ପରିବେଶ ସୁରକ୍ଷା ଓ ସ୍ୱଳ୍ପ ଜଳରେ ମାଛ ଚାଷ କରି ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ
ସିଫାରେ ୨୨ତମ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ
ପିପିଲି:ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଠାରେ ୨୨ତମ ‘ଜାତୀୟ ମତ୍ସ୍ୟଚାଷୀ ଦିବସ’ ସୋମବାର ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ରାଜ୍ୟର ୧୫ ଜଣ ମତ୍ସ୍ୟ ଚାଷୀ ଓ ମତ୍ସ୍ୟ ଉଦ୍ୟୋଗୀଙ୍କୁ ସମ୍ମାନୀତ କରାଯାଇଥିଲା। ମହାନ ମତ୍ସ୍ୟ ବୈଜ୍ଞାନିକ ଡ. କେ. ଏଚ୍. ଆଲିକୁନି ଏବଂ ପ୍ରଫେସର ହୀରାଲାଲ ଚୌଧୁରୀଙ୍କ ଦ୍ୱାରା ୧୦ ଜୁଲାଇ ୧୯୫୭ ମସିହାରେ ଉଦ୍ଭାବିତ ‘ପ୍ରବର୍ତ୍ତିତ ପ୍ରଜନନ ଜ୍ଞାନକୌଶଳ’ ସଂପର୍କରେ ଅତିଥିମାନେ ଆଲୋକପାତ କରିବା ସହ ଏହି ଉଦ୍ଭାବନ ଭାରତ ଓ ବିଦେଶରେ ମତ୍ସ୍ୟବିଜ୍ଞାନ ଇତିହାସରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଥିଲା ବୋଲି ପ୍ରକାଶ କରିଥିଲେ।
ଏହି ଅବସରରେ ସିଫା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ ଯୋଗଦେଇ ଜୈବିକ ମତ୍ସ୍ୟଚାଷ ସହିତ ପରିବେଶ ସୁରକ୍ଷା ଓ ସ୍ୱଳ୍ପ ଜଳରେ ମାଛ ଚାଷ କରି ଉତ୍ପାଦନ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସିଫାରେ କାର୍ଯ୍ୟରତ ବୈଜ୍ଞାନିକଙ୍କ ଉତ୍ସର୍ଗୀକୃତ ରାଷ୍ଟ୍ର ସେବାକୁ ସେ ଉଚ୍ଚ ପ୍ରଶଂସା କରିବା ସହିତ କ୍ଷୁଦ୍ର ମତ୍ସ୍ୟଚାଷୀଙ୍କ ଲାଭ ପାଇଁ ନୂତନ ପଦ୍ଧତି ପ୍ରବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ମତ୍ସ୍ୟ ଓ ଜଳଜୀବ କ୍ଷେତ୍ରର ଯୋଜନା ଓ ସିଫେ (ମୁମ୍ବାଇ)ର ପୂର୍ବତନ କୁଳପତି ଡ. ଦିଲିପ କୁମାର ଯୋଗଦେଇ ସିଫା ଦ୍ୱାରା ପ୍ରବର୍ତ୍ତିତ ‘ମତ୍ସ୍ୟସେତୁ ଆପ’ କୃଷକମାନଙ୍କୁ ମତ୍ସ୍ୟ ପାଳନ, ରୋଗ, ଖାଦ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଠିକ ସୂଚନା ଦେଇପାରୁଛି ବୋଲି ପ୍ରକାଶ କରିଥିଲେ। ବୈଜ୍ଞାନିକମାନେ ଗବେଷଣା କୌଶଳକୁ ନୂତନ ଦୃଷ୍ଟିଭଂଗୀ ଦେଇ କୃଷକମାନଙ୍କର ସମସ୍ୟାର ସମାଧାନ କରିବାକୁ ସେ ପରାମର୍ଶ ଦେଇଥିଲେ।
