ନଳିନୀଙ୍କ ବିରୋଧରେ ପଦଲାଭ ଅଭିଯୋଗ, ଶନିବାର ସକାଳ ପର୍ଯ୍ୟନ୍ତ ଉତ୍ତର ଦେବା ପାଇଁ ସମୟ

ସମ୍ବଲପୁର: ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜି ଉଠିଥିବା ବେଳେ ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ଗୁରୁବାର ଦିନ ସରିଯାଇଛି। ଏଣୁ ନାମାଙ୍କନ ଦାଖଲ ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ନାମାଙ୍କନଗୁଡିକର ଯାଞ୍ଚ ରିଟର୍ଣ୍ଣିଂ ଅଫିସର କରୁଛନ୍ତି। ଏହି ପ୍ରକ୍ରିୟା ସମୟରେ ସମ୍ବଲପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ନିତିନ ଗଙ୍ଗଦେବ ବିପକ୍ଷ ବିଜେଡି ଦଳର ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଦାଖଲ କରିଥିବା ନାମାଙ୍କନ ପତ୍ରରେ ତଥ୍ୟ ଲୁଚାଇବା ଓ କେତେକ ସ୍ଥାନରେ ତଥ୍ୟ ଦେଇ ନ ଥିବାର ଅଭିଯୋଗ ରିର୍ଟର୍ଣ୍ଣିଂ ଅଫିସରଙ୍କୁ କରିଛନ୍ତି। ଶୁକ୍ରବାର ଦ୍ୱିପହର ପ୍ରାୟ ୨ଟାରେ ସ୍ଥାନୀୟ କଚେରୀ ରୋଡସ୍ଥିତ ବିଜେପିର କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୁଚନା ବିଜେପି ପ୍ରାର୍ଥୀ ନିତିନ ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୁଚନାନୁଯାୟୀ, ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ସୁପ୍ରିମ କୋର୍ଟ ଦେଇଥିବା ନିର୍ଦ୍ଦେଶର ଉଲ୍ଲଙ୍ଘନ କରି ସେ ଲାଭଜନିତ ପଦରେ ରହିଥିବା ବେଳେ ତାହା ନାମାଙ୍କନ ପତ୍ର ସମୟରେ ଉଲ୍ଲେଖ କରି ନାହାନ୍ତି। ଏହା ସହିତ ନାମାଙ୍କନ ପତ୍ରର ବହୁ ସ୍ଥାନ ନଳିନୀକାନ୍ତ ଖାଲି ଛାଡି ଦେଇଛନ୍ତି। ନିତିନଙ୍କ ଓକିଲ ତଥା ହାଇକୋର୍ଟର ଓକିଲ ସିର୍ଦ୍ଧାଥ ପ୍ରସାଦ ଦାଶଙ୍କ ସୁଚନାନୁଯାୟୀ, ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବିଜେଡି ପ୍ରାଥୀ ନଳିନୀକାନ୍ତ ପ୍ରଧାନ ରାଜ୍ୟର ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶା ପୁଲିସ ହାଉସିଂ ଓ ୱେଲଫେୟାର କର୍ପୋରେସନର ନୋମିନୀ ଡାଇରେକ୍ଟର ଏବଂ ଓଡିଶା ନିର୍ମାଣ କର୍ପୋରେସନ ଲିମିଟେଡର ଡାଇରେକ୍ଟର ପଦରେ ରହିଛନ୍ତି। ଏ ସର୍ମ୍ପକରେ ଆବଶ୍ୟକୀୟ କାଗଜପତ୍ର ରିର୍ଟର୍ଣ୍ଣିଂ ଅଫିସରଙ୍କୁ ଦିଆଯାଇଛି। ଏହା ସହିତ ସୁପ୍ରିମକୋର୍ଟ ୨୦୦୬ରେ ଦେଇଥିବା ଏକ ନିର୍ଦ୍ଦେଶାନାମାର କପି ମଧ୍ୟ ଏଥିରେ ସଂଲଗ୍ନ କରାଯାଇଛି ବୋଲି ଓକିଲ ସିର୍ଦ୍ଧାଥ ଦାସ କହିଛନ୍ତି।

