www.samajalive.in
Saturday, December 6, 2025
14.1 C
Bhubaneswar

ଜଗନ୍ନାଥଙ୍କ ନୀତିକାନ୍ତିକୁ ଅଧ୍ୟୟନ କଲେ ଆମେ ଆୟୁର୍ବେଦ ବିଷୟରେ ଜାଣିପାରିବା: ମୁଖ୍ୟମନ୍ତ୍ରୀ

ପୁରୀ: ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହିତ ଆୟୁର୍ବେଦ ଅଙ୍ଗାଙ୍ଗିଭାବେ ଜଡ଼ିତ। ଏହା ଜାଣିବାକୁ ହେଲେ ଆମକୁ ବହୁତ ଦୂର ଯିବାକୁ ପଡ଼ିବ ନାହିଁ। ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତିକୁ ଅଧ୍ୟୟନ କଲେ ଆମେ ଏହାକୁ ଜାଣିପାରିବା। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ଦେବସ୍ନାନ ପୂର୍ଣ୍ଣିମା ପରେ ତିନି ଠାକୁର ଜ୍ବରରେ ପୀଡିତ ହୋଇଥା’ନ୍ତି। ତେଣୁ ଆୟୁର୍ବେଦ ରୀତି-ନୀତି ଭାବେ ଶ୍ରୀଜୀଉଙ୍କର ଉପଚାର କରାଯାଇଥାଏ। ଚିକିତ୍ସା ସହିତ ବିଶେଷ ପ୍ରକାର ପଥି ମଧ୍ୟ ଲାଗି କରାଯାଏ। ଆୟୁର୍ବେଦର କରାମତି ଆମେ ସମସ୍ତେ ରାମାୟଣରୁ ଜାଣିଛୁ। ଯେତେବେଳେ ଲକ୍ଷ୍ମଣ ରଣାଙ୍ଗନରେ ମୂର୍ଚ୍ଛିତ ଅବସ୍ଥାରେ ଥିଲେ ହିମାଳୟର ବିଶଲ୍ୟକରଣୀ ତାଙ୍କୁ ସୁସ୍ଥ କରାଇଥିଲା। ଏପରି ଅନେକ ଉଦାହରଣ ଆମ ଧର୍ମଶାସ୍ତ୍ରରେ ଲିଖିତ ଅଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୯୪୯ ମସିହାରେ ଏକ ଆୟୁର୍ବେଦିକ ବିଦ୍ୟାପୀଠ ଭାବେ ଏହି ଅନୁଷ୍ଠାନ ଗଢି ଉଠିଥିଲା। ଆଜି ଏକ ଆଦର୍ଶ ମହାବିଦ୍ୟାଳୟ ଭାବରେ ଏହି ଅନୁଷ୍ଠାନ ଦେଶର ଏକ ମଡେଲ ଇନଷ୍ଟିଚ୍ୟୁଟ ଭାବେ ସୁନାମ ହାସଲ କରିଛି। ଏହି ଅନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ଆଜି ଆୟୁର୍ବେଦ ବିଶେଷଜ୍ଞ ଭାବେ ସାରା ରାଜ୍ୟ ଓ ଦେଶରେ ପ୍ରସିଦ୍ଧି ଅର୍ଜନ କରି ପାରିଛନ୍ତି।

- Advertisement -

ସେ ଆହୁରି କହିଛନ୍ତି, ଆୟୁର୍ବେଦ ଏକ ପୁରାତନ ଓ ସମୃଦ୍ଧ ଚିକିତ୍ସା ବିଜ୍ଞାନ। ଭାରତର ପ୍ରାଚୀନ ଋଷି ଓ ଆଚାର୍ଯ୍ୟ ଯଥା ଚରକ, ସୁଶୃତ ଓ ବାଗ୍‌ଭଟ୍ଟ ରଚିତ ସଂହିତାଦ୍ୱାରା ଏହି ବିଜ୍ଞାନ ପରିପୁଷ୍ଟ। ଦୀର୍ଘ ୫ ହଜାର ବର୍ଷରୁ ଅଧିକ ସମୟ ଧରି ଏହା ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି। ଆୟୁର୍ବେଦ, ଯୋଗ, ଆଧ୍ୟାତ୍ମିକତାର ସଦୁପଯୋଗ କରି ଏକ ସୁସ୍ଥ ନିରାମୟ ଜୀବନଶୈଳୀ କିପରି ଭାବେ ପାଇପାରିବେ ତାହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଆମ ସମସ୍ତଙ୍କର ସମ୍ମାନନୀୟା ମହାମହିମ ରାଷ୍ଟ୍ରପତି। ତାଙ୍କ ଜୀବନର ସଂଗ୍ରାମ ଓ ସଫଳତା ଆମ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୧୪ ପର୍ଯ୍ୟନ୍ତ ଭାରତୀୟ ଚିକିତ୍ସା ପରମ୍ପରାକୁ ଏକ ରକମର ଅବହେଳିତ କରାଯାଉଥିଲା। କିନ୍ତୁ ୯ ନଭେମ୍ବର ୨୦୧୪ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବତନ୍ତ୍ର ଭାବେ ଆୟୁଷ ମନ୍ତ୍ରଣାଳୟ ଗଠନ କରି ଭାରତୀୟ ଚିକିତ୍ସା ପରମ୍ପରାକୁ ଏକ ନୂଆ ଦିଶା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆୟୁର୍ବେଦକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ୨୦୧୬ ମସିହାରୁ ଦେବ-ବୈଦ୍ୟ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ବା ଧନ୍ ତେରସ ଦିନଟିକୁ ‘ବିଶ୍ୱ ଆୟୁର୍ବେଦ ଦିବସ’ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଧନ୍ବନ୍ତରୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଜଟଣୀଠାରେ ଶହେ ଶଯ୍ୟା ବିଶିଷ୍ଟ ଏକ ‘ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ’ ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ପ୍ରତି ବର୍ଷ ଜୁନ ୨୧ ତାରିଖକୁ ସାରା ବିଶ୍ବରେ ଯୋଗ ଦିବସ ଭାବେ ଖୁବ୍ ଉତ୍ସାହର ସହିତ ପାଳନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଅଭିଭାଷଣରେ କହିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories