ବାରିପଦା : ଛାତ୍ରାବାସର ଅନ୍ତେବାସୀଙ୍କୁ ହଷ୍ଟେଲର ଅଧ୍ୟକ୍ଷା ତଥା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନାନାଭାବେ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ସଂପର୍କରେ ଗୁହାରି କରିବା ସକାଶେ ୧୭ ଜଣ ଛାତ୍ର ଦୀର୍ଘ ୧୩ କିଲୋମିଟର ରାସ୍ତା ଚାଲି ଚାଲି ଆସି ଆଜି ପୂର୍ବାହ୍ନ ୭ଟା ସମୟରେ ଏଠାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ବାରଣ୍ଡାରେ ଛିଡା ହୋଇ ରହିଥିଲେ। ଏହି ଖବର ଜଣାପଡିବା ମାତ୍ରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଲୋକାରଣ୍ୟ ହୋଇଯାଇଥିଲା।
ଏଠାରୁ ୧୩ କିଲୋମିଟର ଦୂର ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ କେନ୍ଦୁଆସ୍ଥ ନୋଡାଲ ହାଇସ୍କୁଲର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ୪୦ ଜଣ ଛାତ୍ର ସେବାଶ୍ରମରେ ରହୁଥିବା ବେଳେ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ୧୧୦ ଜଣ ଛାତ୍ରୀ ଅନ୍ୟ ଏକ ଛାତ୍ରୀନିବାସରେ ରହନ୍ତି। ସେବାଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୭ ଜଣ ଛାତ୍ର ଆଜି କୋହଲା ପାଗ ସହ ପ୍ରବଳ ଥଣ୍ଡାକୁ ଭ୍ରୁକ୍ଷେପ ନ କରି ଚାଲି ଚାଲି ଆସି ଏଠାରେ ପହଞ୍ଚିଥିଲେ। ସେମାନଙ୍କ ସହିତ କେନ୍ଦୁଆ ପଞ୍ଚାୟତ ସମିତି ସଦସ୍ୟା ମଲ୍ଲୀ ମାଝି ମଧ୍ୟ ଆସିଥିଲେ। ଚାଲି କରି ଆସିଥିବା ଛାତ୍ରମାନଙ୍କ ସହିତ ଅତିରିକ୍ତ ଜିଲାପାଳ ଆବୋଲି ସୁନୀଲ ନରୱଣେ ଓ ସଦର ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ଜିଲା ମଙ୍ଗଳ ଅଧିକାରୀ ସ୍ମୃତିରଂଜନ ସାମନ୍ତରାୟ ପ୍ରମୁଖ ଆଲୋଚନା କରିଥିଲେ । ସେମାନଙ୍କ ଅଭିଯୋଗ ସଂପର୍କରେ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ପାଇବା ପରେ ସେହି ପିଲାମାନଙ୍କୁ ପୁଲିସ ଗାଡିରେ ନେଇ ଛାତ୍ରାବାସରେ ଛାଡି ଦିଆଯାଇଥିଲା। ଏ ସଂପର୍କରେ ଶାମାଖୁଣ୍ଟା ବ୍ଲକ ଶିକ୍ଷା ଅଧିକାରୀ ଓ ବ୍ଲକ କଲ୍ୟାଣ ସଂପ୍ରସାରଣ ଅଧିକାରୀଙ୍କୁ ଘଟଣାସ୍ଥଳରେ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସହ ଆଗାମୀକାଲି ସେମାନେ ତଦନ୍ତ କରି ରିପୋର୍ଟ ଦେବା ପରେ ପ୍ରକୃତ ସ୍ଥିତି ଜଣାପଡିବ ବୋଲି ଜିଲା ମଙ୍ଗଳ ଅଧିକାରୀ ଶ୍ରୀସାମନ୍ତରାୟଙ୍କଠାରୁ ପ୍ରକାଶ।
