ଡେସ୍କ: ଆମ ଓଡିଶା ନବୀନ ଓଡିଶା ଅଭିଯାନର ଆଜି ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ କଟକ ଜିଲ୍ଲାର ୮ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି ୧୮୬ କୋଟି ୫୦ ଲକ୍ଷ ଟଙ୍କା। ସେହି ନିର୍ବାଚନମଣ୍ଡଳୀ ଗୁଡିକ ହେଉଛି ବଡମ୍ବା, ଚୌଦ୍ୱାର-କଟକ, ବାଙ୍କୀ, ଆଠଗଡ, ନିଆଳି, କଟକ ସଦର, ସାଲେପୁର ଓ ମାହାଙ୍ଗା। ଏହିସବୁ ନିର୍ବାଚନମଣ୍ଡଳୀର ୩୭୩ଟି ଗ୍ରାମ ପଞ୍ଚାୟତରେ ୫୩୫୧ଟି ପ୍ରକଳ୍ପ ହେବ।
ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁରେ ଇଣ୍ଟରନେଟ୍ ସଂଯୋଗ ମିଳିବ, ବିଜ୍ଞାନ ପାର୍କ ହେବ, ଦକ୍ଷତା ବିକାଶ କେନ୍ଦ୍ର ହେବ ଓ ବ୍ୟାଙ୍କିଙ୍ଗ ସୁବିଧା ମିଳିବ।
ଆଜିର କାର୍ଯ୍ୟକ୍ରମ ପାଇଁ କଟକ ଜିଲ୍ଲାର ୮ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ୫ଟି ସଚିବ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ। ସେ କହିଥିଲେ ଯେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଯୋଗୁ ଓଡିଶାର ଗାଁ ଗୁଡିକ ହେବ ବିକାଶର କେନ୍ଦ୍ର। ଗାଁ ଲୋକଙ୍କୁ ଆଉ ସହର ଉପରେ ନିର୍ଭର କରିବାକୁ ପଡିବ ନାହିଁ। ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି ।
ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। କଟକ ଜିଲ୍ଲାର ବଡମ୍ବା ଅଞ୍ଚଳରେ ସାତକୋଶିଆ ଜୈବ ବିବିଧତା ପର୍ଯ୍ୟଟନ କେନ୍ଦ୍ର ପାଇଁ ୯.୮୫ କୋଟି, ମା’ ପ୍ରଗଳା ପୀଠ ପାଇଁ ୫.୨୭ କୋଟି, ମା’ ଭଟ୍ଟାରିକା ପୀଠ ପାଇଁ ୮.୫୭ କୋଟି, ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଡାଏଲିସିସ୍ କେନ୍ଦ୍ର ପାଇଁ ୧୫.୬୬ କୋଟି, ବଡମ୍ବା ମୋହନ ସୁବୁଧି ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ନରସିଂହପୁର ଜୁନିୟର କଲେଜ ପାଇଁ ୧.୨୫ କୋଟି, କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ପାଇଁ ୧.୨୫ କୋଟି, ବାଣେଶ୍ୱରୀ ପର୍ଯ୍ୟଟନ କ୍ଷେତ୍ର ପାଇଁ ୧.୮୦ କୋଟି, ନରସିଂହପୁର ଆମ ହସ୍ପିଟାଲ ପାଇଁ ୪.୧୬ କୋଟି ଟଙ୍କା ମଞ୍ଜୁର ହୋଇଛି । ବାଙ୍କୀ ଅଞ୍ଚଳରେ ମା’ ଚର୍ଚ୍ଚିକା ପୀଠ ଉନ୍ନତିକରଣ ପାଇଁ ୧୧.୦୩ କୋଟି, ବାଙ୍କୀ ଅଟୋନମସ୍ ଡିଗ୍ରୀ କଲେଜ ପାଇଁ ୧.୫୦ କୋଟି, କଳାପଥର ଧଳାପଥର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୦.୫୦ କୋଟି, ଅଂଶୁପା ଡିଗ୍ରୀ କଲେଜ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଆଠଗଡ ଅଞ୍ଚଳରେ ବାବା ଧବଳେଶ୍ୱର ମନ୍ଦିର ପାଇଁ ୧୭.୫୦ କୋଟି, ସାପୁଆ ନଦୀର ସେତୁ ପାଇଁ ୬.୧୪ କୋଟି, ଗୋପବନ୍ଧୁ ଡିଗ୍ରୀ ବିଜ୍ଞାନ କଲେଜ ପାଇଁ ୧ କୋଟି, ନୂଆପାଟଣା ଚୈତନ ସାହୁ ଯୁକ୍ତ ଦୁଇ କଲେଜ ପାଇଁ ୦.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ନିଆଳି ଅଞ୍ଚଳରେ ମାଧବାନନ୍ଦ ଜୀଉ ମନ୍ଦିର ପାଇଁ ୪.୮୪ କୋଟି, ଗୋବିନ୍ଦପୁର ଡିଗ୍ରୀ କଲେଜ ପାଇଁ ୧.୫୦ କୋଟି, ବ୍ରାହ୍ମଣଝରିଲୋ ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ଦୋଳ ଗୋବିନ୍ଦ ବ୍ରଜ କିଶୋର ଡିଗ୍ରୀ କଲେଜ କସର୍ଦା ପାଇଁ ୧ କୋଟି, ଅଡସପୁର ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଇଁ ୧.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। କଟକ ସଦର ଅଞ୍ଚଳରେ ନେମାଳ ଅଚ୍ୟୁତାନନ୍ଦ ଦାସ ପୀଠ ପାଇଁ ୨୩.୦୩ କୋଟି, ପରମହଂସ ପୀଠର ଉନ୍ନତିକରଣ ପାଇଁ ୪.୯୬ କୋଟି, ଚିତ୍ରୋତ୍ପଳା ନଦୀ ଉପରେ ସେତୁ ପାଇଁ ୫୩.୦୪ କୋଟି, କନ୍ଦରପୁର ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ସାଲେପୁର ଅଞ୍ଚଳରେ ମଧୁବାବୁଙ୍କ ଜନ୍ମସ୍ଥଳୀର ବିକାଶ ପାଇଁ ୨୧.୦୨ କୋଟି, ସାଲେପୁର ସ୍ୱୟଂଶାସିତ କଲେଜ ପାଇଁ ୧.୫୦ କୋଟି, ବହୁଗ୍ରାମ କଲେଜ ପାଇଁ ୨ କୋଟି, ଟାଙ୍ଗୀ ମହାବିଦ୍ୟାଳୟ ପାଇଁ ୦.୫୦ କୋଟି, ଟାଙ୍ଗୀଠାରେ ଆମ ହସ୍ପିଟାଲ ପାଇଁ ୩.୬୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହିପରି କଟକ ଜିଲ୍ଲାରେ ସମୁଦାୟ ୩୨ଟି ପ୍ରକଳ୍ପ ପାଇଁ ୨୧୩.୫୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ୫ଟି ସଚିବ ପ୍ରକାଶ କରିଥିଲେ।



