ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାରରୁ ଅଧିକ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ଆରୋଗ୍ୟ ହାର ୯୨ ପ୍ରତିଶତକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆଜି ସୁଦ୍ଧା ୭୬ ଲକ୍ଷ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏବେ ମୋଟ୍ ସଂକ୍ରମଣର ମାତ୍ର ୬.୫୫ ପ୍ରତିଶତ ସକ୍ରିୟ ସଂକ୍ରମିତ ଅଛନ୍ତି। ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୫ ଲକ୍ଷ ୪୧ ହଜାର ସଂକ୍ରମିତଙ୍କ ଚିକିତ୍ସା ଚାଲିଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୩୮ ହଜାର ୩୧୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ଅତିକ୍ରମ କରିଛି। କରୋନା ସଂକ୍ରମଣ ରୋକିବା ଦିଗରେ ସମୟାନୁବଦ୍ଧ ପଦକ୍ଷେପ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ଏବଂ ମୃତ୍ୟୁ ହାର ହ୍ରାସ ପାଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁହାର ତୁଳନାରେ ଭାରତରେ ଏହା ସର୍ବନିମ୍ନ ୧.୪୯ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୪୯୦ ଜଣଙ୍କ ମୃତ୍ୟୁ ସହ ମୋଟ୍ ସଂଖ୍ୟା ୧ ଲକ୍ଷ ୨୩ ହଜାର ୯୭କୁ ବୃଦ୍ଧି ପାଇଛି।
ଭାରତୀୟ ଭେଷଜ ଗବେଷଣା ପରିଷଦ – ଆଇ.ସି.ଏମ୍.ଆର୍. ସୂଚନା ଅନୁଯାୟୀ ଗତକାଲି ଗୋଟିଏ ଦିନରେ ୧୦ ଲକ୍ଷ ୪୬ ହଜାର ନମୁନା ପରୀକ୍ଷା କରାଯାଇଛି। ଆଜି ସୁଦ୍ଧା ୧୧ କୋଟି ୧୭ ଲକ୍ଷ ନମୁନା ପରୀକ୍ଷା କରାଯାଇଥିବା ଜଣାପଡ଼ିଛି।



