ଟିକା ନେବା ପାଇଁ ନାମ ଦେଲେଣି ୯୮% ସ୍ବାସ୍ଥ୍ୟ ଓ ଅଙ୍ଗନୱାଡ଼ି କର୍ମୀ
ଭୁବନେଶ୍ବର: ସାରା ବିଶ୍ବକୁ ଭୟଭୀତ କରି ରଖିଥିବା କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଆଜି ପର୍ଯ୍ୟନ୍ତ ଟିକା ବାହାରି ନାହିଁ। ଖୁବ୍ ଶୀଘ୍ର କରୋନା ଟିକା ଓଡ଼ିଶାକୁ ଆସିବାକୁ ଥିବାରୁ ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟରେ କାର୍ଯ୍ୟରତ ସମ୍ମୁଖ ଯୋଦ୍ଧାଙ୍କୁ ଆଗ ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡ଼ୀ କର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ଦିଆଯିବ। ସେମାନଙ୍କୁ ଟିକା ଦେବା ପାଇଁ ସ୍ବାସ୍ଥ୍ୟ ଓ ଅଙ୍ଗନୱାଡ଼ି କର୍ମୀଙ୍କ ତଥ୍ୟ ମଗାଯାଇଥିଲା। ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୯୮% ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗୱାଡ଼ି କର୍ମୀ ତଥ୍ୟ ଦେଲେଣି। ୩୬୮୩ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟ ସଂସ୍ଥାର ଡାଟା ମଗାଯାଇଥିଲା। ୩୪୬୩ ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ସମ୍ପର୍କରେ ଡାଟା ଦେଇଛନ୍ତି। ମୋଟ ୩ଲକ୍ଷ ୨୭୦୮ଲୋକଙ୍କ ଡାଟା ଟାର୍ଗେଟ୍ରେ ରହିଛି। ଅକ୍ଟୋବର ୩୧ ସୁଦ୍ଧା ୨ଲକ୍ଷ ୯୫ହଜାର ୩୪୯ଜଣଙ୍କ ଡାଟା ମିଳିଛି। ମୋଟ ଉପରେ ୯୪% ସଂସ୍ଥା ଓ ୯୮% ବ୍ୟକ୍ତିଙ୍କ ଡାଟା ମିଳିଛି। ସ୍ବାସ୍ଥ୍ୟ ଓ ଅଙ୍ଗନୱାଡ଼ି କର୍ମୀଙ୍କ ଡାଟା ମାଗିଥିଲେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରକାଶ କରିଛନ୍ତି।
ରାଜ୍ୟରେ କେତେ ସଂଖ୍ୟାରେ ସ୍ବାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡ଼ି କର୍ମୀ କାର୍ଯ୍ୟ କରୁଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରି ଜିଲାପାଳ ଓ ସିଡିଏମ୍ଓଙ୍କୁ ଦେବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏସିଏସ୍ ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ଚିଠି ଲେଖିଥିଲେ। ସେହିପରି ଅଙ୍ଗନୱାଡ଼ି କର୍ମୀ, ହେଲ୍ପର୍, ସୁପରଭାଇଜର, ସିଡିପିଓଙ୍କୁ ତଥ୍ୟ ଦେବା ପାଇଁ ଚିଠିରେ ନିର୍ଦେଶ ଦେଇଥିଲେ। ଅକ୍ଟୋବର ୨୫ ମଧ୍ୟରେ ସିଭିବିଏମ୍ଏସ୍-ଭ୍ୟାକ୍ସିନେସନ୍ ବେନିଫିସିଆରି ମ୍ୟାନେଜ୍ମେଣ୍ଟ ସିଷ୍ଟମ(ସିଭିବିଏମ୍ଏସ୍)ରେ ଡାଟା ଅପ୍ଲୋଡ୍ କରିବାକୁ କୁହାଯାଇଥିଲା। ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନୱାଡ଼ି କର୍ମୀଙ୍କ ଡାଟା ପ୍ରସ୍ତୁତ କରାଯାଇ ତାହା ସିଭିବିଏମ୍ଏସ୍ରେ ଅପ୍ଲୋଡ୍ କରାଯାଇଥିଲା। ଏ ନେଇ ଆଇଏମ୍ଏ, ଆୟୁଷ ଓ ନର୍ସିଂ ଆସୋସିଏସନ୍, ପାରାମେଡ଼ିକ୍ କର୍ମଚାରୀ ସଂଘ ଓ ଘରୋଇ ମେଡ଼ିକାଲ୍ ସଂଘ ସଭାପତି ସେମାନଙ୍କ ସଦସ୍ୟଙ୍କ ନାମ ଜିଲାପାଳ ଓ ସିଡିଏମ୍ଓଙ୍କୁ ପ୍ରଦାନ କରିବା ପାଇଁ ଚିଠି ଲେଖାଯାଇଥିଲା।
Comments are closed.