ଭୁବନେଶ୍ବର : ମାନବସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ ପୂର୍ବକ କିପରି ଅସହାୟ, ନିଷ୍ପେସିତଙ୍କ ସେବା କରାଯାଏ ତାହା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଆମକୁ ଶିଖାଇ ଯାଇଛନ୍ତି। ପଣ୍ଡିତ ଗୋପବନ୍ଧୁ ମାନବୀୟ ଗୁଣ ଏବଂ ଚିନ୍ତା-ଚେତନାରେ ଉତ୍କଳୀୟ ଭାବନା ରଖି ଜାତୀୟତାର ଉଦାହରଣ ସୃଷ୍ଟି କରିଯାଇଛନ୍ତି। ସେ ଓଡ଼ିଆ ଅସ୍ମିତାର ଗୌରବମୟ ପ୍ରତୀକ ଥିେଲ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଗୁରୁବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ପାଳନ ଅବସରରେ ବିଧାନସଭା ପରିସରରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରୀ ମାଝୀ କହିଥିଲେ, ଗୋପବନ୍ଧୁ ଦାସ ଥିଲେ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ। ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ମହାମନିଷୀଙ୍କ ମଧ୍ୟରୁ ସାରା ଭାରତରେ ସେ ଥିଲେ ଅନ୍ୟତମ। ସରଳ ଜୀବନଯାପନ ସହିତ ପରୋପକାର, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ ଯେପରି ଭାବେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ତାହା ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ। ତ୍ୟାଗ, ସତ୍ୟ, ସମର୍ପଣ ଭାବନା ଆଜି ତାଙ୍କୁ ଆମ ସମସ୍ତଙ୍କ ପାଇଁ ଚିର ସ୍ମରଣୀୟ କରି ରଖିଛି। ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ, ସଂସ୍କାରକ, ଦେଶ ସେବକ, ସ୍ବାଧୀନତା ସଂଗ୍ରାମୀ ତଥା ସାମ୍ବାଦିକ ଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ଅହିଂସା ମାର୍ଗରେ ଦେଶକୁ ସ୍ବାଧୀନତା ଦେବାରେ ତାଙ୍କର ଭୂମିକା ସଦା ସ୍ମରଣୀୟ ରହିବ। ପାଇଁ ଉତ୍କଳମଣିଙ୍କ ଦ୍ବାରା ପ୍ରଦର୍ଶିତ ପଥରେ ଆଜି ସାରା ଓଡ଼ିଶା ଆଗକୁ ବଢ଼ୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ-ବାଚସ୍ପତି ଭବାନୀଶଙ୍କର ଭୋଇ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର କୁମାର ଜେନା, ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି ଓ ପ୍ରିୟୟଦର୍ଶୀ ମିଶ୍ର, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣପୂର୍ବକ ଶ୍ରାଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପାଲିତ ଓ ସାଥୀ କଳାକାରଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ପରିବେଷିତ ହୋଇଥିଲା। ସୁଶ୍ରୀ ରୋଜାଲିନ୍ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଗୋପବନ୍ଧୁ ଥିଲେ ଉତ୍କଳ ମାତାଙ୍କ ସୁଯୋଗ୍ୟ ସନ୍ତାନ: ମୁଖ୍ୟମନ୍ତ୍ରୀ
Popular Categories



