ଦିଲ୍ଲୀ ପୁଲିସକୁ କୋହଲି, ଈଶାନ୍ତଙ୍କ ଉଚ୍ଚପ୍ରଶଂସା
ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। କରୋନା ସଂକ୍ରମଣକୁ ନେଇ ଦେଶରେ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଦୃଷ୍ଟିରେ ରଖି ଡାକ୍ତର, ସ୍ବାସ୍ଥ୍ୟ କର୍ମୀଙ୍କ ସହ ପୁଲିସ କର୍ମଚାରୀଙ୍କ ଦାୟିତ୍ବ ମଧ୍ୟ ବେଶ୍ ବଢ଼ି ଯାଇଛି।
ଗୋଟିଏ ପଟେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ସଂକ୍ରମିତଙ୍କ ଚିକିତ୍ସା ଜାରି ରଖିଥିବା ବେଳେ ଲକ୍ଡାଉନ୍ ସମୟରେ ଯେପରି ଜନସାଧାରଣ ପଦାକୁ ନ ବାହାରି ଘରେ ସୁରକ୍ଷିତ ରହିବେ ତାହା ନିଶ୍ଚିତ କରିବା ଦାୟିତ୍ବ ପୁଲିସ ଉପରେ ରହିଛି। ଏଥିପାଇଁ ପୁଲିସ କର୍ମଚାରୀ ବେଶ୍ ନିଷ୍ଠାର ସହ ଦୀର୍ଘସମୟ ଧରି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ବଜାରକୁ ଜିିନିଷ କିଣିବା ସମୟରେ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ବୁଝାଇବା ସହ ଅଭାବୀ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବା କ୍ଷେତ୍ରରେ ପୁଲିସର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ଦେଶବ୍ୟାପୀ ପୁଲିସ କର୍ମଚାରୀ ନିଜ କର୍ତ୍ତବ୍ୟ ସମ୍ପାଦନରେ ହେଳା କରୁନଥିବା ବେଳେ ଦିଲ୍ଲୀ ପୁଲିସ ମଧ୍ୟ ପଛରେ ପଡ଼ି ନାହିଁ। ଦିଲ୍ଲୀ ପୁଲିସର କାମକୁ ଉଚ୍ଚପ୍ରଶଂସା କରିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ଦ୍ରୁତ ବୋଲର ଈଶାନ୍ତ ଶର୍ମା।
କୋହଲି ଏକ ଭିଡିଓ ଜାରି କରି ଦିଲ୍ଲୀ ପୁଲିସ ସହ ସମଗ୍ର ଦେଶର ପୁଲିସକୁ କୃତଜ୍ଞତା ଜଣାଇଛନ୍ତି। ଘର କଥା ଭୁଲି ଲୋକଙ୍କ ସୁରକ୍ଷା ପାଇଁ ପୁଲିସ ବାହିନୀ ଦିନରାତି କାମ କରିବା ସହ ଅଭାବୀ ବ୍ୟକ୍ତିଙ୍କୁ ଯଥାସମ୍ଭବ ସାହାଯ୍ୟ ପ୍ରଦାନ କରୁଥିବା ବେଶ୍ ପ୍ରଶଂସନୀୟ। ସେମାନଙ୍କୁ ସମସ୍ତେ ଉତ୍ସାହିତ କରିବାକୁ କୋହଲି ଆହ୍ବାନ ଦେଇଛନ୍ତି।
ସେହିପରି ଈଶାନ୍ତ ନିଜ ପ୍ରତିକ୍ରିୟାରେ କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ ଅଧିକାଂଶ ଲୋକ ଘରେ ନିଜ ପରିବାର ସହ ସମୟ ଅତିବାହିତ କରୁଥିବା ବେଳେ ପୁଲିସ କର୍ମଚାରୀମାନେ ଦିନରାତି କାମ କରୁଛନ୍ତି। ଯାହାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଦିଲ୍ଲୀ ପୁଲିସକୁ ସହଯୋଗ କରିବାକୁ କୌଣସି ବ୍ୟକ୍ତି ଅଯଥାରେ ଘରୁ ନ ବାହାରିବା ସହ ଗୁଜବରେ ବିଶ୍ବାସ ନ କରିବାକୁ ଈଶାନ୍ତ ପରାମର୍ଶ ଦେଇଛନ୍ତି। ମିଳିତ ଭାବେ ଲଢ଼େଇ ଜାରି ରଖିଲେ କରୋନା ବିପକ୍ଷରେ ବିଜୟ ଲାଭ ସମ୍ଭବପର ବୋଲି ଈଶାନ୍ତ ଆଶାବ୍ୟକ୍ତ କରିଛନ୍ତି।
Comments are closed.