www.samajalive.in
Wednesday, December 10, 2025
23.1 C
Bhubaneswar

ବାରମ୍ବାର ପରାଜୟ ଉପରେ ବିଦ୍ରୋହୀଙ୍କ ପ୍ରହାର; ଶନିବାର ସୋନିଆଙ୍କ ଶୀର୍ଷ ବୈଠକରେ ହେବ ସମାଧାନ

ନୂଆଦିଲ୍ଲୀ: କଂଗ୍ରେସରେ ଦୀର୍ଘଦିନ ଧରି ଚାଲିଛି ବିବାଦ । ଯଦିଓ କଂଗ୍ରେସରେ ବିବାଦ ଏକ ନିୟମିତ କାର୍ଯ୍ୟକ୍ରମ (!) ତଥାପି ଏବର ସ୍ଥିତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଇତିମଧ୍ୟରେ ପରଲୋକଗତ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ସୋନିଆଙ୍କ ପରାମର୍ଶଦାତା ଅହମ୍ମଦ ପଟେଲଙ୍କ ଅବର୍ତମାନରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହାକୁ ଦୂର କରିବା ଏବଂ କୃଷକ ଆନ୍ଦୋଳନରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଆସନ୍ତାକାଲି ଶୀର୍ଷନେତାମାନଙ୍କର ବୈଠକ ଡ଼କାଯାଇଛି ବୋଲି କୁହାଯାଉଥିଲେ ହେଁ ବାସ୍ତବରେ ଏହାର ବାସ୍ତବ କାରଣ ସମ୍ପୂର୍ଣ୍ଣ ଭିନ୍ନ । ଏହି ବୈଠକରେ ଦଳର ଆଗାମୀ ସଭାପତି ନିର୍ବାଚନ ସମ୍ପର୍କରେ ଆଲୋଚନା ହେବ ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଦଳର ନେତୃତ୍ବ ପ୍ରସଙ୍ଗ ନେଇ ଯେଉଁ ନେତାମାନେ ଚିଠି ଲେଖି ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଥିଲେ ସେମାନଙ୍କୁ ମଧ୍ୟ ଏହି ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି । ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ଶଶି ଥରୁରଙ୍କୁ ବୈଠକରେ ଯୋଗ ଦେବାକୁ ସୋନିଆ ନିମନ୍ତ୍ରଣ କରିଛନ୍ତି ।

ପ୍ରଥମ ପ୍ରସଙ୍ଗ: ନିର୍ବାଚନରେ କ୍ରମାଗତ ପରାଜୟ

- Advertisement -

୨୦୧୪ ସାଧାରଣ ନିର୍ବାଚନ ଓ ଏହାପରେ ଅନୁଷ୍ଠିତ ସମସ୍ତ ନିର୍ବାଚନରେ ଦଳର ସ୍ଥିତି ଆଦୌ ଭଲ ନୁହେଁ । ବିଭିନ୍ନ ବିଧାନସଭା ନିର୍ବାଚନରେ ଦଳ ଅତ୍ୟନ୍ତ ନୈରାଶ୍ୟଜନକ ଫଳାଫଳ ପ୍ରଦର୍ଶନ କରିଛି । ୨୦୧୯ ଲୋକସଭା ନିର୍ବାଚନ ଠାରୁ ଆରମ୍ଭ କରି ନିକଟରେ ଶେଷ ହୋଇଥିବା କେରଳ ପୌର ପରିଷଦ, ଗୋଆ ପୌର ପରିଷଦ ଓ ହାଇଦ୍ରାବାଦ ମହାନଗର ନିର୍ବାଚନରେ ଦଳ ଅତ୍ୟନ୍ତ ଖରାପ ଫଳ ପ୍ରଦର୍ଶନ କରିଛି । ରାଜ୍ୟରେ କଂଗ୍ରେସ ନେତୃତ୍ବାଧୀନ ସରକାର ଥିବା ସତ୍ବେ ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦଳ ପରାଜିତ ହୋଇଛି । ତେଲଙ୍ଗାନାରେ କଂଗ୍ରେସ ଭୋଟବ୍ୟାଙ୍କ ବିଜେପି ଅକ୍ତିଆର କରିଛି । ଏହି ସ୍ଥିତିରେ ଆଗାମୀ ଦିନରେ ଦଳ ପାଇଁ ସୃଷ୍ଟି ହୋଇଥିବା ଆହ୍ବାନ କଂଗ୍ରେସର ଶୀର୍ଷ ନେତାଙ୍କୁ ଅସନ୍ତୁଷ୍ଟ ନେତାଙ୍କ ସହ ବୁଝାମଣା କରିବାକୁ ବାଧ୍ୟ କରିଛି ।

ଦ୍ବିତୀୟ ପ୍ରସଙ୍ଗ: ଅନୁଗତଙ୍କ ପରିବର୍ତ୍ତେ ବରିଷ୍ଠ ନେତାଙ୍କୁ ସମ୍ମାନ

ଗତ କିଛିଦିନ ତଳେ ଦଳର ନେତୃତ୍ବ ନେଇ ଚିଠି ଲେଖିଥିବା ନେତାମାନଙ୍କୁ ଯେଉଁପରି ଦଳର ଅନ୍ୟ ନେତାମାନେ ବ୍ୟବହାର କରିଥିଲେ ତାହା କର୍ମୀମାନଙ୍କୁ ଓ ଦଳର ପୁରୁଣା ନେତାମାନଙ୍କୁ କ୍ଷୁବ୍ଧ କରିଥିଲା । ଏହି ସ୍ଥିତିରେ ଅସନ୍ତୁଷ୍ଟ ନେତାମାନଙ୍କୁ ବୈଠକକୁ ଡ଼ାକି ସୋନିଆ ଏକ ଭିନ୍ନ ବାର୍ତା ଦେବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି । କେବଳ ଅନୁଗତ ନୁହନ୍ତି, ବରିଷ୍ଠ ନେତାମାନଙ୍କୁ ମଧ୍ୟ ଦଳ ସମ୍ମାନ କରେ ବୋଲି ସୋନିଆ ଏକ ବାର୍ତା ଦେବାକୁ ଉଚିତ୍ ମଣିଛନ୍ତି । ଅବଶ୍ୟ ସେତେବେଳେ ଚିଠି ଲେଖିଥିବା ୨୫ ନେତାଙ୍କ ସଂଖ୍ୟା ଏବେ ୫କୁ ଖସି ଆସିଛି । ଗୁଲାମ ନବୀ ଆଜାତ, ଆନନ୍ଦ ଶର୍ମା, କପିଲ ସିବଲ, ମନୀଷ ତିୱାରୀ ଓ ଶଶି ଥରୁରଙ୍କ ବ୍ୟତୀତ ଅନ୍ୟ କେହି ସେହି ପ୍ରସଙ୍ଗ ଉଠାଉ ନାହାନ୍ତି ।

ତୃତୀୟ ପ୍ରସଙ୍ଗ: ଦଳ ମଧ୍ୟରେ ଏକତାର ବାର୍ତା 

ଦଳରେ କୌଣସି ବିଦ୍ଵେଷ ନାହିଁ । ଦଳ ଏକାଠି ଅଛି ଓ ଭବିଷ୍ୟତରେ ଏକତ୍ରିତ ହୋଇ ନିର୍ବାଚନ ଲଢ଼ିବ ବୋଲି ଏକ ବାର୍ତା ଆସନ୍ତାକାଲି ବୈଠକ ଜରିଆରେ ଦେବାକୁ ସୋନିଆ ଚାହିଁଛନ୍ତି । କଂଗ୍ରେସର ସମସ୍ତ ନିଷ୍ପତ୍ତି ଗାନ୍ଧୀ ପରିବାର ନିଏ ବୋଲି ଏକ ଧାରଣା ସବୁବେଳେ ରହି ଆସିଛି । ମାତ୍ର ଭବିଷ୍ୟତରେ କୌଣସି ନିଷ୍ପତ୍ତି କେବଳ ଗାନ୍ଧୀ ପରିବାର ନେବ ନାହିଁ, ଦଳର ନେତାମାନେ ନେବେ ବୋଲି ଏକ ବାର୍ତା ଦେବାକୁ ସୋନିଆ ଉଦ୍ୟମ କରିଛନ୍ତି । କଂଗ୍ରେସ ଏକ ଗଣତାନ୍ତ୍ରିକ ଦଳ ଓ ବ୍ୟକ୍ତି ନୁହେଁ ବ୍ୟଷ୍ଟି ହିଁ ସହମତି ଭିତ୍ତିରେ ନିଷ୍ପତ୍ତି ନେବ ବୋଲି ଏକ ଧାରଣା ସୃଷ୍ଟି କରିବା ଲାଗି ଉଭୟ ବିଶ୍ବସ୍ତ ଓ ଅସନ୍ତୁଷ୍ଟଙ୍କୁ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଛି ।

୪ର୍ଥ ପ୍ରସଙ୍ଗ: ସାଙ୍ଗଠନିକ ନିର୍ବାଚନ
ଆସନ୍ତା ବର୍ଷ ଜାନୁଆରୀ-ଫେବ୍ରୁଆରୀରେ କଂଗ୍ରେସର ସଭାପତି ନିର୍ବାଚନ ହେବ । ଗତ ଅଗ​‌ଷ୍ଟ ମାସରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇ ୬ ମାସ ମଧ୍ୟରେ ସଭାପତି ନିର୍ବାଚନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଭୋଟର ତାଲିକା ସଂକଳନ କରିବାର ପ୍ରକ୍ରିୟା ଶେଷ ହୋଇଛି ଏବଂ ଖୁବ ଶୀଘ୍ର ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ହେବବୋଲି ଆଶା କରାଯାଉଛି । ଆସନ୍ତା ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବା ପୂର୍ବରୁ ଦଳ ଏହି ନିର୍ବାଚନ ପ୍ରକ୍ରିୟାକୁ ଶେଷ କରିବାକୁ ଚାହୁଁଛି ଏବଂ ରାହୁଳଙ୍କୁ ସହମତି ଭିତ୍ତିରେ ସଭାପତି କରିବା ପାଇଁ ଅସନ୍ତୁଷ୍ଟ ନେତାମାନଙ୍କୁ ପ୍ରବର୍ତାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଅନୁରୂପ ଭାବରେ ୧୩୬ ବର୍ଷର କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ଆସନ୍ତା ଡ଼ିସେମ୍ବର ୨୮ ତାରିଖରେ ହେବାକୁ ଯାଉଛି । ଏହା ପୂର୍ବରୁ ଦଳ ମଧ୍ୟରେ ରହିଥିବା ମତଭେଦ ଦୂର କରି ଭବିଷ୍ୟତ ଲାଗି ରାଜନୈତିକ ମାନଚିତ୍ର ପ୍ରସ୍ତୁତ ପାଇଁ ଆସନ୍ତାକାଲି ବୈଠକ ସୋନିଆ ଡ଼ାକିଛନ୍ତି ବୋଲି କୁହାଯାଉଛି ।

Hot this week

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

Related Articles

Popular Categories