ଗୁରୁଡ଼ିଝାଟିଆ : ଗୁରୁଡ଼ିଝାଟିଆ ପ୍ରାଥମିକ ସେବା ସମବାୟ ସମିତି ଋଣ ଦୁର୍ନୀତି ଏବେ ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିଜ ନିର୍ବାଚନ ମଣ୍ଡଳୀ ଆଠଗଡ଼ରେ ଏଭଳି ଦୁର୍ନୀତି ବିଭାଗର ସ୍ୱଚ୍ଛତା କେତେ ତାହା ବେଶ୍ ବାରି ହୋଇପଡୁଛି। କୃଷକଙ୍କ ନାମରେ ଜାଲିଆତି କରାଯାଇ କୋଟିକୋଟି ଟଙ୍କା ଆତ୍ମସାତ୍ କରାଯାଇଛି। ଖୋଦ ବିଭାଗୀୟ ଉପନିବନ୍ଧକ କଟକଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ଗୁରୁଡିଝାଟିଆ ପୁଲିସ ପ୍ରାୟ ୮ମାସ ପରେ ୭ଜଣ କର୍ମଚାରୀଙ୍କୁ ଗିରଫ କରିଛି। କ୍ଷତିଗ୍ରସ୍ତ କୃଷକମାନେ ଋଣ ନ ନେଇ ଋଣ ଯନ୍ତାରେ ପଡ଼ିଛନ୍ତି। କାହା ନାମରେ ୫୦ହଜାର ତ କାହା ନାମରେ ଲକ୍ଷାଧିକ ଟଙ୍କାର ଋଣଭାର। କେମିତି ଶୁଝିବେ ନିଦ ହେଉନାହିଁ। ଏହା କେବଳ ଅଭିଯୋଗ ନୁହେଁ; ସମବାୟ ବିଭାଗ ଅନୁଧ୍ୟାନ କରି ୧କୋଟି ୯ଲକ୍ଷ ୫୦ ହଜାର ୨୮୦ ଟଙ୍କା ଆତ୍ମସାତ୍ ହୋଇଥିବାର ଥାନାରେ ଅଭିଯୋଗ କରିଛି। ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଗୁରୁଡିଝାଟିଆ ସେବା ସମବାୟ ସମିତିରେ ଋଣ ମହାଦୁର୍ନୀତି କେତେ ବ୍ୟାପକ।
କ୍ଷତିଗ୍ରସ୍ତ କୃଷକମାନେ ବାରମ୍ବାର ବିଭାଗୀୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଗୁହାରି କରିଛନ୍ତି, ହେଲେ ଫଳ ଶୁନ୍। ଏପରି କି ସମବାୟ ଋଣ ମହାଦୁର୍ନୀତି ମାମଲାରେ ଗଣମାଧ୍ୟମରେ ମୁହଁ ଖୋଲୁନାହାନ୍ତି ମନ୍ତ୍ରୀ ଶ୍ରୀ ସ୍ୱାଇଁ। ନିଜକୁ ସବୁବେଳେ ସ୍ୱଚ୍ଛ କହି ବୁଲୁଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ସବୁ କାର୍ଯ୍ୟ କରୁଥିବାର ନାଗରା ପିଟନ୍ତି। ଏପରି କି ଖଟିଖିଆ ମେହନତି କୃଷକମାନଙ୍କ ସାଥୀ ବୋଲି ମଧ୍ୟ କହିଥାନ୍ତି। ଦୁର୍ନୀତି ମୋ ପାଖ ମାଡିବ ନାହିଁ; କିନ୍ତୁ ନିଜ ବିଭାଗରେ ଏବଂ ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ସମବାୟ ସମିତି ମହାଦୁର୍ନୀତି ଏହା କ’ଣ ତାଙ୍କ ପାରିବାପଣିଆ ପ୍ରତି ଅଙ୍ଗୁଳି ନିର୍ଦେଶ କରୁନାହିଁ କି ବୋଲି ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଉମାବଲ୍ଲଭ ରଥ ପ୍ରଶ୍ନ କରିଛନ୍ତି? ଏହା କ’ଣ ତାଙ୍କ ବିଭାଗ ପ୍ରତି ଦୁର୍ନୀତିର ଛିଟା ନୁହେଁ କି ବୋଲି କ୍ଷତିଗ୍ରସ୍ତ କୃଷକମାନେ ମଧ୍ୟ କହିବାକୁ ପଛାଇ ନାହାନ୍ତି। ସବୁ ସମୟରେ ସତ୍ୟର ସଦା ଜୟ ବୋଲି କହୁଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ କ’ଣ ପାଇଁ ଗଣମାଧ୍ୟମକୁ ଆସି ନିଜ ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ ହୋଇଥିବା ସମବାୟ ସମିତି କୃଷିଋଣ ମହାଦୁର୍ନୀତି ସଂପର୍କରେ ମୁହଁ ଖୋଲୁନାହାନ୍ତି? ଜନସାଧାରଣ ଶ୍ରଦ୍ଧା ଭଲପାଇବାକୁ ଭୋଟ ମାଧ୍ୟମରେ ଦେଇ ବିଧାନସଭାକୁ ପଠାଇଛନ୍ତି। ୩୦ବର୍ଷରୁ ଊର୍ଦ୍ଧ୍ବ ସମୟ ବିଧାନସଭାର ସଦସ୍ୟ ହେବା ପାଇଁ ସ୍ଥାନୀୟ ଜନସାଧାରଣ ଦେଇଛନ୍ତି ଆଶୀର୍ବାଦ। ହେଲେ ତା ପ୍ରତିବଦଳରେ ଗରିବ ଖଟିଖିଆ କୃଷକଙ୍କ ନାମରେ ଋଣ ଆତ୍ମସାତ। ଏହା ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ କିଭଳି ବ୍ୟଥିତ କରୁନାହିଁ ବୋଲି ଶ୍ରୀ ରଥ ପ୍ରଶ୍ନ କରିଚନ୍ତି ? ଏହା କ’ଣ ଜଣେ କର୍ତ୍ତବ୍ୟନିଷ୍ଠ ସଚ୍ଚୋଟ ଓ ଅନୁଭବୀ ନେତାର କାମ କି ବୋଲି ସାଧାରଣରେ ଆଲୋଚିତ ହେଉଛି। କେବଳ ସେତିକି ନୁହେଁ; ନିଜ ଭାଇ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଥିବାବେଳେ ସ୍ଥାନୀୟ ବିଧାୟକ ଶ୍ରୀ ସ୍ୱାଇଁ ସମବାୟ ବିଭାଗର ମନ୍ତ୍ରୀ ଅଟନ୍ତି। ଏଭଳି ସ୍ଥିତିରେ ପ୍ରାଥମିକ ସେବା ସମବାୟ ସମିତିରୁ କୋଟି କୋଟି ଟଙ୍କା ମହାଦୁର୍ନୀତି ଏକ ବିଡମ୍ବନାର ବିଷୟ। କଣ ପାଇଁ ଆଠଗଡ଼ ଅଞ୍ଚଳର ସମସ୍ତ ସେବା ସମବାୟ ସମିତିର ଋଣ ଗ୍ରହୀତାଙ୍କ ତାଲିକା ପ୍ରଦର୍ଶିତ କରାଯାଉନାହିଁ। କୃଷକମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହାକୁ କାହିଁକି ସାମ୍ନା କରୁନାହାନ୍ତି। ତେଣୁ କେହି କେହି କହିବାକୁ ପଛାଉନାହାନ୍ତି ଗଣମାଧ୍ୟମ ନିକଟରେ ମୁହଁ ନ ଖୋଲିବା ସହିତ କ୍ଷତିଗ୍ରସ୍ତ କୃଷକଙ୍କ ଅଭିଯୋଗକୁ ସଠିକ୍ ଢଙ୍ଗରେ ସାମ୍ନା ନ କରିବା ପଛରେ ଅଣ୍ଟି ପୋଡ଼ିଯିବାର ଭୟ ନୁହେଁ ତ? ଏହା ପୂର୍ବରୁ ସମବାୟ ବିଭାଗର ଅଖା କିଣା ଦୁର୍ନୀତିରେ ବ୍ୟାପକ ଲୁଟ୍ ଅଭିଯୋଗ ହୋଇଥିବାବେଳେ ଏନେଇ ତଦନ୍ତର ଶିଥିଳତା ମଧ୍ୟ ମନ୍ତ୍ରୀ ଶ୍ରୀ ସ୍ବାଇଁଙ୍କ ସାଧୁତାକୁ ଏବେ କାଠଗଡ଼ାରେ ଛିଡ଼ା କରାଇଛି। ସେବା ସମବାୟ ଦୁର୍ନୀତି ଘଟଣାରେ ମନ୍ତ୍ରୀଙ୍କ ନୀରବତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଥିବା କ୍ଷତିଗ୍ରସ୍ତ କୃଷକମାନେ ଅଭିଯୋଗ କରିଛନ୍ତି।
ସେବା ସମବାୟ ସମିତି ଋଣ ମହାଦୁର୍ନୀତି ; ମନ୍ତ୍ରୀଙ୍କ ନୀରବତାକୁ ନେଇ ବଢ଼ୁଛି ସନ୍ଦେହ
Popular Categories



