ଭୁବନେଶ୍ବର: ଆଜି ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବାତ୍ୟା ପ୍ରଭାବିତଙ୍କ ୭ଦିନ ପର୍ଯ୍ୟନ୍ତ ରିଲିଫ ଦିଆଯିବ। ୧୨୮ଟି ପ୍ରଭାବିତ ଗାଁଲୋକଙ୍କୁ ୭ଦିନ ଯାଏଁ ରିଲିଫ ମିଳିବ। ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟ ରାସ୍ତାକୁ ୨୪ଘଣ୍ଟା ମଧ୍ୟରେ ମରାମତି କରାଯିବ। ୨୪ ଘଣ୍ଟା ମଧ୍ୟରେ ୮୦% ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ସହ ବାତ୍ୟା ମୁକାବିଲା ଲାଗି ପ୍ରଶାସକ ଓ ପଞ୍ଚାୟତ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହିତ ବାତ୍ୟା ୟାସର ପ୍ରଭାବ, ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ଯୋଗୁ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ୧୨୮ଟି ଜଳମଗ୍ନ ଗ୍ରାମର ସମସ୍ତ ପରିବାରକୁ ୭ ଦିନ ପାଇଁ ରିଲିଫ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।
ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ୟସ ସମୟରେ ସମସ୍ତ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସହଯୋଗ ପାଇଁ ସମସ୍ତ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ନାଗରିକ ସଂଗଠନ ଏନ୍ଡିଆର୍ଏଫ୍, ଓଡିଆର୍ଏଫ୍ ଏବଂ ପୋଲିସ- ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ବାତ୍ୟା ସମୟରେ ରୋଗୀ ମାନଙ୍କୁ ନିରବଚ୍ଛିନ୍ନ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ସମସ୍ତ ପ୍ରମୁଖ ରାସ୍ତା ଗୁଡିକ ଯୋଗାଯୋଗ ସ୍ବଭାବିକ କରାଯିବା ଏବଂ ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ପୁନଃସଂଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ।

ସେହିପରି ଅନ୍ୟ ରାଜ୍ୟ ମାନେ ଅକ୍ସିଜେନ ପାଇଁ ଓଡ଼ିଶା ଉପରେ ନିର୍ଭର କରୁଥିବାରୁ ବାତ୍ୟା ସମୟରେ ଅକ୍ସିଜେନ ଯୋଗାଣ ସୁରୁଖୁରୁରେ ଜାରି ରହି ଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଓ ଏହି କାର୍ଯ୍ୟ ସହ ସମ୍ପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ବାତ୍ୟା ଷୟଷତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ଯୋଗୁ ଉଚ୍ଚ ଜୁଆର ଆସି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ୧୨୮ ଗାଁ ଜଳମଗ୍ନ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହିତ ସଡକ, ବିଦ୍ୟୁତ ଓ ଟେଲି ଯୋଗାଯୋଗ ପ୍ରଭାବିତ ହୋଇଛି। ଏହି ସମୟରେ କୋଭିଡ ହସ୍ପିଟାଲ ଗୁଡିକରେ କିନ୍ତୁ ସ୍ବଭାବିକ ଭାବରେ ଚାଲିଥିଲା ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ। ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ପ୍ରଭାବିତ ଜିଲା ଗୁଡିକରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମତେ ଜନସାଧାରଣଙ୍କ ଜୀବନର ସୁରକ୍ଷା ପାଇଁ ସାଢେ ଛଅ ଲକ୍ଷରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ଓ ଅନ୍ୟାନ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ବାତ୍ୟା ସମୟରେ ଘର ଭାଙ୍ଗିବା ଯୋଗୁ କୌଣସି ଲୋକ ମୃତାହତ ହୋଇଥିବାର ସୂଚନା ନାହିଁ ବୋଲି ସେ କହିଥିଲେ। କିନ୍ତୁ ବାଲେଶ୍ବରରେ ଆଶ୍ରୟସ୍ଥଳରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଏବଂ କେନ୍ଦୁଝରରେ ଘରୁ ବାହାରକୁ ଯାଇଥିବା ଜଣେ ବ୍ୟକ୍ତି ଗଛ ପଡିବା ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ବୋଲି ସେ କହିଥିଲେ।
ରାସ୍ତା, ବିଜୁଳି, ପାନୀୟ ଜଳ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି ଏବଂ ଖୁବଶୀଘ୍ର ପରିସ୍ଥିତି ସ୍ବଭାବିକ ହେବ ବୋଲି ସେ କହିଥିଲେ। ଗଛ ପଡିବା ଯୋଗୁ ରାସ୍ତା ଅବରୋଧ ଦୂର କରିବା ପାଇଁ ଓଡ୍ରାଫ, ଅଗ୍ନିଶମ ଓ ବନ ବିଭାଗ ନିରନ୍ତର ଭାବେ ଗଛ କାଟିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ସେ ସୂଚନା ଦେଇଥିଲେ। ମୟୂରଭଞ୍ଜର କୁସୁମି ବ୍ଲକ୍ରେ ଏହି ସମୟରେ ସର୍ବାଧିକ ୩୦୫ ମିଲିମିଟର ଓ କେନ୍ଦ୍ରାପଡା ଜିଲ୍ଲାରେ ୨୧୦ ମିଲିମିଟର ବର୍ଷା ହୋଇଥିବା ସଂପର୍କରେ ସେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ୍ ଆଲୋଚନା ସଯୋଜନା କରିଥିଲେ।



