କରୋନା ମୁକାବିଲା : ମହାଶକ୍ତି ଆମେରିକା ଶକ୍ତିହୀନ କାହିଁକି?

ପୃଥିବୀର ମହାଶକ୍ତି କୁହାଯାଉଥିବା ଆମେରିକା ଏବେ କରୋନା ଭୂତାଣୁ କବଳରେ ପଡ଼ି ଭୀତତ୍ରସ୍ତ। ସେଠାରେ ପ୍ରଥମ ସଂକ୍ରମଣ ଜଣାପଡ଼ିବାର ଦୁଇ ମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ ଏହା କମିବା ବଦଳରେ ସମଗ୍ର ଦେଶରେ କାୟା ବିସ୍ତାର କରିଚାଲିଛି। ଏପ୍ରିଲ ୯ ତାରିଖ ସୁଦ୍ଧା ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୪,୩୫,୧୬୦ ଥିବାବେଳେ ମୃତକଙ୍କ ସଂଖ୍ୟା ୧୪,୭୯୭। ଏହି ବିଶ୍ବ ମହାମାରୀର ସବୁଠୁ ବଡ଼ କେନ୍ଦ୍ର ପାଲଟିଛି ଆମେରିକା। ଚୀନରୁ ଏହି ରୋଗ ଅନ୍ୟ ଦେଶକୁ ବ୍ୟାପିଥିବାବେଳେ ସେଠାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ମାମଲାରେ ଚୀନର ଚାରି ଗୁଣରୁ ଅଧିକ ହୋଇସାରିଲାଣି। ଏହା ସତ୍ତ୍ବେ ସେଠାକାର ସାର୍ବଜନୀନ ସ୍ବାସ୍ଥ୍ୟ ଅଧିକାରୀମାନେ କହୁଛନ୍ତି ଯେ ତାଙ୍କ ଦେଶ କରୋନା ଭୂତାଣୁର ଉଚ୍ଚତମ ପ୍ରକୋପ ଦେଖାଇବାକୁ ଆହୁରି ସମୟ ବାକି ଅଛି। ସେ ଯାହାହେଉ, ଏହି ମହାମାରୀ ଆମେରିକୀୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ବହୁ ଦୁର୍ବଳତାକୁ ପଦାକୁ ଆଣିଛି। କରୋନା ସହ ଲଢ଼ିବା ପାଇଁ ଆମେରିକା ଯେଉଁ ପଦ୍ଧତି ଅବଲମ୍ବନ କରିଛି, ତାହା ଆମେରିକାର ବ୍ୟବସ୍ଥାର ତ୍ରୁଟିବିଚ୍ୟୁତିକୁ ମଧ୍ୟ ଚିହ୍ନାଇ ଦେଇଛି। କେଉଁ କାରଣରୁ କରୋନା ଲଢ଼େଇରେ ଏହି ମହାଶକ୍ତି ଶକ୍ତିହୀନ ମନେହେଉଛି, ଆସନ୍ତୁ ଜାଣିବା।
ଡାକ୍ତରୀ ଉପକରଣ ଅଭାବ
