ୟେଦୁରପ୍ପା ଦିନକ ପାଇଁ ମୁଖ୍ୟମନ୍ତ୍ରୀ : କଂଗ୍ରେସ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ବି.ଏସ୍‍ ୟେଦୁରପ୍ପା ଶପଥ ଗ୍ରହଣ କରିଛନ୍ତି। ବିଧାନସଭା ନିର୍ବାଚନରେ ବହୁମତ ପାଇନଥିଲେ ମଧ୍ୟ ବିଜେପିକୁ ସରକାର ଗଢିବା ପାଇଁ ରାଜ୍ୟପାଳ ସୁଯୋଗ ଦେଇଛନ୍ତି। ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଶୁକ୍ରବାର ସକାଳେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ। ଇତି ମଧ୍ୟରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ ୟେଦୁରପ୍ପା ମାତ୍ର ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହାସହ ସେ ରାଜ୍ୟପାଳ ବିଜୁଭାଇ ବାଲାଙ୍କ ଉପରେ ବର୍ଷିଛନ୍ତି। ସୁରଜେୱାଲା କହିଛନ୍ତି ଯେ ବିଜୁଭାଇ ପ୍ରଥମେ ନରେନ୍ଦ୍ର ମୋଦିଙ୍କ ପାଇଁ ନିଜ ଆସନର ବଳିଦାନ ଦେଇଥିଲେ। ଆଉ ଏବେ ମୋଦିଙ୍କ ପାଁଇ ସେ ସମ୍ବିଧାନ ଏବଂ ଗଣତନ୍ତ୍ରର ବଳି ଦେଇଛନ୍ତି। କଂଗ୍ରେସ ନିଜ ବିଧାୟକଙ୍କୁ ବିଜେପି ପଟକୁ ଯିବାରୁ ରୋକିବାକୁ ସମସ୍ତ କଳବଳ କୌଶଳ ଲଗାଇ ଦେଇଛି। କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ଅଶୋକ ଗେହଲୋଟ, ମଲ୍ଲିକାର୍ଜୁନ ଖଡଗେ, କେସି ବେଣୁଗୋପାଳ ଓ ଅନ୍ୟ ବିଧାୟକମାନେ ବିଧାନସଭା ନିକଟ ଗାନ୍ଧିମୂର୍ତ୍ତି ନିକଟରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଗୋଟିଏ ଦିନ ପରେ ସବୁ ଓଲଟପାଲଟ ହୋଇଯିବ, ଜେଡିଏସ୍‍ ଏବଂ କଂଗ୍ରେସ ସରକାର ଗଢିବେ ବୋଲି ସେମାନେ ଦାବି କରିଛନ୍ତି। ତେଣୁ ୟେଦୁରପ୍ପା ମାତ୍ର ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି ସେମାନେ କଟାକ୍ଷ କରିଛନ୍ତି।

Leave A Reply