ନ୍ୟୁୟର୍କ : କରୋନା ଭୂତାଣୁ ସଂକ୍ରମଣ ସମଗ୍ର ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଉପୁଜିଥିବା ସଂକଟ ସଂକ୍ରାନ୍ତରେ ଏକ ରୁଦ୍ଧଦ୍ୱାର ଭିଡ଼ିଓ କନ୍ଫରେନ୍ସିଙ୍ଗ୍ ଅଧିବେଶନରେ ଉଦବୋଧନ ଦେଇ ଶ୍ରୀ ଗୁଟେରସ ଏହା କହିଛନ୍ତି । କୋଭିଡ-୧୯ର ମୁକାବିଲା ଏକ ମହାଯୁଦ୍ଧ ସଦୃଶ ବୋଲି ଶ୍ରୀ ଗୁଟେରସ୍ କହିଛନ୍ତି । ସେ କହିଛନ୍ତି ଯଦିଓ ଏହା ଏକ ସ୍ୱାସ୍ଥ୍ୟଗତ ସଂକଟ, କିନ୍ତୁ ଏହାର ପ୍ରଭାବ ଅତ୍ୟନ୍ତ ଭୟାବହ। ଏହି ବିଶ୍ୱବ୍ୟାପି ସଂକ୍ରମଣ ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପ୍ରତି ଘୋର ବିପଦ ସୃଷ୍ଟି କରିଥିବାର ସେ ଦର୍ଶାଇଛନ୍ତି । ଏହା ଯୋଗୁଁ ସାମାଜିକ ଅସ୍ଥିରତା, ହିଂସା ଓ ତତ୍ସମ୍ବନ୍ଧୀୟ ସମସ୍ୟାମାନ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହା ହେଲେ ଭୂତାଣୁର ମୁକାବିଲା ଆହୁରି ଅଧିକ କଷ୍ଟକର ହୋଇପଡ଼ିବ ବୋଲି ଶ୍ରୀ ଗୁଟେରସ୍ କହିଛନ୍ତି। ଜନ୍ସ ହପ୍କିନ୍ସ ବିଶ୍ୱବିଦ୍ୟାଳୟ କରୋନା ଭୂତାଣୁ ରିସୋର୍ସ ସେଣ୍ଟରର କହିବା ଅନୁସାରେ ସମଗ୍ର ବିଶ୍ୱରେ ୧୬ଲକ୍ଷ ଲୋକ କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ବେଳେ ୯୫ ହଜାରରୁ ଊର୍ଦ୍ଧ୍ବ ଲୋକ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି।
କରୋନା ଭୂତାଣୁ ସଂକ୍ରମଣ ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି : ଆଣ୍ଟୋନିଓ ଗୁଟେରସ୍
Popular Categories