୨୦୦୬ ମସିହାରେ ବିଖ୍ୟାତ ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ରାଜ୍ୟସଭାର ସାଂସଦ ରହିଥିବା ବେଳେ ସେହି ସମୟରେ ସେ ଉତ୍ତର ପ୍ରଦେଶ ଫିଲ୍ମ ଡେଭଲପମେଣ୍ଟ କାଉନସିଲର ଚେୟାରପର୍ସନ ମଧ୍ୟ ଥିଲେ। ଏକ ସଙ୍ଗରେ ଦୁଇଟି ଲାଭଜନିତ ପଦ ରଖିଥିବା ମାମଲା ସୁପ୍ରିମକୋର୍ଟରେ ରୁଜୁ ହୋଇଥିଲା ଏବଂ ଶେଷରେ ସୁପ୍ରିମକୋର୍ଟର ନିର୍ଦ୍ଦେଶରେ ଜୟା ବଚ୍ଚନଙ୍କୁ ରାଜ୍ୟସଭା ପଦରୁ ଇସ୍ତାଫା ଦେବାକୁ ପଡିଥିଲା। ଏହା ସହିତ ନିର୍ବାଚନ କମିଶନର ନିର୍ଦ୍ଦେଶାନୁଯାୟୀ ପ୍ରାର୍ଥୀ ପତ୍ର ଦାଖଲ ସମୟରେ କୌଣସି ସ୍ଥାନ ଖାଲି ଛାଡି ପାରିବେ ନାହିଁ। ଯଦି ଛାଡିଥାନ୍ତି ତାହା ହେଲେ ପ୍ରାର୍ଥୀ ପତ୍ର ଖାରଜ ହୋଇପାରେ। କିନ୍ତୁ ନଳିନୀକାନ୍ତ ତାଙ୍କର ପ୍ରାର୍ଥୀ ପତ୍ରରେ ବହୁ ସ୍ଥାନ ଖାଲି ରଖିଛନ୍ତି। ନଳିନୀକାନ୍ତ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଲାଭଜନିତ ପଦର ନିୟମ ଉଲ୍ଲଙ୍ଘନ ଓ ତଥ୍ୟ ପରିବେଷଣ ନ କରିବାକୁ ଭିତ୍ତି କରି ରିର୍ଟର୍ଣ୍ଣିଂ ଅଫିସରଙ୍କୁ ଅଭିଯୋଗ କରାଯାଇଛି ବୋଲି ନିତିନଙ୍କ ଓକିଲ ସିର୍ଦ୍ଧାଥ କହିଛନ୍ତି।

ବିଜେପିର ଏହି ଅଭିଯୋଗର ଉତ୍ତର ଦେବା ପାଇଁ ପ୍ରତିପକ୍ଷ ଗୋଟିଏ ଦିନର ସମୟ ମାଗିବାରୁ ଶନିବାର ୧୦ଟା ୪୫ ପର୍ଯ୍ୟନ୍ତ ସମୟ ରିର୍ଟର୍ଣ୍ଣିଂ ଅଫିସର ଦେଇଛନ୍ତି। ଏଣୁ ଶୁ୍‍କ୍ରବାର ଅପରାହ୍ନରେ ସମ୍ବଲପୁର ଲୋକସଭା ପାଇଁ ଯୋଗ୍ୟ ପ୍ରାର୍ଥୀ ଘୋଷଣା କରାଯିବାକୁ ଶନିବାର ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି ବୋଲି ଜଣାପଡିଛି। ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ବିଧାନସଭା ପ୍ରାର୍ଥୀ ପୁର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ରେଙ୍ଗାଲୀ ବିଧାନସଭା ପ୍ରାର୍ଥୀ ନାଉରୀ ନାୟକ, ଜୋନ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଲିଗାଲ ସେଲ ସଂଯୋଜକ ସଚ୍ଚିକାନ୍ତ ଦାସଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।

Comments are closed.