ଲକ୍ଷ୍ନୌ: କଂଗ୍ରେସ ମୁସଲିମ୍ ଲିଗ୍ ଭାଇରସ୍ରେ ସଂକ୍ରମିତ ହୋଇଛି। ଏଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ନିଜ ଟ୍ବିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, ‘୧୮୫୭ ସ୍ବାଧୀନତା ସଂଗ୍ରାମରେ ମଙ୍ଗଲ ପାଣ୍ଡେଙ୍କ ସହିତ ପୂରା ଦେଶ ଏକାଠି ହୋଇ ବ୍ରିଟିଶ ସରକାର ବିରୋଧରେ ଲଢ଼େଇ କରିଥିଲା। କିନ୍ତୁ ମୁସଲିମ୍ ଲିଗ୍ର ଭାଇରସ୍ ଆସିଲା ଏବଂ ଏଭଳି ବ୍ୟାପିଲା ଯେ ଦେଶ ବିଭାଜିତ ହୋଇଗଲା। ଆଜି ପୁନର୍ବାର ସେହି ବିପଦ ମାଡ଼ି ଆସୁଛି। କଂଗ୍ରେସ ମୁସଲିମ୍ ଲିଗ୍ ଭାଇରସରେ ସଂକ୍ରମିତ ହୋଇଛି। ଏହା ଏମିତି ଏକ ଭାଇରସ, ଏଥିରେ ସଂକ୍ରମିତ ବ୍ୟକ୍ତି ବଞ୍ଚିବା ମୁସ୍କିଲ। ସମସ୍ତେ ସାବଧାନ ରୁହନ୍ତୁ।’ ଯଦି ଆଗାମୀ ନିର୍ବାଚନରେ କଂଗ୍ରେସ ଜିତିଯାଏ, ଦେଶସାରା ଭାଇରସ ବ୍ୟାପିଯିବ।’
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ୱାୟନାଡରୁ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଯୋଗୀ ଏଭଳି କହିଛନ୍ତି। ମୁସଲିମ ଲିଗ୍କୁ ସେ ‘ଭାଇରସ’ ବୋଲି ସମ୍ବୋଧନ କରିଛନ୍ତି। କାରଣ କଂଗ୍ରେସ ନେତୃତ୍ଵାଧୀନ ୟୁଡିଏଫ କେରଳରେ ସରକାର ଗଢ଼ିଥିବାବେଳେ ଇଣ୍ଡିଆନ ୟୁନିୟନ ମୁସଲିମ୍ ଲିଗ୍ ଏହାର ପାରମ୍ପରିକ ସହଯୋଗୀ ଦଳ ଭାବେ ରହିଆସିଛି। ତେଣୁ କଂଗ୍ରେସକୁ ଟାର୍ଗେଟ କରି ଏହି ଦଳ ମୁସଲିମ ଲିଗ ‘ଭାଇରସ’ରେ ସଂକ୍ରମିତ ହୋଇଛି ବୋଲି ଯୋଗୀ କହିଛନ୍ତି।


