ଜ୍ୟୋତ୍ସ୍ନା, ମୀନାଙ୍କୁ ସ୍ବର୍ଣ୍ଣ, ଝିଲି ଜିତିଲେ ରୌପ୍ୟ
ରାଜ୍ୟଗୋଷ୍ଠୀ ଭାରୋତ୍ତାଳନରେ ଓଡ଼ିଆ ଝିଅଙ୍କ ଚମକ
କଟକ : ଗ୍ରେଟର ନୋଏଡାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଆ ଭାରୋତ୍ତୋଳିକାଙ୍କ ଚମକ ଦେଖିବାକୁ ମିଳିଛି।ୟୁଥ୍ ବର୍ଗରେ ଜ୍ୟୋତ୍ସ୍ନା ସାବର ଓ ମୀନା ଶାନ୍ତା ସ୍ବର୍ଣ୍ଣ ଓ ବରିଷ୍ଠ ବର୍ଗରେ ଝିଲି ଦଳବେହେରା ରୌପ୍ୟ ପଦକ ଜିତିଛନ୍ତି । ମହିଳା ୪୯ କିଗ୍ରା ବର୍ଗରେ ଝିଲି ଦଳବେହେରା ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ଝିଲି ମୋଟ ଉପରେ ୧୬୯ କିଗ୍ରା ଭାରୋତ୍ତୋଳନ କରିଥିଲେ। ସେ ସ୍ନାଚରେ ୭୫ ଓ କ୍ଲିନ ଅାଣ୍ଡ ଜର୍କରେ ୯୪ କିଗ୍ରା ଭାରୋତ୍ତୋଳନ କରିଥିଲେ। ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପରେ ଝିଲିଙ୍କ ଏହା ତୃତୀୟ ପଦକ।ପୂର୍ବରୁ ଝିଲି ୨୦୧୯ ସୋମାଓ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପରେ ୪୫ କିଗ୍ରା ବର୍ଗରେ ସ୍ବର୍ଣ୍ଣ, ୨୦୨୧ ତାସକେଣ୍ଟରେ ୪୯ କିଗ୍ରାରେ ରୌପ୍ୟ ପଦକ ଜିତିଥିଲେ। ଏହାଛଡ଼ା ଝିଲି ୨୦୨୦ ତାସକେଣ୍ଟ ଏସିଆନ ଚମ୍ପିଆନସିପରେ ସ୍ବର୍ଣ୍ଣ, ୨୦୧୯ ନାଙ୍ଗବାରେ କାଂସ୍ୟ, ୨୦୧୯ କାଠମାଣ୍ଡୁ ଦକ୍ଷିଣ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ, ୨୦୧୮ ତାସକେଣ୍ଟ ଆଇଡବ୍ଲ୍ୟୁଏଫ୍ ଜୁନିୟର ଭାରୋତ୍ତୋଳନ ଚମ୍ପିଆନସିପରେ କାଂସ୍ୟ ପଦକ ଜିତିଥିଲେ। ସେହିପରି ୟୁଥ୍ ମହିଳା ୪୦ କିଗ୍ରାରେ ଜ୍ୟୋତ୍ସ୍ନା ସାବର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଜ୍ୟୋତ୍ସ୍ନା ସ୍ନାଚରେ ୫୨ କିଗ୍ରା ଓ କ୍ଲିନ ଆଣ୍ଡ ଜର୍କରେ ୬୪ କିଗ୍ରା ସହ ମୋଟ ୧୧୬ କିଗ୍ରା ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଟେନଭିକ୍ ଭାରୋତ୍ତୋଳନ ଉତ୍କର୍ଷ କେନ୍ଦ୍ର ଓଡ଼ିଶାର ପ୍ରଶିକ୍ଷାର୍ଥୀ ଜ୍ୟୋତ୍ସ୍ନା ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତିବାରେ ସଫଳ ହୋଇଛନ୍ତି। ୟୁଥ୍ ମହିଳା ୫୫ କିଗ୍ରାରେ ମୀନା ଶାନ୍ତା ୧୬୦ କିଗ୍ରା ଭାରୋତ୍ତୋଳନ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ସ୍ନାଚରେ ୭୩ ଓ କ୍ଲିନ ଆଣ୍ଡ ଜର୍କରେ ୮୭କିଗ୍ରା ଭାରୋତ୍ତୋଳନ କରିଥିଲେ।
Comments are closed.