କ୍ରସ୍‌ ଭୋଟିଂର ତଦନ୍ତ କରିବ କଂଗ୍ରେସ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ଅନୁଷ୍ଠିତ ମତଦାନରେ କ୍ରସ୍‌ ଭୋଟିଂକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏଥିରେ ମୋଟ ୧୭ ସାଂସଦ ଓ ବିଭିନ୍ନ ରାଜ୍ୟର ୧୨୦ ବିଧାୟକ ନିଜ ଦଳର ନିଷ୍ପତ୍ତି ବିରୋଧରେ ଯାଇ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍‌ ଦେଇଥିଲେ। ଏମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ କଂଗ୍ରେସ ସଦସ୍ୟ। ଗୁଜରାତ୍‌ର ୭ କଂଗ୍ରେସ ବିଧାୟକ ମୁର୍ମୁଙ୍କ ସପକ୍ଷରେ ମତଦାନ କରିଥିବାବେଳେ ଆସାମ, ମଧ୍ୟପ୍ରଦେଶରୁ ସର୍ବାଧିକ ପ୍ରାୟ ୨୦ପ୍ରତିଶତ ବିଧାୟକ କ୍ରସ୍‌ ଭୋଟିଂ କରିଥିଲେ। ଗୁଜରାତ ବିଧାନସଭାର ବିଜେପିର ସଦସ୍ୟ ସଂଖ୍ୟା ୧୧୧ ଥିବାବେଳେ ମୁର୍ମୁଙ୍କ ସପକ୍ଷରେ ୧୨୧ ଜଣଙ୍କ ଭୋଟ୍‌ ପଡ଼ିଥିଲା। ଏହି ଅଧିକ ୧୦ ଭୋଟ୍‌ ମଧ୍ୟରୁ କଂଗ୍ରେସର ୭ ଥିଲା। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ଦଳ ଏବେ ଏହାକୁ ହଜମ କରିପାରୁ ନାହିଁ। ଦଳ ପକ୍ଷରୁ ଏହି ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। କେଉଁମାନେ କ୍ରସ୍‌ ଭୋଟିଂ କରି ଚୁପ୍‌ ବସିଛନ୍ତି ସେମାନଙ୍କୁ ଖୋଜିବା ପାଇଁ କଂଗ୍ରେସ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ସେହିପରି ଅନ୍ୟ ରାଜ୍ୟଗୁଡ଼ିକର କଂଗ୍ରେସ ସଂଗଠନରେ କ୍ରସ୍‌ ଭୋଟିଂ କରିଥିବା ସଦସ୍ୟଙ୍କ ବିରୋଧରେ କର୍ମୀମାନେ ସ୍ବର ଉତ୍ତୋଳନ କରିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର୍‌ ଧରିଛି। ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ନିର୍ବାଚନରେ ବିଧାୟକ ଓ ସାଂସଦଙ୍କ ପ୍ରତି ଦଳୀୟ ହ୍ବିପ୍‌ କାର୍ଯ୍ୟକାରୀ ହେବାର ନିୟମ ନ ଥିବାରୁ କ୍ରସ୍‌ ଭୋଟିଂ ଉପରେ କୌଣସି ନିୟନ୍ତ୍ରଣ ନ ଥାଏ।

Comments are closed.