ଏହି ଛାତ୍ରମାନଙ୍କ ସହିତ ଆସିଥିବା ପଞ୍ଚାୟତ ସମିତି ସଦସ୍ୟା ଶ୍ରୀମତୀ ମାଝିଙ୍କ ବକ୍ତବ୍ୟ ତଥା ଲିଖିତ ଭାବେ ଦେଇଥିବା ଅଭିଯୋଗ ଅନୁଯାୟୀ ଆଜି ଭୋର ୫ଟା ସମୟରେ ଉକ୍ତ ନୋଡାଲ ସ୍କୁଲର ସେବାଶ୍ରମରେ ରହୁଥିବା ଏହି ୧୭ ଜଣ ଛାତ୍ର କାନ୍ଦି କାନ୍ଦି ତାଙ୍କ ପାଖରେ ପହଞ୍ଚିବା ସହ ହଷ୍ଟେଲରେ ନାନା ପ୍ରକାର ନିର୍ଯାତନା ଦିଆଯାଉଥିବା ସଂପର୍କରେ ଦର୍ଶାଇଥିଲେ। ଏହି ଛାତ୍ରମାନଙ୍କୁ ଭୋର ୪ଟାରୁ ବିଦ୍ୟାଳୟର ସମସ୍ତ ରାସ୍ତା ଓ ମୁଖ୍ୟ ଫାଟକ ବାହାର ଝାଡୁ ଦେବାକୁ ବାଧ୍ୟ କରାଯାଉଥିବା ସହ ବ୍ୟତିକ୍ରମ ହେଲେ ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଆଣ୍ଠେଇ ଦେବା ସହ ମାଡ ମଧ୍ୟ ଦିଆଯାଉଥିବା ଏବଂ ରହୁଥିବା ହଷ୍ଟେଲରେ ସେମାନଙ୍କୁ ଅତି ନିମ୍ନମାନର ଖାଦ୍ୟ ଆଦି ଦିଆଯାଉଥିବା ଆଦି ବିଭିନ୍ନ ନିର୍ଯାତନା ସଂପର୍କରେ ଅଭିଯୋଗ କରିଥିଲେ। ଏ ସଂପର୍କରେ ଜିଲାପାଳଙ୍କୁ ଜଣାଇବା ସକାଶେ ସେମାନେ ତାଙ୍କ ସହ ବାରିପଦା ଯିବା ପାଇଁ ଜିଦ୍ କରିବାରୁ ସେ ବାଧ୍ୟ ହୋଇ ଆସିଛନ୍ତି। ଏପରିକି ଏହା ପୂର୍ବରୁ ୨୦୧୭ ସେପ୍ଟେମ୍ବର ୨୩ ତାରିଖରେ ଛାତ୍ରୀନିବାସର ୨୫ ଜଣ ଛାତ୍ରୀ ଅନୁରୂପ ଭାବେ ତାଙ୍କଠାରେ ଆପତ୍ତି ଓ ଅଭିଯୋଗ କରିବାରୁ ସେ ବାଙ୍ଗିରିପୋଷି ବିଧାୟକଙ୍କୁ ତୁରନ୍ତ ଜଣାଇଥିଲେ ଏବଂ ସେତେବେଳେ ତାଙ୍କରି ପରାମର୍ଶକ୍ରମେ ସ୍ଥାନୀୟ ସରପଞ୍ଚ ଓ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ସହିତ ସ୍କୁଲକୁ ଯାଇ ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ହଷ୍ଟେଲର ଅଧ୍ୟକ୍ଷାଙ୍କୁ ଦର୍ଶାଇବାରୁ ଭବିଷ୍ୟତରେ ଆଉ ଏହିଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କୌଣସି ଫଳ ନ ହେବାରୁ ପଞ୍ଚାୟତ ସମିତି ସଦସ୍ୟା ଶ୍ରୀମତୀ ମାଝି ଲିଖିତଭାବେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଅଭିଯୋଗ ପତ୍ର ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନ୍ୟ ପକ୍ଷରେ ଉକ୍ତ କେନ୍ଦୁଆ ନୋଡାଲ ହାଇସ୍କୁଲ ଭାରପ୍ରାପ୍ତ ଶିକ୍ଷୟିତ୍ରୀ ତରୁଲତା ହରିଭକ୍ତ ବେହେରା ପିଲାମାନଙ୍କୁ ନିର୍ଯାତନା ଦିଆଯାଉଥିବା ଘଟଣାକୁ ସଂପୂର୍ଣ୍ଣ ଅସ୍ୱୀକାର କରିବା ସହ ଆଜି ସକାଳୁ ଏହି ୧୭ ଜଣ ସ୍କୁଲ ପିଲା ଛାତ୍ରାବାସ ପରିସରରେ କାର୍ଯ୍ୟରତ ଥିବା ବେଳେ ପଞ୍ଚାୟତ ସମିିତି ସଦସ୍ୟା ସେମାନଙ୍କୁ ଏକ ଗାଡିରେ ନେଇ ଆସିଥିବା ପାଲଟା ଅଭିଯୋଗ କରିବା ସହ ନିର୍ଯାତନା ସଂପର୍କରେ ତଦନ୍ତ କରାଯିବାକୁ ଦାବି କରିଛନ୍ତି। ଏହି ଘଟଣା ଆଜି ଦିନତମାମ ସମଗ୍ର ଜିଲାରେ ଚର୍ଚ୍ଚାରେ ରହିଛି।
୧୭ ଛାତ୍ର ୧୩ କି.ମି ଚାଲି ଜିଲାପାଳଙ୍କୁ ଫେରାଦ ହେଲେ
Popular Categories



