www.samajalive.in
Saturday, December 13, 2025
21.1 C
Bhubaneswar

ସବୁ ସ୍କିମର ତଥ୍ୟ ରଖିବ ସିଏମ୍‌ କମାଣ୍ଡ ସେଣ୍ଟର

ଭୁବନେଶ୍ବର: କ୍ରିୟାଶୀଳ ହେବ ସିଏମ୍‌ କମାଣ୍ଡ ସେଣ୍ଟର। ସିଏମ୍‌ କମାଣ୍ଡ ସେଣ୍ଟରରେ ରାଜ୍ୟର ସମସ୍ତ ଯୋଜନାର ତଥ୍ୟ ଉପଲବ୍ଧ ହେବ। ସ୍କିମ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଉପରେ ପ୍ରତି ମାସର ତୃତୀୟ ଶନିବାର ସମୀକ୍ଷା କରାଯିବ। ଏଥିପାଇଁ ଅଗଷ୍ଟ ୧୫ ସୁଦ୍ଧା ସିଏମ ଡ଼୍ୟାସବୋର୍ଡ଼ ପ୍ରଚଳନ କରାଯିବ। ସିଏମ୍‌ ଡ଼୍ୟାସବୋର୍ଡ଼ ଏକ ଏକୀକୃତ(ୟୁନିଫାଏଡ଼) ଡ଼୍ୟାସବୋର୍ଡ଼ ଭାବେ ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ମୁଖ୍ୟ ସ୍ତରରେ ସମସ୍ତ ସ୍କିମର ତଦାରଖ ତଥା ପରିଚାଳନା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯିବ। ସ୍କିମ ତଦାରଖ, ଭିତ୍ତିଭୂମି ସମସ୍ୟା, ଶିଳ୍ପ ପ୍ରକଳ୍ପ ସମେତ ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ଲକ୍ଷ୍ୟ ହାସଲ ପାଇଁ ସିଏମ୍‌ ଡ଼୍ୟାସବୋର୍ଡ଼ ହେବ ଏକକ ମାଧ୍ୟମ। ସଚିବ ସ୍ତରୀୟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବା ସହିତ ସବୁ ବିଭାଗ ଏ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ସମସ୍ତ ବିଭାଗର ସଚିବ, ବରିଷ୍ଠ ଅଧିକାରଙ୍କୁ ସିଏମଜିଆଇ
(ସରକାରୀ ଯୋଜନା ଆଧୁନିକୀକରଣ କେନ୍ଦ୍ର) ଦ୍ବାରା ବିକଶିତ ପାର-ଇ-ଦର୍ଶନ ପୋର୍ଟାଲ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଏହି ପୋର୍ଟାଲ ଜରିଆରେ ସେମାନେ ଜିଲା ପରିଦର୍ଶନ ନୋଟ ଦାଖଲ ସହିତ ଅନ୍ୟାନ୍ୟ ଅନୁଭୂତି ମଧ୍ୟ ଜଣାଇପାରିବେ। ଜିଲା ପରିଦର୍ଶନ କାଳରେ ସଚିବମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନରେ ଯିବାକୁ କୁହାଯାଇଛି। ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଗଠନ ହୋଇଛି କି ନା ଏବଂ ଗଠନ ହୋଇଥିଲେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ନିଶ୍ଚିତ କରାଇବେ। ଯୋଜନା ଓ ସଂଯୋଜନା ବିଭାଗକୁ ଏ ସଂକ୍ରାନ୍ତରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ କୁହାଯାଇଛି।