ଅନ୍ୟତମ ଅତିଥି ଭାବେ ସିଫାର ପୂର୍ବତନ ପ୍ରଧାନ ବୈଜ୍ଞାନିକ ଡଃ କେ. ଜେ. ରାଓ ଯୋଗଦେଇ କୃଷକ ମାନଙ୍କର କୌଶଳ ବୃଦ୍ଧି ପାଇଁ ଉନ୍ନତ ପ୍ରଶିକ୍ଷଣ ପ୍ରଦାନ ଓ ସଂପ୍ରସାରଣ କାର୍ଯ୍ୟକ୍ରମକୁ ଦୃଢ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଫାର ନିର୍ଦ୍ଦେଶକ ଡ. ସରୋଜ କୁମାର ସ୍ୱାଇଁ ଅଧ୍ୟକ୍ଷତା କରି ନିଜ ଅଭିଭାଷଣରେ ସମୟ ଉପଯୋଗୀ ‘ପ୍ରବର୍ତ୍ତିତ ପ୍ରଜନନ ପ୍ରଣାଳୀ’ର ଉଦ୍ଭାବନ ମତ୍ସ୍ୟଚାଷକୁ ଭାରତ ଏବଂ ବିଦେଶରେ ଅଧିକ ଲୋକପ୍ରିୟ କରିପାରିଛି ବୋଲି କହିଥିଲେ। ଗତ ତିନି ଦଶନ୍ଧି ଧରି ମାଛ ଓ ଚିଙ୍ଗୁଡ଼ିର ପ୍ରଜନନ, ପାଳନ ଉପରେ ‘ସିଫା’ ବିଭିନ୍ନ ଗବେଷଣା ଜାରି ରଖିବା ସହ ନିଜର ଗବେଷଣାଲବ୍ଧ ଜ୍ଞାନକୁ କୃଷକ ଓ ମତ୍ସ୍ୟ ଉଦ୍ୟୋଗୀଙ୍କ ପାଖରେ ପହଞ୍ଚାଇ ପାରିଛି ବୋଲି ଡ଼. ସ୍ୱାଇଁ ପ୍ରକାଶ କରିଥିଲେ। ଏଫ୍ଆର୍ପି ପୋର୍ଟେବୁଲ ହାଚେରୀ, ବିଭିନ୍ନ ମାଛ ପାଇଁ ଖାଦ୍ୟ ପ୍ରସ୍ତୁତି, ରୋଗ ନିରୂପଣ କିଟ୍, ଜୟନ୍ତୀରୋହି, ସିଫା ବ୍ରୁଡ୍, ହାଇବ୍ରିଡ ଡିଟେକ୍ସନ କିଟ୍ ଉଦ୍ଭାବନ, ମତ୍ସ୍ୟସେତୁ ଆପ୍ ଓ ଅନ୍ୟାନ୍ୟ ଦରକାରୀ ଜ୍ଞାନକୌଶଳ ବିକାଶ କରିବାରେ ସିଫାର ଅବଦାନ ସଂପର୍କରେ ସେ ସୂଚନା ପ୍ରଦାନ କରିଥିଲେ।
ଦ୍ୱିତୀୟ ଅଧିବେଶନରେ, ଭାରତ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନର ସ୍ମାରକୀ ସ୍ୱରୂପ ମତ୍ସ୍ୟଚାଷୀ ଦିବସର ବିଷୟବସ୍ତୁ “ଏମର୍ଜିଂ ଆକ୍ୱାକଲ୍ଚର ସିଷ୍ଟମ୍ ଏଣ୍ଡ୍ ପ୍ରାକ୍ଟିସେସ୍” ଶୀର୍ଷକ ଆଲୋଚନାଚକ୍ରରେ ବିଭିନ୍ନ ରାଜ୍ୟର ୨ଶହରୁ ଉର୍ଦ୍ଧ କୃଷକ ଭାଗ ନେଇଥିଲେ। ଏଥିରେ ମହିଳା କୃଷିଜୀବି, ଅଗ୍ରଣୀ କୃଷକ, କୃଷି ଉଦ୍ୟୋଗୀ ଓ ଓଡିଶା ସରକାରଙ୍କ ବିଭିନ୍ନ ଅଧିକାରୀ ଓ ସିଫା ବୈଜ୍ଞାନିକ ମାନଙ୍କ ମଧ୍ୟରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ରାଜ୍ୟର ୧୫ ଜଣ ମତ୍ସ୍ୟ ଚାଷୀ ଓ ମତ୍ସ୍ୟ ଉଦ୍ୟୋଗୀଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୬ଟି ପତ୍ରିକା ସମେତ କାର୍ପ ମାଛ ଖାଦ୍ୟ ଉପରେ ଏକ ଭିଡିଓ ଫିଲ୍ମ ଉନ୍ମୋଚିତ ହୋଇଥିଲା। ଶେଷରେ ସାମାଜିକ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଜି. ଏସ୍. ସାହା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.