ଶୁଭ୍ରାଂଶୁଙ୍କ ମର୍ସିଡିଜ୍‍ ବ୍ୟବହାର କରୁଥିବା ବିଧାୟକ କିଏ?

0

ଭୁବନେଶ୍ୱର: ଆସ୍ଥା ଇଣ୍ଟରନ୍ୟାସନାଲ୍‍ ଚିଟଫଣ୍ଡ୍‍ର ଫାଇଲ୍‍ ଖୋଲିଛି ସିବିଆଇ ଏସ୍‍ଆଇଟି। ଆସ୍ଥା ଚିଟଫଣ୍ଡ୍‍ ମାମଲାରେ ନୋଟିସ୍‍ ପାଇ ଶୁକ୍ରବାର ହାଜର ହୋଇଥିଲେ ପିଲାସ୍କି ସ୍ୱାଇଁ। ପିଲାସ୍କିଙ୍କର ଘର ଜଗତସିଂହପୁର। ଆସ୍ଥା ଚିଟ୍‍ଫଣ୍ଡ୍‍ ମାମଲାର ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାଙ୍କ ମର୍ସିଡିଜ୍‍ କାର୍‍କୁ ପିଲାସ୍କି ଶାଗମାଛ ଦାମ୍‍ରେ କିଣି ବ୍ୟବହାର କରୁଛନ୍ତି। ଏନେଇ ସିବିଆଇ ସୂଚନା ପାଇବା ପରେ ଖୋଳତାଡ ଆରମ୍ଭ କରିଛି। ତେବେ ନୋଟିସ୍‍ ପାଇଁ ସିବିଆଇରେ ହାଜର ହୋଇଥିବା ପିଲାସ୍କି ଜଣେ ବିଧାୟକଙ୍କର ଖାସ୍‍ ଅନୁଗତ। ଆସ୍ଥା ଚିଟ୍‍ଫଣ୍ଡ୍‍ର ମୁଖ୍ୟ ଶୁଭ୍ରାଂଶୁଙ୍କ ମର୍ସିଡିଜ୍‍(ଓଆର୍‍ ୦୨ ଏଜେଡ୍‍-୧୧୧୧)କୁ ମାତ୍ର ୮ ଲକ୍ଷ ଟଙ୍କାରେ ପିଲାସ୍କି କିଣିଥିଲେ। ପିଲାସ୍କି ଏତେ କମ୍‍ଦାମରେ କିଭଳି ମର୍ସିଡିଜ୍‍ କାର କିଣିଲେ ସେନେଇ ସିବିଆଇ ଖୋଳତାଡ କରୁଛି। ପିଲାସ୍କିଙ୍କ ମାଲିକାନାରେ ଥିବା ସମୟରେ ଏହି କାର୍‍କୁ ଜଣେ ବିଧାୟକ ଦୀର୍ଘ ଦିନ ଧରି ବ୍ୟବହାର କରୁଥିଲେ। ସୂଚନା ଅନୁସାରେ ୨୦୦୯ରେ ଯେତେବେଳେ ରାଜ୍ୟରେ ଚିଟ୍‍ଫଣ୍ଡ୍‍ ବ୍ୟବସାୟ ଜୋର୍‍ସୋର୍‍ରେ ଚାଲିଥିଲା ସେହି ସମୟରେ ଶୁଭ୍ରାଂଶୁ ଏହି ମର୍ସିଡିଜ୍‍ କାର୍‍କୁ ପ୍ରାୟ ୪୦ ଲକ୍ଷ ଟଙ୍କା ଦେଇ କିଣିଥିଲେ। ୨୦୦୯ ଜୁନ୍‍ ୧୦ରେ ଶୁଭ୍ରାଂଶୁଙ୍କ ନାମରେ ଏହି କାର୍‍ଟି ଥିଲା। ୨୦୧୩ରେ ଏହାକୁ ପିଲାସ୍କି ମାତ୍ର ୮ ଲକ୍ଷ ଟଙ୍କାରେ କିଣିଥିଲେ। ଏନେଇ ସିବିଆଇ ଅଧିକାରୀମାନେ ଭୁବନେଶ୍ୱର ଆର୍‍ଟିଓ କାର୍ଯ୍ୟାଳୟକୁ ଯାଇ ଅନୁସନ୍ଧାନ କରିବା ପରେ ପିଲାସ୍କିଙ୍କୁ ନୋଟିସ୍‍ କରିଥିଲେ। ପିଲାସ୍କି ଶୁକ୍ରବାର ସିବିଆଇ ନିକଟରେ ହାଜର ହୋଇ କାର୍‍ର ମାଲିକାନା ଏବେ ତାଙ୍କ ନାମରେ ରହିଥିବା କହିଛନ୍ତି। ସେ ସମ୍ପର୍କିତ କାଗଜପତ୍ର ମଧ୍ୟ ସିବିଆଇ ନିକଟରେ ଦାଖଲ କରିଛନ୍ତି। ଶୁଭ୍ରାଂଶୁଙ୍କ ସହିତ ପିଲାସ୍କିଙ୍କର ସମ୍ପର୍କ ଏବଂ ପିଲାସ୍କିଙ୍କର କଟକ ଜିଲାର ଜଣେ ବିଧାୟକଙ୍କ ସହିତ କି ସମ୍ପର୍କ ରହିଛି ତାହାର ଖୋଳତାଡ଼ ଆରମ୍ଭ କରିଛି ସିବିଆଇ। ଶୁଭ୍ରାଂଶୁଙ୍କର ଘର ଜଗତସିଂହପୁର ଜିଲାର ବଡ଼ପାଳ ଗ୍ରାମରେ। ଜମାକାରୀଙ୍କ ଅର୍ଥରେ ଶୁଭ୍ରାଂଶୁ ହେଲିକପ୍ଟର ଚଢ଼ି ଏକାଧିକ ବାର ନିଜ ଗ୍ରାମକୁ ଯାଇ ଚର୍ଚ୍ଚାର ପରିସରକୁ ଆସିଥିଲା।
ଆସ୍ଥା ଇଣ୍ଟରନ୍ୟାସନାଲ୍‍ କମ୍ପାନୀର ବାପୁଜୀନଗରଠାରେ ମୁଖ୍ୟ କାର୍ଯ୍ୟାଳୟ ଥିଲା। ୨୦୧୩ ଜୁନ୍‍ ୭ରେ କ୍ରାଇମ୍‍ବ୍ରାଞ୍ଚ ଇଓଡବ୍ଲ୍ୟୁ ଶୁଭ୍ରାଂଶୁଙ୍କୁ ଗିରଫ କରିଥିଲା। ପରେ ଏହି ମାମଲାର ତଦନ୍ତ ୨୦୧୪ରେ ସିବିଆଇ ଆରମ୍ଭ କରିଥିଲା।

Leave A Reply