ଭିଜନ ଡ଼କୁମେଣ୍ଟ ୨୦୩୬ ଓ ୨୦୪୭ର ଗୁରୁତ୍ବପୂର୍ଣ୍ଣ ପ୍ରଦର୍ଶନ ସୂଚକାଙ୍କ(କି ପରଫରମାନ୍ସ ଇଣ୍ଡିକେଟର) ପରିଚାଳନା ବା ତଦାରଖ ପାଇଁ ଆନୁଷ୍ଠାନିକ ଆବଶ୍ୟକର ମ୍ୟାପିଂ ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସମସ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି। ବିଭାଗଗୁଡ଼ିକୁ ନିଜ ବିଭାଗର ସଫଳତା ବା ପ୍ରଦର୍ଶନ ସଂକ୍ରାନ୍ତରେ ତଦାରଖ ବ୍ୟବସ୍ଥା ବିକଶିତ କରିବାକୁ କୁହାଯାଇଛି। ପ୍ରତି ବିଭାଗକୁ ଜଣେ ନୋଡ଼ାଲ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍‌ ତିଆରି କରିବାକୁ ପଡ଼ିବ। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ଷ୍ଟ୍ରାଟେଜିକ ସପୋର୍ଟ ୟୁନିଟ(ଏସଏସୟୁ) ସହିତ ଏହି ଟିମ୍‌ ଯୋଗାଯୋଗରେ ରହିବ। ଏହି ଟିମ୍‌ ଏସ୍‌ଏସ୍‌ୟୁର ମିଳିତ ସହଯୋଗରେ ବିଭାଗୀୟ ପ୍ରଦର୍ଶନ ସୂଚକାଙ୍କ ଚୂଡ଼ାନ୍ତ କରିବ। ଏଗୁଡ଼ିକୁ ପ୍ରସ୍ତାବିତ ବିକଶିତ ଓଡ଼ିଶା ମନିଟରିଂ ଡ଼୍ୟାସବୋର୍ଡ଼ ସହିତ ସଂଯୋଜିତ କରାଯିବ। ସମ୍ପୃକ୍ତ ବିଭାଗଗୁଡ଼ିକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଉପରେ ନିୟମିତ ସମୀକ୍ଷା କରିବେ। ଭିଜନ ଡ଼କୁମେଣ୍ଟର ଉଦ୍ଦେଶ୍ୟ ଓ ରଣନୀତି ସରକାରଙ୍କ ଦ୍ବାରା ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଉପସ୍ଥାପନ କରାଯିବ।
ମହିଳା ଓ ଶିଶୁଙ୍କ ବିରୋଧରେ ପୋକସୋ ଆଇନ ଅଧୀନରେ ଯୌନ ଅପରାଧର ତ୍ବରିତ ଅନୁସନ୍ଧାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଗୃହ ବିଭାଗ ଏଥିନେଇ ନିୟମିତ ସମୀକ୍ଷା କରିବ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆଇନ ବିଭାଗର ପ୍ରମୁଖ ସଚିବ ଏହାର ସମୀକ୍ଷା କରିବେ ‌‌ଏବଂ ପୋକସୋ ମାମଲାର ତ୍ବରିତ ଶୁଣାଣି ପାଇଁ ଆବଶ୍ୟକ ପଦ‌େକ୍ଷ‌ପ ଗ୍ରହଣ କରିବେ। ଏଥିପାଇଁ ଜରୁରୀ ମୁକାବିଲା ସହାୟତା ବ୍ୟବସ୍ଥା(ଇମରଜେନସି ରେସପନ୍ସ ସପୋର୍ଟ ସିଷ୍ଟମ) କାର୍ଯ୍ୟକାରୀ କରିବା ଦିଗରେ ଧ୍ୟାନ ଦେବେ। ଅଗଷ୍ଟ ୧୫ ପୂର୍ବରୁ ଏ ସମ୍ପର୍କରେ ସମୀକ୍ଷା କରି ଆକ୍ସନ ପ୍ଲାନ ଦାଖଲ କରିବାକୁ କୁହାଯାଇଛି।
ପ୍ରଶାସନିକ ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ପ୍ରୟୋଗ ତଥା ଏହାର କାର୍ଯ୍ୟକାରିତା ନିମନ୍ତେ ଚିଠା ପ୍ରସ୍ତୁତି ପାଇଁ ନିଷ୍ପତ୍ତି ହୋଇଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଇ ଆଣ୍ଡ ଆଇଟି ପ୍ରମୁଖ ସଚିବ ମିଳିତ ଭାବେ ପ୍ରଶାସନିକ ସ୍ତରରେ ଏଆଇର ବିନିଯୋଗ ନିମନ୍ତେ ଏକ କାର୍ଯ୍ୟକାରୀ ଚିଠା ଯୋଜନା ତିଆରି କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories