www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଆତଙ୍କ : ସଚେତନତା ଓ ସତର୍କତା ହିଁ ସୁରକ୍ଷାର ସର୍ବୋତ୍ତମ ଉପାୟ

ପ୍ରାକୃତିକ ପରିବେଶର ସନ୍ତୁଳନ, ଜୈବବିବିଧତାର ସୁରକ୍ଷା, ସ୍ୱଚ୍ଛତା ତଥା ଉତ୍ତମ ପୁଷ୍ଟିକର ଖାଦ୍ୟ ସାମାଜିକ ସୁସ୍ଥତା ଆଣିଥାଏ। ଏହାର ବ୍ୟତିକ୍ରମ ଦେଖାଦେଲେ ପରିବେଶରେ ଥିବା ନାନା ପ୍ରକାର ଭୂତାଣୁ, ଜୀବାଣୁ ସୁଯୋଗ ପାଇ ମଣିଷ ଓ ଜୀବଜନ୍ତୁଙ୍କ ପାଇଁ ବିପଦର କାରଣ ହୋଇଥାନ୍ତି। ବିଶ୍ୱର ମାନବସମାଜ ବ୍ୟସ୍ତ ବିବ୍ରତ ହୋଇ ପ୍ରତିକାର ପାଇଁ ଗବେଷଣାରେ ଲାଗିପଡ଼ନ୍ତି। ବିଶ୍ୱବାସୀଙ୍କ ପାଇଁ ଏମିତି ଏକ ଚିନ୍ତାର କାରଣ କରୋନା ଭୂତାଣୁ।
ଭୂତାଣୁମାନେ ଜୀବଜଗତର ଏକ ବିଚିତ୍ର ସତ୍ତା। କୋଷବିହୀନ ଅତ୍ୟନ୍ତ କ୍ଷୁଦ୍ର କଣିକା ଭଳି ପଦାର୍ଥ। ସେମାନଙ୍କର ପ୍ରଜନନ ଓ ବଂଶବୃଦ୍ଧି ନିର୍ଦିଷ୍ଟ ପ୍ରାଣୀଙ୍କ ଜୀବନ୍ତ କୋଷରେ ହୋଇଥାଏ। ଭୂତାଣୁମାନେ ପ୍ରତିକୂଳ ପରିବେଶରେ ସୁପ୍ତ ଥାନ୍ତି। ଅନୁକୂଳ ପରିବେଶ ପାଇଲେ ନିଜର କାୟା ବିସ୍ତାର କରିଥାନ୍ତି। ଏମିତି ବ୍ୟାପିଛି କରୋନା ଭୂତାଣୁ। ଏକାଧିକ ପ୍ରକାରର କରୋନା ଭାଇରସ ସ୍ତନ୍ୟପାୟୀ ପ୍ରାଣୀ, ପକ୍ଷୀ ଓ ମଣିଷ ଶରୀରକୁ ଯାଇ ନିଃଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି କରିଥାନ୍ତି। ସାଧାରଣ ଥଣ୍ଡା ବା ସର୍ଦି ଜ୍ୱରର ଭୂତାଣୁ କରୋନା। ଏହାବାଦ୍‌ ରିନୋ ଭାଇରସ୍‍, ଆଡେନୋ ଭାଇରସ୍‍ ଦ୍ୱାରା ମଧ୍ୟ ସର୍ଦି, ଜ୍ୱର ହୋଇଥାଏ। ବୈଜ୍ଞାନିକମାନଙ୍କ ମତରେ ଥଣ୍ଡା ଜ୍ୱର ପାଇଁ କୋରାନା ଭୂତାଣୁ ପ୍ରାୟ ଆଜିକୁ ୮୨୨ ବର୍ଷ ତଳେ ଚିହ୍ନଟ କରାଯାଇଥିଲା।

୧୯୬୦ ମସିହାରେ ଗବେଷକମାନେ ସାଧାରଣ ଥଣ୍ଡାରୁ ଦୁଇଟି ଭୂତାଣୁ ନାକରୁ ବୋହୁଥିବା ଲାଳରୁ ସଂଗ୍ରହ କଲେ। ଆଉ କେତୋଟିକୁ ବ୍ରୋଙ୍କାଇଟିସ ଭଳି କାଶରୁ ସଂଗ୍ରହ କଲେ। ଏହି ଦୁଇଟି ଭୂତାଣୁକୁ କୁହାଗଲା ହ୍ୟୁମାନ୍‍ କରୋନା ଭାଇରସ୍‍ ୨୨୯ ଇ ଏବଂ ହ୍ୟୁମାନ୍‍ କରୋନା ଭାଇରସ୍‍ ଓସି୪୩। ଏହାକୁ ମଧ୍ୟ ଆଲଫା କରୋନା ଭାଇରସ ବୋଲି କେହିକେହି ଗବେଷକ ନାମିତ କଲେ।

