ଗିରଫ ଭୟ : ଜଙ୍ଗଲରେ କଟିଲାଣି ୭୨ ଘଣ୍ଟା

ଅଣ୍ଟା ଭିଡ଼ିଲେ ଜନପ୍ରତିନିଧି, ଏସଡିପିଓଙ୍କ ଅଭୟବାଣୀ, ଶୀତ କାକରରେ ଶଢୁଛନ୍ତି ପିଲାଠାରୁ ବୟସ୍କ

ଫୁଲବାଣୀ/ବ୍ରାହ୍ମଣୀଗାଁ : ଜୁଆ ଆଡ୍ଡା ଚଢଉକୁ କେନ୍ଦ୍ର କରି ଗ୍ରାମବାସୀ ଓ ପୁଲିସ ମଧ୍ୟରେ ହୋଇଥିବା ବିବଦାମାନ ସ୍ଥିତିର ସମାଧାନ ତିନିଦିନ ପରେ ବି ହୋଇପାରିନି। ଏଣେ ଗିରଫଦାରି ଭୟରେ ଗ୍ରାମର ଆବାଳବୃଦ୍ଧବନିତା ତିନିଦିନ ହେଲା ଜଙ୍ଗଲରେ ପିଲାଛୁଆଙ୍କୁ ଧରି ରହିଛନ୍ତି। ଏଭଳି ଏକ ବିବଦମାନ ଘଟଣାର ସମାଧାନ ପାଇଁ ଆଜି ଅଣ୍ଟା ଭିଡିଛି ବ୍ରାହ୍ମଣୀଗାଁ ଅଞ୍ଚଳର ୮ଟି ପଞ୍ଚାୟତର ଜନପ୍ରତିନିଧି। ଆଲୋଚନା କାଳରେ ଶାନ୍ତି ଫେରାଇ ଆଣିବାକୁ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯିବ ବୋଲି ଏସଡିପିଓ ଜନପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତଥାପି ଭୟଭୀତ ଜନତା ଗ୍ରାମକୁ ଫେରିବାକୁ ସାହସ କରୁନାହାଁନ୍ତି। ଏଭଳି ଅଭାବନନୀୟ ପରିସ୍ଥିତି ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମେରାମାହା ଗ୍ରାମରେ ଦେଖିବାକୁ ମିଳିଛି।
କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ରାଜୀବଗାନ୍ଧି ସେବାକେନ୍ଦ୍ରଠାରେ ଆଜି ମେରାମାହା ଗ୍ରାମ ଘଟଣାକୁ ନେଇ ଦାରିଙ୍ଗବାଡ଼ି ବ୍ଳକ ଉପାଧ୍ୟକ୍ଷ ରମାକାନ୍ତ ବଲ୍ୟାର ସିଂଙ୍କ ଅଧ୍ୟକ୍ଷତାରେ ଅଞ୍ଚଳର ଆଠଗୋଟି ପଞ୍ଚାୟତର ଜନ ପ୍ରତିନିଧି ଓ ବୁଦ୍ଧିଜିବୀଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। କୁମାରପୂର୍ଣ୍ଣମୀ ପୂର୍ବ ଦିନ ସାଦାପୋଷାକରେୀ ପୁଲିସ୍‍ ପାଟ୍ରୋଲିଂରୁ ଫେରୁଥିବା ବେଳେ ଗଦାପୁର ପଞ୍ଚାୟତର ମେରାମାହା ଗ୍ରାମବାସୀ ରାସ୍ତା ଅବରୋଧ କରି ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏହାକୁ ନେଇ ଅଞ୍ଚଳରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ଘଟଣା ପରେ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଲୋକେ ବଣ ଜଙ୍ଗଲକୁ ଚାଲିଯାଇ ତିନିଦିନ ହେଲା ଶୀତକାକରରେ ପିଲାଛୁଆ ସହ ପଡି ରହିଛନ୍ତି। ଏହା ଅତୀବ ନିନ୍ଦନୀୟ ବୋଲି ଜନପ୍ରତିନିଧିମାନେ ବୈଠକରେ କହିଥିଲେ। ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଦିଗରେ ଜନପ୍ରତିନିଧି ଓ କିଛି ବୁଦ୍ଧିଜିବୀ ନିଷ୍ପତ୍ତି ନେଇ ପ୍ରଶାସନ ସହିତ ଆଲୋଚନା କରିବାକୁ ସ୍ଥିର କରିଛନ୍ତି। ବୈଠକ ଚାଲିଥିବା ବେଳେ ବାଲିଗୁଡା ଏସଡିପିଓଙ୍କ ମାନସ ରଂଜନ ବାରିକଙ୍କ ସହ ଉପାଧ୍ୟକ୍ଷ ରମାକାନ୍ତ ବଲ୍ୟାର ସିଂ ଫୋନ ମାଧ୍ୟମରେ ସମସ୍ୟାର ସମାଧାନ ବିଷୟରେ ଆଲୋଚନା କରିଥିଲେ। ଦୁଇଦିନ ପରେ ସେ ବ୍ରାହ୍ମଣୀଗାଁ ଆସି ଲୋକପ୍ରତିନିଧିଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ଏସଡିପିଓ କହିଛନ୍ତି। ଲୋକେ କୌଣସି ପ୍ରକାରେ ଭୟଭୀତ ନ ହେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ଯେଉଁମାନେ ଜଙ୍ଗଲରେ ବର୍ତ୍ତମାନ ଆଶ୍ରୟ ନେଇଛନ୍ତି ସେମାନଙ୍କୁ ନିଜ ନିଜ ଗ୍ରାମକୁ ଫେରାଇ ଆଣିବାକୁ ଏସଡିପିଓ ଜନପ୍ରତିନିଧିଙ୍କୁ ପରାମର୍ଶ ଦେଇଛନ୍ତି। ଏସଡିପିଓଙ୍କ ପ୍ରତିଶ୍ରୁତି ପାଇବା ପରେ ଅଞ୍ଚଳବାସୀ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରିଥିଲେ ହେଁ ଗ୍ରାମବାସୀଙ୍କ ମନରୁ ଭୟ ଦୂର ହୋଇପାରିନି। ବୈଠକରେ ଉପାଧ୍ୟକ୍ଷ ରମାକାନ୍ତ ବଲ୍ୟାରସିଂ ଅଧ୍ୟକ୍ଷତା କରିଥିବା ବେଳେ ଗଦାପୁର ସରପଞ୍ଚ ଆରତୀ ମଲ୍ଲିକ ,ସରାମୂଳୀ ସରପଞ୍ଚ ଚନ୍ଦ୍ରଶେଖର ମୁଠାମାଝୀ , କୁମ୍ଭାରୀଗାଁ ସରପଞ୍ଚ ସୁନାରସିଂ ମାଝୀ ,କାଟିଙ୍ଗିଆ ସମିତିସଭ୍ୟ କରମସିଂ ନାୟକ, ବ୍ରାହ୍ମଣୀଗାଁ ସରପଞ୍ଚ ରମେଶ ମାଝୀ ସମେତ ଅଞ୍ଚଳର କ ବୁଦ୍ଧିଜିବୀ ଉପସ୍ଥିତ ଥିଲେ।
ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ, ମେରାମାହା ଗ୍ରାମ ଜନଶୂନ୍ୟ ରହିଛି। ମଝିରେ ମଝିରେ ପୁଲିସ୍‍ ଗ୍ରାମକୁ ଯାଉଥିବା ଯୋଗୁ ଲୋକେ ଜଙ୍ଗଲରୁ ଫେରିବାକୁ ଇଛା ପ୍ରକାଶ କରୁନାହାଁନ୍ତି। ପୁଲିସ ଭୟରେ ଲୋକେ ଭୋକ ଶୋଷ ଭୂଲି ଯାଇଛନ୍ତି। ଶୀତକୁ ଖାତିର ନକରି ଛୁଆ ପିଲା ସମସ୍ତେ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରୁ ବୁଲୁଛନ୍ତି। ଏଥିରେ ବିଶେଷ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛୋଛୋଟ ପିଲା। ଗିରଫ ଭୟରେ ଅଭିବାବକଙ୍କ ସହିତ ଜଙ୍ଗଲରେ ୬ ମାସର ଶିଶୁ ସମେତ ବହୁ ନାବାଳକ ରହିଛନ୍ତି। ଦୋଷ କଲା କିଏ ଦଣ୍ଡ ଭୋଗୁଛି କିଏ ନ୍ୟାୟରେ ପିଲାମାନେ ଭୋକଶୋଷରେ ବାପା-ମା’ଙ୍କ ସହ ଜଙ୍ଗଲରେ ରହିଛନ୍ତି। ଏଣେ ଶୀତ ପ୍ରକୋପ ବୃଦ୍ଧି ପାଉଥିବାରୁ ଲୋକଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଛି। ଖାଇଲେ କି ନଖାଇଲେ କିଏ ପଚାରିବାକୁ ନାହିଁ। ସବୁସମୟରେ ଲୋକଙ୍କ ମନରେ ଲାଗି ରହିଛି ଏବେ ପୁଲିସ୍‍ ଭୟ। ଏପଟେ ସଶସ୍ତ୍ର ପୁଲିସ୍‍ ଗିରଫ କରିବାକୁ ଗ୍ରାମରେ ତୁହାକୁ ତୁହା ପଇଁତରା ମାରୁଛନ୍ତି । କେବଳ ସେତିକି ନହେଁ , ଜଙ୍ଗଲରେ ଏବେ ଆଶ୍ରୟ ନେଇଛନ୍ତି ଗ୍ରାମ ସ୍କୁଲର ୧୪ ଜଣ ଛାତ୍ରଛାତ୍ରୀ। ୧ମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଏହି ପିଲାମାନେ ମଧ୍ୟ ନିଜ ନିଜ ଅଭିଭାବକଙ୍କ ସହିତ ଜଙ୍ଗଲରେ ରହିଛନ୍ତି।

Comments are closed.