ଓଡ଼ିଶାରେ ଔଷଧ, ରାସନ ଓ ଜରୁରୀ ସାମଗ୍ରୀ ପହଞ୍ଚାଇଲା ରେଳବାଇ
ମଧ୍ୟପ୍ରଦେଶରୁ ଆସିଲା ୩୩୬୪ ଟନ୍ ଗହମ
ଭୁବନେଶ୍ବର : ଆଜି ସକାଳୁ ବିଶାଖାପାଟଣାରୁ ଏକ ସ୍ବତନ୍ତ୍ର ପାର୍ସଲ ଏକ୍ସପ୍ରେସ୍ ଟ୍ରେନ୍ ବହୁ ଜରୁରୀ ଔଷଧ ଧରି ଓଡ଼ିଶାରେ ପହଞ୍ଚିଛି। ପଲାସା, ବ୍ରହ୍ମପୁର, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ରାୟଗଡ଼ା ଆଦି ଷ୍ଟେସନ୍ରେ ଔଷଧ କାର୍ଟୁନ୍ଗୁଡ଼ିକୁ ଖଲାସ୍ କରାଯାଇଛି। ଏହା ବ୍ୟତୀତ କେସିଙ୍ଗାରେ ମେଡ଼ିକାଲ୍ ଯନ୍ତ୍ରପାତି ପହଞ୍ଚାଯାଇଛି। ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ମଧ୍ୟ ବିଶାଖାପାଟଣା ରେଳ ଷ୍ଟେସନ୍ରୁ ଆସିଥିବା ଦୁଗ୍ଧ ପାଉଡର୍ ଏବଂ ଅନ୍ୟାନ୍ୟ ଔଷଧ ସାମଗ୍ରୀ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଖଲାସ୍ କରାଯାଇଛି। ସେହିପରି ବିଜୟନଗରମ୍ରୁ ଆସିଥିବା ପଇଡ଼ ବଲାଙ୍ଗିର ଓ ଟିଟିଲାଗଡ଼ରେ ପହଞ୍ଚାଯାଇଛି। ଏଥିସହ ବିଜୟନଗରମ୍ରୁ ଆସିଥିବା ତେଜରାତି ସାମଗ୍ରୀ ରାୟଗଡ଼ା ଠାରେ ଖଲାସ୍ କରାଯାଇଛି। ଅପରପକ୍ଷେ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ପଠାଇଥିବା ୩୩୬୪ ଟନ୍ (୬୫୮୯୮ ବ୍ୟାଗ୍) ଗହମ ୫୮ଟି ୱାଗନ୍ରେ ମଧ୍ୟପ୍ରଦେଶର ଗର୍ହା ଷ୍ଟେସନ୍ରୁ ବୋଝେଇ କରି କଟକ ଷ୍ଟେସନ୍ରେ ଖଲାସ୍ କରିଛି। ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଫଳରେ ସାରାଦେଶ ତାଲାବନ୍ଦ ହୋଇଥିବା ବେଳେ ଭାରତୀୟ ରେଳପଥ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ନିରନ୍ତର ପରିବହନ କରି ଦେଶର ବିଭିନ୍ନ ପ୍ରାନ୍ତରରେ ପହଞ୍ଚାଉଛି। ଭାରତୀୟ ରେଳପଥ ଖାଦ୍ୟଶସ୍ୟ, ପେଟ୍ରୋଲିୟମ୍ ଉତ୍ପାଦ, କୋଇଲା, ଫଳ ଓ ପନିପରିବା, ଦୁଗ୍ଧ, ଜାଳେଣୀ ତୈଳ, ଚିନି, ଲୁଣ ଓ ଔଷଧ ଇତ୍ୟାଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ ବାଧାହୀନଭାବେ କରିଚାଲିଛି।
Comments are closed.