ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରୁ ଗୋଟିଏ ଦିନରେ ୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ଜଣ ସଂକ୍ରମିତ ଚିହ୍ନଟ ହେବା ସହ ୧୧ ଜଣ ସଙ୍ଗରୋଦ୍ଧ କେନ୍ଦ୍ରରେ ନଥାଇ ସଂକ୍ରମିତ ବାହାରିଥିବା କାରଣରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ୨୦ ଜଣଙ୍କୁ ମିଶାଇ ବର୍ତ୍ତମାନ ବ୍ଲକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪ରେ ପହଞ୍ଚିଛି।
ସୂଚନା ଯୋଗ୍ୟ, କୁଟିଙ୍ଗା ପଞ୍ଚାୟତର ସଙ୍ଗରୋଦ୍ଧ କେନ୍ଦ୍ରରୁ ଯାଇ ୩ ଜଣ ଜୟପୁର ସ୍ଥିତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବାବେଳେ ଗତକାଲି ଖଜୁରୀପୁଟରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ ଆଜି ୨୦ ଜଣ ଏକକାଳୀନ ଚିହ୍ନଟ ହେବା ଘଟଣା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ବିଶେଷକରି ଏକ ବିବାହ ଭୋଜିର ଆୟୋଜନ କରିଥିବା ଗୃହ କର୍ତ୍ତାଙ୍କୁ ମିଶାଇ ପରିବାରର ୭ ଜଣଙ୍କ ପଜିଟିଭ୍ ଚିହ୍ନଟ ହୋଇଥିବା ସହିତ ସମ୍ପୃକ୍ତ ପରିବାର ସଦସ୍ୟମାନେ ଏକ ଏକାଦଶାହ ଭୋଜିରେ ସାମିଲ୍ ହୋଇଥିବାରୁ ବ୍ଲକରେ ଗୋଷ୍ଟୀ ସଂକ୍ରମଣ ହେବାର ଆଶଂକା ଉପୁଜିଛି। ସେହିପରି ଲକ୍ଷ୍ମୀପୁର ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରର ୩ ଜଣ କରୋନା ଯୋଦ୍ଧାଙ୍କ ସହିତ ସ୍ଥାନୀୟ ରେଳବାଇ କଲୋନୀରୁ ଜଣେ, ବୁର୍ଜା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୭ଜଣ , ଲକ୍ଷ୍ମୀପୁର ଆଟିଆଇରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସାଧାରଣରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି। ଏନେଇ ଜିଲାପାଳଙ୍କ ପକ୍ଷରୁ ଲକ୍ଷ୍ମୀପୁର ପଞ୍ଚାୟତକୁ ଅନ୍ୟାଦେଶ ପର୍ଯ୍ୟନ୍ତ ତାଲାବନ୍ଦ ଘୋଷଣା କରାଯାଇଛି। ସେହିପରି ଲକ୍ଷ୍ମୀପୁର ସରପଞ୍ଚ ମଧ୍ୟ ଲକ୍ଷ୍ମୀପୁର ଗ୍ରାମକୁ ସଟଡାଉନ୍ ଘୋଷଣା କରିଛନ୍ତି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ୩ ଜଣ ଚିହ୍ନଟ ହେବାପରେ ଡାକ୍ତରଖାନା କୁ ବିଶୋଧନ କରାଯାଇଛି।



