ଭୁଲିଗଲେ ସାମାଜିକ ଦୂରତା, ରାକ୍ଷୀ ଷ୍ଟଲରେ ହାଉଜାଉ

ସାରନଗରୀ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସହର ଓ ଗ୍ରାମ ପଂଚାୟତ ସ୍ତରରେ କରୋନା ମୁକାବିଲା କାର୍ଯ୍ୟକ୍ରମକୁ ତ୍ୱରାନିତ କରାଯିବା ସହ ଅନେକ ସ୍ଥାନରେ ସରପଞ୍ଚ ମାନେ ନିଜ କ୍ଷମତାର ପ୍ରଯୋଗ କରି ସଟ ଡାଉନ ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । କିଛି ଦିନ ତଳେ ଫର୍ଟିଲାଇଜର ଟାଉନସିପ ସମେତ ଜଲଦା ପଂଚାୟତରେ କରୋନା ପଜେଟିଭ ବାହାରିବା ପରେ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ମାତ୍ର ଗତ ଶନିବାର ଠାରୁ ରାଉରକେଲାରେ ଲକ ଡାଉନ ହଟି ଯାଇଥିବା ବେଳେ, ଦିନ ୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ସଟଡାଉନ ଘୋଷଣା ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଥିବା ବେଳେ, କେବଳ ଅଗଷ୍ଟ ୧ ଓ ୨ ତାରିଖ ସଟଡାଉନକୁ କିଛି ମାତ୍ରାରେ କୋହଳ କରାଯାଇଥିଲା । ଫଳସ୍ୱରୂପ ଆଜି ରବିବାର ସକାଳ ୬ଟାରୁ ଦିନ୧ଟା ଯାଏ ସାରନଗରୀର ଅଂଚଳର ଛୋଟ ବଡ଼ ଦୋକାନ ଖୋଲିବାରୁ ବିଭିନ୍ନ ମାର୍କେଟ ଯେପରି ସୁପର ମାର୍କେଟ, ଗଂଜୁ ମାର୍କେଟ, ଚିପ ଟାଇପ ମାର୍କେଟ ସ୍ଥିତ ପରିବା ଓ ମାଛ ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ବିଶେଷ କରି ଆସନ୍ତାକାଲି ସୋମବାର ରାକ୍ଷୀ ପୂର୍ଣ୍ଣିମା ଥିବାରୁ ସାରନଗରୀର ପାଣିଟାଙ୍କି ମାର୍କେଟ, ମଡର୍ଣ୍ଣ ଇଣ୍ଡିଆ, ରଙ୍ଗୋଲି ଛକ, ବାଲିଯୋଡ଼ି, ଜଲଦା ଆଦିରେ ରାକ୍ଷୀ ଷ୍ଟଲ ଗୁଡ଼ିକରେ ରାକ୍ଷୀ କିଣିବା ସମୟରେ ପୁରୁଷ ଓ ମହିଳା ଗ୍ରାହକ ମାନେ ସାମାଜିକ ଦୂରତା ସମୂର୍ଣ୍ଣ ଭାବେ ପାଶୋରି ଯାଇଥିଲେ । କିଛି ଗ୍ରାହକ ଓ ବେପାରୀ ମାନଙ୍କ ମୁହଁରେ ମାସ୍କ ମଧ୍ୟ ନଥିଲା । ପୁଲିସ ପାଟ୍ରୋଲିଂ ସମୟରେ କିଛି ସମୟ ଦୋକାନ ବଜାରରେ କୋଭିଡ଼ ନିୟମକୁ ପାଳନ କରାଯାଉଥିବା ବେଳେ, ପୁଲିସ ଭ୍ୟାନ ଯିବା ପରେ ପୁଣିଥରେ ଅମାନିଆ ଗହଳି ଲାଗୁଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ସ୍ଥାନୀୟ ପୁଲିସ ବିଭିନ୍ନ ଜାଗାରେ ପଇଁତରା ମାରି ଲୋକଙ୍କୁ କୋଭିଡ଼ ନିୟମ ମାନିବାକୁ ଅନୁରୋଧ କରିଥିଲା । ସେହିପରି ଦକ୍ଷିଣ ରାଉରକେଲା ସମେତ ସାରନଗରୀର ଛୋଟ ବଡ଼ ହୋଟେଲରେ ମିଷ୍ଟାନ କିଣିବାକୁ ଗ୍ରାହକଙ୍କ ଭିଡ଼ ଜୁଟିଥିଲା । ଗୋଟିଏ ପଟେ କରୋନାକୁ ପ୍ରତିହତ କରିବା ଲାଗି ପ୍ରଶାସନ ପକ୍ଷରୁ ବିଭିନ୍ନ ରଣନିତୀ ପ୍ରସ୍ତୁତ କରାଯାଉଥିବା ବେଳେ, ଲୋକଙ୍କ ସାମାଜିକ ଦୂରତା ନିୟମ ନମାନିବା, ମାସ୍କ ପରିଧାନ ନକରିବା ନିଶ୍ଚିତ ଭାବେ କରୋନା ସଂକ୍ରମଣକୁ ସ୍ଥାନୀୟ ଅଂଚଳରେ ବଢାଇବା ଆଶଙ୍କାକୁ ଖୋରାକ ଯୋଗାଉଛି ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Comments are closed.