କେନ୍ଦ୍ରକୁ ଆଉ ଥରେ ଚିଠି ଲେଖନ୍ତୁ
ଭୁବନେଶ୍ବର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ପଦକ୍ଷେପ ନେବା ସହ କେନ୍ଦ୍ର ସରକାରଙ୍କୁ ପୁନର୍ବାର ପତ୍ର ଲେଖିବାକୁ ସମ୍ବଲପୁରସ୍ଥିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଅନୁରୋଧ କରିଛି। ଏ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କଡ଼ା ଚିଠି ଲେଖିବା ନେଇ କ୍ରିୟାନୁଷ୍ଠାନ କମିଟିକୁ ପ୍ରତିଶ୍ରୁତି ଦେଇଥିବା କମିଟିର ଆବାହକ ଅଶୋକ ଦାସ ସୂଚନା ଦେଇଛନ୍ତି। ପଶ୍ଚିମ ଓଡ଼ିଶାର କେଉଁ ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବ ସେ ନେଇ କୌଣସି ବିବାଦ ନାହିଁ ବରଂ ଏହାର ପ୍ରତିଷ୍ଠା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି କ୍ରିୟାନୁଷ୍ଠାନ କମିଟି ମୁଖପାତ୍ର ସୁରେଶ୍ବର ମିଶ୍ର। ସୋମବାର ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ଓ ସରକାରୀ ଦଳ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କ ସମେତ କମିଟିର ୨୦ ଜଣ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଜଣାଇଥିଲେ। ଏହି ଅବସରରେ କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ ନେଇ ସରକାର ଓ ସାଂସଦମାନେ ଉଦ୍ୟମ କରିବା ଆବଶ୍ୟକ ବୋଲି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଆଇନ ବିଶାରଦଙ୍କୁ ନେଇ ଓଡ଼ିଶା ସରକାରଙ୍କ ଏକ ଉଚ୍ଚ ପ୍ରତିନିଧିଦଳ କେନ୍ଦ୍ର ସରକାରଙ୍କ ସହ ଆଲୋଚନ କରିବା ପାଇଁ ସେମାନେ ପ୍ରସ୍ତାବ ଦେଇଛନ୍ତି। ମୌସୁମି ଅଧିବେଶନରେ ରାଜ୍ୟର ସାଂସଦମାନେ ଏହାକୁ ତ୍ବରାନ୍ବିତ କରି ଏ ସଂକ୍ରାନ୍ତ ବିଧେୟକ ଆଗତ କରିବା ଓ ଏହାକୁ ପାରିତ କରିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସେମାନେ ଅନୁରୋଧ କରିଛନ୍ତି।
Popular Categories



