥିଲେ। ସେହିପରି ମୃତକଙ୍କ ମଧ୍ୟରୁ ୫୦ ପ୍ରତିଶତ ଲୋକଙ୍କଠାରେ ପୂର୍ବରୁ ବାୟୁ ପ୍ରଦୂଷଣ ଯୋଗୁ ନାନା ସମସ୍ୟା ରହିଥିଲା। ଯାନବାନରୁ ବାହାରୁଥିବା ଧୂଆଁ ଯୋଗୁ ସେମାନେ ନାନା ସ୍ବାସ୍ଥ୍ୟ ସମସ୍ୟାର ଶିକାର ହୋଇଥିଲେ। ସେଥିଲାଗି ଦିଲ୍ଲୀ-ଏନସିଆରରେ ଲୋକମାନେ କରୋନା ପୂର୍ବରୁ ଥଣ୍ଡା ସମୟରେ ମୁହଁରେ ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳିଥାଏ।
ବାରମ୍ବାର ବାୟୁ ପ୍ରଦୂଷଣ ଅଞ୍ଚଳରେ ରହିବା ଫଳରେ ଲୋକଙ୍କଠାରେ ଅନେକ ରୋଗ ଦେଖାଦେଇଥାଏ। ଏହାଯୋଗୁ ଡାଇବେଟିସ ସମେତ ଫୁସଫୁସ ଏବଂ ହୃଦୟ ଜନିତ ରୋଗ ସୃଷ୍ଟି ହୋଇଥାଏ। ଏହପରି ଲୋକ କରୋନାରେ ସଂକ୍ରମିତ ହେଲେ ଅବସ୍ଥା ଗମ୍ଭୀର ହୋଇଯାଇଥାଏ।
ଜୟପୁରସ୍ଥିତ ମାଲବ୍ୟ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନରେ ହୋଇଥିବା ଏକ ଅଧ୍ୟୟନରେ ଦର୍ଶାଯାଇଛି ଯେ, କରୋନା ସଂକ୍ରମଣ, ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ସିଧାସଳଖ ସମ୍ପର୍କ ରହିଛି। ଦିଲ୍ଲୀରେ କରୋନା ସ୍ଥିତି ଗମ୍ଭୀର ହେବା ପଛରେ ଏହିସବୁ କାରଣ ରହିଛି। ବିଶ୍ଵ ବ୍ୟାଙ୍କ ବି ଏପରି ଏକ ଅଧ୍ୟୟନ କରିଥିଲା। ଯେଉଁଥିରେ କୁହାଯାଇଥିଲା ଯେ, ଯଦି ପାର୍ଟିକୁଲେଟ ମ୍ୟାଟର ବା ପିଏମ ପ୍ରଦୂଷଣର ମାତ୍ରା ୧ ପ୍ରତିଶତ ବୃଦ୍ଧି ପାଏ, ତେବେ କରୋନା ମୃତ୍ୟୁ ହାର ୫.୭ ପ୍ରତିଶତ ବୃଦ୍ଧି ପାଇବା ଆଶଙ୍କା ରହିଛି।
ବିଶ୍ଵ ବ୍ୟାଙ୍କ କରିଥିବା ଅଧ୍ୟୟନରେ ଭାରତ ସରକାରଙ୍କୁ ସ୍ପଷ୍ଟ ଭାବେ ପରାମର୍ଶ ଦିଆଯାଇଥିଲା ଯେ, ଦେଶରେ ନିର୍ମଳ ଇନ୍ଧନର ବ୍ୟବସ୍ଥା ତୁରନ୍ତ କରିବା ଜରୁରୀ। ଯାତାୟାତ ଯୋଗୁ ହେଉଥିବା ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଜରୁରୀ। ଏସବୁ କରିବା ପରେ ହିଁ ସରକାର ଲୋକଙ୍କୁ କରୋନାରୁ ରକ୍ଷା କରିବା ଲାଗି ମାସ୍କ ପିନ୍ଧିବା ଏବଂ ଟିକାକରଣ ସାମିଲ ହେବାକୁ ପରାମର୍ଶ ଦେଇପାରିବେ ବୋଲି ବିଶ୍ଵବ୍ୟାଙ୍କ ସରକାରଙ୍କୁ କହିଥିଲା। ଦେଶର ବୈଜ୍ଞାନିକମାନେ ବି ସରକାରଙ୍କୁ ବାୟୁର ଗୁଣବତ୍ତା ବୃଦ୍ଧି ଦିଗରେ ପଦକ୍ଷେପ ନେବାକୁ ଅନେକ ପରାମର୍ଶ ଦେଇଛନ୍ତି।