କରୋନା ଭୂତାଣୁର ପ୍ରକୋପ ବଢ଼ିବା ସହ ଦେଶର ପ୍ରତ୍ୟେକ କୋଣୁ ଡାକ୍ତର ଓ ଡାକ୍ତରଖାନା ସରକାରଙ୍କୁ ଜଣାଇଲେ ଯେ ତାଙ୍କ ପାଖରେ ଆବଶ୍ୟକ ପରିମାଣର ମାସ୍କ, ଗ୍ଲୋଭ୍‌ସ, ସୁରକ୍ଷା ଗାଉନ୍, ଭେଣ୍ଟିଲେଟର ଆଦି ନାହିଁ। ଯେଉଁଠି ମହାମାରୀ ବ୍ୟାପିଛି, ସେସବୁ ଅଞ୍ଚଳରେ ଏହାର ଘୋର ଅଭାବ ଥିବା ଜଣାପଡ଼ିଲା। ଏପରିକି ସେଠାକାର ସ୍ବାସ୍ଥ୍ୟକର୍ମୀମାନେ ନିଜକୁ ଓ ସଂକ୍ରମିତ ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କଲେ ବି ଅସହାୟ ମଣୁଛନ୍ତି। ଯଥେଷ୍ଟ ପରିମାଣର ଡାକ୍ତରୀ ଉପକରଣ ଓ ସୁବିଧା ନଥିବାରୁ ବ୍ୟବହୃତ ଜିନିଷକୁ ମଧ୍ୟ ପୁନଃବ୍ୟବହାର କରିବାକୁ ପଡ଼ୁଛି ବା କାମଚଳା ବ୍ୟବସ୍ଥାରେ ଚିକିତ୍ସା କରାଯାଉଛି। ମଙ୍ଗଳବାର ନିଉୟର୍କ ରାଜ୍ୟର ଗଭର୍ଣ୍ଣର୍ ଆଣ୍ଡ୍ର୍ୟୁ କୁଓମୋ ଅଭିଯୋଗ କରିଥିଲେ ଯେ କେତେକ ଆମେରିକୀୟ ରାଜ୍ୟ ସଂଘୀୟ ସରକାର ସହ ମିଶି ଡାକ୍ତରୀ ଉପକରଣ କିଣିବାପାଇଁ ଧାଡ଼ି ଲଗାଇଛନ୍ତି। ଫଳରେ ଜରୁରୀ ସାମଗ୍ରୀଗୁଡ଼ିକର ଦାମ୍ ଆକାଶଛୁଆଁ ହୋଇଛି।
ଆମେରିକାର ଜର୍ଜ ୱାଶିଂଟନ ବିଶ୍ବବିଦ୍ୟାଳୟର ସ୍ବାସ୍ଥ୍ୟ ନୀତି ଓ ପ୍ରବନ୍ଧନର ପ୍ରଫେସର ଜେଫ୍ରି ଲେଭି କହନ୍ତି ଯେ ଏଭଳି ଅବସ୍ଥା ସୃଷ୍ଟି ହେବାର ନଥିଲା। ଆମେରିକା ସରକାର ଜରୁରୀ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଥିପାଇଁ ସରକାରଙ୍କ ପାଖରେ ନା ସାଧନ ଥିଲା ବା କୌଣସି ପ୍ରସ୍ତୁତି। ଆମ ପାଖରେ ମହାମାରୀ ସହ ଲଢ଼ିବା ପାଇଁ ପର୍ଯ୍ୟାପ୍ତ ସମୟ ଥିଲା, ଉତ୍ପାଦନ କ୍ଷମତା ମଧ୍ୟ ଥିଲା, କିନ୍ତୁ ସରକାର ନିଜ ଶକ୍ତିର ଉପଯୋଗ କଲେ ନାହିଁ।
ସନ୍ଦିଗ୍ଧଙ୍କ ପରୀକ୍ଷାରେ ବିଳମ୍ବ
ପ୍ରଫେସଲ ଲେଭିଙ୍କ ମତରେ କରୋନା ଭୂତାଣୁର ଭୟଙ୍କର ପ୍ରକୋପକୁ କମ୍ କରିବାପାଇଁ ଆରମ୍ଭରୁ ଅଧିକରୁ ଅଧିକ ଲୋକଙ୍କ ପରୀକ୍ଷା କରାଇବା ସବୁଠାରୁ ପ୍ରଭାବଶାଳୀ ଉପାୟ। ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଭଳି ଦେଶ ଏହା କରି ଦେଖାଇଛନ୍ତି; କିନ୍ତୁ ଆମେରିକା ସରକାର ସେଥିରେ ବିଫଳ ହୋଇଛି। ଏହି କାରଣରୁ ଏବେ ସ୍ଥିତି ଅସମ୍ଭାଳ ହୋଇଛି। କ’ଣ ହେଉଛି ଓ କେଉଁଠି ହେଉଛି, ଏହି ପରିସ୍ଥିତି ବିଷୟରେ ଜାଣିବା ବେଶି ଗୁରୁତ୍ବପୂର୍ଣ୍ଣ; କିନ୍ତୁ ଏଠାକାର ସ୍ବାସ୍ଥ୍ୟ ଅଧିକାରୀମାନେ କେବଳ ଅନ୍ଧାରରେ ବାଡ଼ି ବୁଲାଇଲେ। ଯଦି ସଂକ୍ରମିତଙ୍କ ଚିହ୍ନଟ ହୋଇଥାଆନ୍ତା, ତେବେ ବଡ଼ ଧରଣର ଲକ୍‌ଡାଉନ ଭଳି ସ୍ଥିତି ଆସିନଥାନ୍ତା। ସୂଚନାଯୋଗ୍ୟ, ଆମେରିକାରେ ଲକ୍‌ଡାଉନ ଯୋଗୁଁ ଆର୍ଥିକ ସ୍ଥିତି ଖୁବ୍ ବିଗିଡ଼ିଯାଇଛି ଓ ଲକ୍ଷଲକ୍ଷ ଲୋକ ବେରୋଜଗାର ହୋଇଯାଇଛନ୍ତି।
ଏଭଳି ସ୍ଥିତି ପାଇଁ ପ୍ରଫେସର ଲେଭି ସମ୍ପୂର୍ଣ୍ଣ ରୂପେ ଟ୍ରମ୍ପ୍‌ ପ୍ରଶାସନର ବେପରୁଆ ମନୋଭାବକୁ ଦାୟୀ କରିଛନ୍ତି। ତାଙ୍କ ମତରେ, ଏପରି ମହାମାରୀର ସମ୍ମୁଖୀନ ହେବାପାଇଁ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କ ସମୟରେ ହୋଇଥିବା ପୁରୁଣା ଯୋଜନାକୁ କାର୍ଯ୍ୟକାରୀ ନକରାଇ ବଡ଼ ଭୁଲ୍ କରିଛନ୍ତି ଟ୍ରମ୍ପ୍। ସେ କେବଳ ଏହାକୁ ଉପେକ୍ଷା କରିନାହାନ୍ତି, ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ପଦଗୁଡ଼ିକରେ ମଧ୍ୟ ଦକ୍ଷ ଲୋକଙ୍କୁ ନିଯୁକ୍ତ କରିନାହାନ୍ତି।
ମାର୍ଚ ମାସ ମଧ୍ୟଭାଗ ସୁଦ୍ଧା ଆମେରିକା ସରକାର ପ୍ରତିଶ୍ରୁତି ଦେଉଥିଲା ଯେ ମାସ ପର୍ଯ୍ୟନ୍ତ ୫୦ ଲକ୍ଷ କରୋନା ଭୂତାଣୁ ପରୀକ୍ଷାର ଲକ୍ଷ୍ୟ ପୂରଣ ହେବ; କିନ୍ତୁ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ମାର୍ଚ ୩୦ ସୁଦ୍ଧା କେବଳ ଦଶ ଲକ୍ଷ ଲୋକଙ୍କର ହିଁ ପରୀକ୍ଷା ହୋଇପାରିଛି। ତେବେ ଏହା ଅନ୍ୟ ଦେଶଗୁଡ଼ିକ ଅପେକ୍ଷା ଢେର୍‌ ଅଧିକ। ଆମେରିକାର ଜନସଂଖ୍ୟା ୩୩ କୋଟି ହୋଇଥିବାରୁ ପରୀକ୍ଷା ସେହି ଅନୁପାତରେ କମ୍ ହୋଇଛି ବୋଲି ଧରାଯାଉଛି।
ସାମାଜିକ ଦୂରତ୍ବ ବିଫଳ
