ନିୟନ୍ତ୍ରଣରେ କରୋନା – ସଂକ୍ରମିତଙ୍କ ମଧ୍ୟରେ ପୁରୁଷ ଓ ୧୫-୪୦ ବର୍ଷ ବୟସ୍କଙ୍କ ସଂଖ୍ୟା ଅଧିକ

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ କରୋନା ପରିସ୍ଥିତି ଉଦ୍‍ବେଗଜନକ ରହିଥିଲେ ମଧ୍ୟ ନିୟନ୍ତ୍ରଣରେ ରହିଛି। ୨୧ଟି ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣରେ ୬୭୨ଜଣ ସଂକ୍ରମିତ ହୋଇଥିବାବେଳେ ବିଭିନ୍ନ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ୫୦୩ଜଣ ଚିକିତ୍ସିତ ହେଉଛନ୍ତି। ଆଜି ୪୮ଟି ନମୂନା କରୋନା ପଜିଟିଭ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସେମାନଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୧୨ଜଣ ସଂକ୍ରମିତ ହୋଇଥିବାବେଳେ ସମସ୍ତେ ସୁରଟ ଫେରନ୍ତା ଓ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ବାଲେଶ୍ୱରରୁ ଚିହ୍ନଟ ୧୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ପଶ୍ଚିମବଙ୍ଗରୁ ଆସିଥିବାବେଳେ ୨ଜଣ ସୁରଟରୁ ଏବଂ ଅନ୍ୟ ୩ଜଣ ମହାରାଷ୍ଟ୍ର ଫେରନ୍ତା ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି ୧୨ଜଣ ମଧ୍ୟ କ୍ୱାରେଣ୍ଟାଇନରେ ଥିଲେ।

ପୁରୀରୁ ଚିହ୍ନଟ ୧୦ଜଣ, ନୟାଗଡର ୩ଜଣ ଏବଂ ଯାଜପୁରରୁ ଚିହ୍ନଟ ହୋଇଥିବା ୨ଜଣ ମଧ୍ୟ ସୁରଟ ଫେରନ୍ତା ଓ ସଙ୍ଗରୋଧରେ ରହିଥିଲେ। କଟକ, ସୁନ୍ଦରଗଡ଼ ଓ ଦେବଗଡରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସଂକ୍ରମିତ ଅହମ୍ମଦାବାଦ ଫେରନ୍ତା ହୋଇଥିବାବେଳେ, ଭଦ୍ରକରୁ ଚିହ୍ନଟ ୬ଜଣ କିଛିଦିନ ପୂର୍ବେ ପଶ୍ଚିମବଙ୍ଗରୁ ଫେରିଥିଲେ।

ଆଜିସୁଦ୍ଧା ଏହି ଭୂତାଣୁ ସଂକ୍ରମଣରେ ରାଜ୍ୟରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬୬ଜଣ ସଂପୂର୍ଣ୍ଣ ଆରୋଗ୍ୟ ହୋଇ ନିଜ ନିଜ ଘରକୁ ଫେରିଯାଇଛନ୍ତି। ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ ୬୭୨ଜଣ ସଂକ୍ରମିତଙ୍କ ମଧ୍ୟରେ ୫୩୧ଜଣ ପୁରୁଷ ଓ ୮୦ଜଣ ମହିଳା ରହିଛନ୍ତି। ଅନ୍ୟ ୬୧ଜଣଙ୍କ ସମ୍ପର୍କରେ ତଥ୍ୟ ହାସଲ କରାଯାଉଛି। ସେହିପରି ଏହି ଭୂତାଣୁ ସଂକ୍ରମଣରେ ୧୫ରୁ ୪୦ବର୍ଷ ବୟସ ମଧ୍ୟରେ ସର୍ବାଧିକ ୩୯୨ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୪ବର୍ଷ ବୟସ ମଧ୍ୟରେ ୨୦ଜଣ ଆକ୍ରାନ୍ତ ହୋଇଛନ୍ତି।

ସର୍ବଶେଷ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୬୪ଜଣ କରୋନା ସଂକ୍ରମିତ ଥିବା ସମୟରେ ବାଲେଶ୍ୱରରେ ୧୦୨, ଯାଜପୁରରେ ୯୦, ଖୋର୍ଦ୍ଧା ୫୩, ଭଦ୍ରକ ୪୬, ସୁନ୍ଦରଗଡ଼ ୨୬, କେନ୍ଦ୍ରାପଡା ୨୨, ଅନୁଗୁଳ ୧୫, ପୁରୀ ୧୪, ମୟୂରଭଞ୍ଜ ୯, ଜଗତ୍‍ସିଂହପୁର ୫, ନୟାଗଡ, କେନ୍ଦୁଝର, କଟକ ଏବଂ ବୌଦ୍ଧରେ ୪ଜଣ ଲେଖାଏଁ, କଳାହାଣ୍ଡି, ଝାରସୁଗୁଡା, ବଲାଙ୍ଗୀର, ଦେବଗଡରେ ୨ଜଣ ଲେଖାଏଁ ଏବଂ କୋରାପୁଟ ଓ ଢ଼େଙ୍କାନାଳରେ ଜଣେ ଲେଖାଏଁ କରୋନା ସଂକ୍ରମିତ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୬୧ଜଣ ସକ୍ରିୟ ଚିକିତ୍ସାଧୀନ ଥିବାବେଳେ ବାଲେଶ୍ୱରରୁ ୮୧ ଓ ଯାଜପୁରର ୩୮ଜଣ ଚିକିତ୍ସାଧୀନ ଅଛନ୍ତି। ସୁସ୍ଥମାନଙ୍କ ମଧ୍ୟରେ ଯାଜପୁରର ସର୍ବାଧିକ ୫୨ଜଣ ଓ ଖୋର୍ଦ୍ଧାର ୪୫ଜଣ ଅଛନ୍ତି।

Comments are closed.