- Advertisement -

ଲାଟିନ ଭାଷାରେ ‘କରୋନା’ର ଅର୍ଥ- କ୍ରାଉନ୍‍ ବା ହାଲୋ। କ୍ରାଉନ କହିଲେ ସୋଲାର କରୋନା। ପୂର୍ଣ୍ଣ ସୂର୍ଯ୍ୟୋପରାଗ ବେଳେ ସୂର୍ଯ୍ୟଙ୍କ ମଝି ଅଂଶଟି ସମ୍ପୂର୍ଣ୍ଣ କଳା ପଡ଼ିଯାଇଥିବା ବେଳେ ଚାରିକଡ଼କୁ କିରଣ ବିଚ୍ଛୁରିତ ହୋଇଥାଏ। ଠିକ୍ ସେମିତି କରୋନା ଭୂତାଣୁଗୁଡ଼ିକ ଅତିଶୀଘ୍ର ଚାରିଆଡ଼କୁ ବ୍ୟାପି ଯାଇଥାନ୍ତି।

କରୋନା ଭୂତାଣୁ ଆକ୍ରମଣ କଲେ ସାଧାରଣ ଥଣ୍ଡା, ଜ୍ୱର, କାଶ ହୋଇଥାଏ, କିନ୍ତୁ ଏହା ବେଳେବେଳେ ମାରାତ୍ମକ ରୂପ ଧାରଣ କରିଥାଏ। ସେମାନେ ଫୁସ୍‌ଫୁସ୍‌କୁ ନିଜ ଅକ୍ତିଆରକୁ ନେଇଯାଆନ୍ତି। ଯଦିଓ ଏହା ପୁରାତନ ଭୂତାଣୁ, ତଥାପି ଆଜି ପର୍ଯ୍ୟନ୍ତ ଏହାର ଔଷଧ, ପ୍ରତିଷେଧକ ଟିକା ବାହାରି ନାହିଁ। କେବଳ ସତର୍କତା ଏବଂ ସାବଧାନତା ଏହି ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ ଏକମାତ୍ର ଉପାୟ। ଏ ପର୍ଯ୍ୟନ୍ତ ସାତ ପ୍ରକାର କରୋନା ଭୂତାଣୁ ଗବେଷକମାନେ ଚିହ୍ନଟ କରି ସେମାନଙ୍କର ନାମକରଣ କରିଛନ୍ତି। ସେଗୁଡ଼ିକ ହେଲା- ହ୍ୟୁମାନ୍‍ କରୋନା ଭାଇରସ୍‍-୨୨୯ଇ, ଏଚ୍‍ସିଓଭି ୨୨୯ଇ, ହ୍ୟୁମାନ କରୋନା ଭାଇରସ୍‍ – ଓସି୪୩, ଏଚ୍‍ସିଓଭି-୦ସି୯୩, ଏସ୍‍ଆରଆରଏସ୍‍ ସିଓଭି, ହ୍ୟୁମାନ୍‍ କରୋନା ଭାଇରସ୍‍- ଏନ୍‍ଏଲ୍‍୬୩ ବା ଏଚ୍‍ସିଓ ଭିଏନ୍‍ଏଲ୍‍୬୩, ଏମ୍‍ଇଆରଏସ୍‍ ସିଓଭି ଏବଂ ନୀଭେଲ୍‍ କରୋନା ଭାଇରସ୍‍ ଏନ୍‍ସିଓଭି ଯାହାର ନୂଆ ନାମକରଣ ହେଲା ସିଓଭିଆଇଡି – ୧୯ ବା କରୋନା ଭାଇରସ୍‍ ଡିଜିଜେସ୍‍ ୧୯।