କିଛି ଦିନ ତଳେ ଆମେରିକାର ଫ୍ଲୋରିଡ଼ା ରାଜ୍ୟର ସମୁଦ୍ର ତଟ ବସନ୍ତ ଅବକାଶ କଟାଉଥିବା କଲେଜ ଛାତ୍ରଛାତ୍ରୀଙ୍କ ସମାଗମରେ ପୂରିଉଠିଥିଲା। ନିଉୟର୍କରେ ମେଟ୍ରୋ ଡବାରେ ବହୁଲୋକ ଲଗାଲଗି ହୋଇ ଯାଉଥିଲେ। ଲୁସିୟାନା ରାଜ୍ୟର ଏକ ଚର୍ଚରେ ଏବେ ବି ହଜାରହଜାର ଲୋକ ଏକତ୍ର ହେଉଛନ୍ତି। ସେଠାକାର ପାଦ୍ରୀଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ବି ସେ କହିଛନ୍ତି ଯେ ‘କରୋନା ଭୂତାଣୁ ରାଜନୀତି-ପ୍ରେରିତ। ଯିଏ ଯାହା କହୁ, ଆମେ ଏକାଠି ପ୍ରାର୍ଥନା କରିବୁ।’ ସମଗ୍ର ଦେଶରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ, ଟ୍ରମ୍ପ୍ ୟୁରୋପୀୟ ଦେଶରୁ ଆମେରିକା ଆସୁଥିବା ଲୋକଙ୍କ ପାଇଁ ଜାରି କରିିଥିବା ନିଷେଧାଦେଶ ସ୍ପଷ୍ଟ ନଥିବାରୁ ବିମାନବନ୍ଦରଗୁଡ଼ିକରେ ବହୁତ ଭିଡ଼ ଜମିଥିଲା। ସେଠାକାର ବହୁ ଯାତ୍ରୀ ଭୂତାଣୁ ସଂକ୍ରମଣର ବାହକ ପାଲଟିଛନ୍ତି।
ବାର୍ତ୍ତା ନାଁରେ ଭୟ ସୃଷ୍ଟି
ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଶର ଭୟାବହ ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ଯାଇ କହିଥିଲେ, ‘‘ମୁଁ ପ୍ରତ୍ୟେକ ଆମେରିକା ନାଗରିକଙ୍କୁ ଜଣାଇବାକୁ ଚାହୁଁଛି ଯେ ସେମାନେ ଆଗାମୀ କଷ୍ଟକର ଦିନ ପାଇଁ ପ୍ରସ୍ତୁତ ରହନ୍ତୁ।’’ ଟ୍ରମ୍ପଙ୍କ ପରେ ସାର୍ବଜନୀନ ସ୍ବାସ୍ଥ୍ୟ ପରାମର୍ଶଦାତା ମଧ୍ୟ ସେହି ସମାନ ବାର୍ତ୍ତା ଶୁଣାଇଥିଲେ; କିନ୍ତୁ ସପ୍ତାହକ ପୂର୍ବରୁ ଟ୍ରମ୍ପ୍ ଆଶା ପ୍ରକାଶ କରିଥିଲେ ଯେ ଏପ୍ରିଲ ମଧ୍ୟଭାଗ ପର୍ଯ୍ୟନ୍ତ ସ୍ଥିତି ସ୍ବାଭାବିକ ହୋଇଯିବ। ଚୀନ ଓ ଇଟାଲୀରେ ଭୟାବହ ସ୍ଥିତି ଥିବାବେଳେ ମଧ୍ୟ ଟ୍ରମ୍ପ୍ ସମ୍ଭାବ୍ୟ ବିପଦକୁ ସାଧାରଣ ବୋଲି କହିଥିଲେ। ଆମେରିକା ପାଇଁ ଶୀର୍ଷ ନେତୃତ୍ବଙ୍କ ଏପରି ଅଦୂରଦର୍ଶିତା ବେଶ୍‌ ମହଙ୍ଗା ପଡ଼ିଛି।

Comments are closed.