ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝରଗଡ: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ହରିଚନ୍ଦନପୁର ଥାନା ଅନ୍ତର୍ଗତ ବଡପଳାଶପାଳ ଗ୍ରାମର ଅଭିଯୁକ୍ତ ଦିପ୍ତରଞ୍ଜନ ମହାକୁଡଙ୍କୁ ୨୦ବର୍ଷ ଜେଲ ଦଣ୍ତାଦେଶ ଶୁଣାଇଛନ୍ତି। ଏଥିସହ ୨୦ହଜାର ଟଙ୍କା ଜୋରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡାଦେଶ କରିଛନ୍ତି। ପୀଡିତାଙ୍କୁ  ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବିଚାରପତି ରାୟ ଦେଇଛନ୍ତି।

୨୦୨୩ ଜାନୁୟାରୀରେ ଦିପ୍ତରଞ୍ଜନ ନାବାଳିକା ଜଣଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲା। ଫଳରେ ନାବାଳିକା ୨ମାସର ଅନ୍ତସ୍ବତା ହୋଇଥିବାରୁ ଏ ଘଟଣା ବିଷୟରେ ଅନ୍ୟ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ପୀଡିତା ଗର୍ଭବତୀ ହେବା ପରେ ତାଙ୍କ ବାପା ମା’ ଏହି ଘଟଣା ବିଷୟରେ ଜାଣି ଦିପ୍ତରଞ୍ଜନଙ୍କ ଘରେ ପରିବାର ଲୋକେ କହିଥିଲେ। ସେମାନେ ୫ହଜାର ଟଙ୍କା ନେଇ ଝିଅକୁ ଗୁଜରାଟ ନେଇ ପଳାଅ ବୋଲି କହିଥିଲେ। ଏ ନେଇ ହରିଚନ୍ଦନପୁର ଥାନାରେ ପୀଡିତାଙ୍କ ପରିବାର ପକ୍ଷରୁ ମେ ୨୪ରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ଦିପ୍ତରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ମିଶ୍ର ସୋମବାର ମାମଲାର ଚୂଡାନ୍ତ ଶୁଣାଣୀ କରି ୧୩ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଉପରୋକ୍ତ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।

Comments are closed.