ଯେତେବେଳେ ପରିବେଶରେ ମାତ୍ରାଧିକ ପ୍ରଦୂଷଣ ଦେଖାଯାଇ ଜଳବାୟୁରେ ପରିବର୍ତ୍ତନ ଆସେ, ପ୍ରାକୃତିକ ପରିବେଶରେ ଭାରସାମ୍ୟ ନ ରହେ ସେତେବେଳେ କରୋନା ଭୂତାଣୁମାନେ ସକ୍ରିୟ ହୋଇଉଠନ୍ତି। ଚିହ୍ନଟ ହୋଇଥିବା ସାତ ପ୍ରକାର କରୋନା ଭୂତାଣୁ ମଧ୍ୟରୁ ୨୦୦୩ ମସିହାର ଏସ୍‍ଏଆରଏସ୍‍ ଭୂତାଣୁ , ୨୦୧୨ ମସିହାରେ ଏମ୍‍ଇଆରଏସ୍‍ କରୋନା ଭୂତାଣୁ ଏବଂ ଚଳିତ ଦଶନ୍ଧିର ୨୦୧୯ ଡିସେମ୍ବର ୩୧ରେ ଚିହ୍ନଟ ସିଓଭିଆଇଡି ୧୯ କରୋନା ଭୂତାଣୁ ସବୁଠୁ ବିପଜ୍ଜନକ। ୨୦୦୩ ଏସ୍‍ଏଆରଏସ୍‍ ହେତୁ ବିଶ୍ୱରେ ପାଖାପାଖି ୮୦୦ ଜଣଙ୍କ ମୃତ୍ୟୁ ଘଟିିଥିବା ବେଳେ ସେପ୍ଟେମ୍ବର ୨୦୧୨ ମସିହାରେ ଏମ୍‍ଇଆରଏସ୍‍ ହେତୁ ମଧ୍ୟ-ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ପାଖାପାଖି ୪୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏସ୍‍ଏଆରଏସ୍‍ ପ୍ରଥମେ ୨୦୦୨ ମସିହାରେ ହଂକରୁ, ଏମ୍‍ଇଆରଏସ୍‍ ପ୍ରଥମେ ସାଉଦିଆରବରୁ ଚିହ୍ନଟ ହୋଇଥିଲା। ୨୦୧୯ ଡିସେମ୍ବର ୩୧ରେ ଚୀନ୍‌ର ହୁଆନ୍‍ଠାରେ ଚିହ୍ନଟ ସିଓଭିଆଇଡି ୧୯ ପ୍ରଭାବରେ ଏଯାବତ ପ୍ରାୟ ୩,୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୯୦ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହି ଭୂତାଣୁ ବର୍ତ୍ତମାନ ବିଶ୍ୱର ୩୫ଟିରୁ ଅଧିକ ରାଷ୍ଟ୍ରକୁ ବ୍ୟାପି ଗଲାଣି। କରୋନା ଭୂତାଣୁର ବ୍ୟାପକତା ହେତୁ ୫ ଫେବୃଆରୀ ୨୦୨୦ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି ଘୋଷଣା କରିଛନ୍ତି।

କରୋନା ଭୂତାଣୁ ସାଧାରଣ ଭାବରେ ବାଦୁଡ଼ି ଜାତୀୟ ପକ୍ଷୀ ଏବଂ ଗରମ ରକ୍ତ ସଞ୍ଚାଳିତ ମେରୁଦଣ୍ଡୀ ପ୍ରାଣୀମାନଙ୍କ ଶରୀରରେ ଥାନ୍ତି। ଗବେଷକ ମଧ୍ୟ କୁହନ୍ତି କରୋନା ପାଙ୍ଗୋଲିନ୍‍ ପ୍ରାଣୀଙ୍କଠାରୁ ମଧ୍ୟ ବ୍ୟାପିଥାଏ। ରୋଗ ପ୍ରତିଷେଧକ ଶକ୍ତି ଥିଲେ ଏମାନେ ବିଶେଷ କ୍ଷତି କରନ୍ତି ନାହିଁ। ନାଗାଲାଣ୍ଡରେ ବସବାସ କରୁଥିବା କିଛି ଜନଜାତି ସଂପ୍ରଦାୟ ପ୍ରତିବର୍ଷ ଅକ୍ଟୋବର ମାସରେ ଏକ ଉତ୍ସବ ପାଳନ କରନ୍ତି ବାଦୁଡ଼ି ମାଂସ ଖାଇବା ପାଇଁ। ଗବେଷକମାନେ ଦେଖିଲେ ବାଦୁଡ଼ି ଦେହରେ ଏହି ଭୂତାଣୁ ଥିଲେ ବି ବାଦୁଡ଼ିରୁ ଲୋକଙ୍କ ଶରୀରକୁ ସଂକ୍ରମିତ ହେଉନି। ଏ ଦିଗରେ ଅଧିକ ଗବେଷଣା ସମୟସାପେକ୍ଷ ନିଶ୍ଚୟ। କରୋନା ଭୂତାଣୁ ଆକ୍ରାନ୍ତଙ୍କ ପାଇଁ କୌଣସି ନିର୍ଦିଷ୍ଟ ଔଷଧ ନାହିଁ। ଏଣୁ ସତର୍କତା ଦ୍ୱାରା ଆମେ କରୋନାଠାରୁ ଦୂରରେ ରହିପାରିବା।

ବିନ୍ଦୁବଳୟ ଦାଶ (ଜୀବବିଜ୍ଞାନ ବିଭାଗ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପଞ୍ଜାବ)

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories