ପୁଣି ୫ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟ ସରକାର ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ୫ ଦୁର୍ନୀତିଗ୍ରସ୍ତ ଓ ଅପାରଗ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହି ୫ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ଆଇ.ଟି.ଡି.ଏର ଆସିଷ୍ଟାଣ୍ଟ ଇଂଜିନିୟର ସନ୍ତୋଷ କୁମାର ଦାସ। ତାଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ତାଙ୍କ ବିରୋଧରେ ୨.୮୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରହିଛି । ସେଥିପାଇଁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

ସେହିପରି ଜଗତସିଂହପୁର ଜିଲ୍ଲା ବାଲିକୁଦାର ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସରଳା ଦେଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ୨୦ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ।

prayash

ଜଗତସିଂହପୁର ବାଲିକୁଦାର ଅଙ୍ଗନୱାଡି ସୁପରଭାଇଜର ପ୍ରତିମା ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ଅଛି। ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡ଼ିଥିଲେ। ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।

ଅପରପକ୍ଷେ ଅନୁଗୁଳ ପୁଲିସ ଟ୍ରେନିଂ କଲେଜର ପୁଲିସ ଇନ୍‌ସପେକ୍ଟର ରାମଚନ୍ଦ୍ର ବେହେରାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ଅପାରଗତା ଓ ବିଶୃଙ୍ଖଳ ଆଚରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି କେନ୍ଦୁଝର ଜିଲ୍ଲା ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଜମିଜମା ମାପଚୁପ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡ଼ିଥିଲେ।

ସୂଚନାଯୋଗ୍ୟ, ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

Comments are closed.