ଭାରତବର୍ଷରେ ସେ ସମୟରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଶାସନ କରୁଥାନ୍ତି। ତାଙ୍କ ଶାସନର ଖ୍ୟାତି ଦେଶ-ବିଦେଶରେ ବ୍ୟାପି ଯାଇଥିଲା। ଥରେ ଜଣେ ଚୀନ ଭ୍ରମଣକାରୀ ଚନ୍ଦ୍ରଗୁପ୍ତଙ୍କ ଦରବାରରେ ମହାମନ୍ତ୍ରୀ ଥିବା ଚାଣକ୍ୟଙ୍କୁ ଭେଟିବା ଆଶାରେ ଭାରତ ଆସିଥିଲେ। ପୂର୍ବରୁ ସେ ଚାଣକ୍ୟଙ୍କ ପ୍ରଚଣ୍ଡ ବୁଦ୍ଧିମତ୍ତା, ପ୍ରଖର ଧୀଶକ୍ତି ସମ୍ପର୍କରେ ଜାଣିଥିଲେ। ଏହା ମଧ୍ୟ ଜାଣିଥିଲେ ଯେ ସେ ଜଣେ ଅସାଧାରଣ କୂଟନୀତିଜ୍ଞ। ଚାଣକ୍ୟଙ୍କୁ ସାକ୍ଷାତ ନକରି ଭାରତବର୍ଷରୁ ଫେରିଯିବା ଦ୍ବାରା ତାଙ୍କର ଭାରତ ଯାତ୍ରା ପୂର୍ଣ୍ଣାଙ୍ଗ ହେବନାହିଁ। ତେବେ ଚାଣକ୍ୟଙ୍କ ନିବାସସ୍ଥଳୀ ସମ୍ପର୍କରେ ଭ୍ରମଣକାରୀଙ୍କୁ ଜଣାନଥିଲା। ବିଭିନ୍ନ ଆଡ଼ ବୁଲିବା ଭିତରେ ସେଦିନ ପ୍ରାତଃ କାଳରେ ଏକ ନଦୀ ତଟରେ ବୁଲୁଥିବା ସମୟରେ ପରିବ୍ରାଜକ ଦେଖିଲେ ଜଣେ େପ୍ରୗଢ଼ ନଦୀରେ ସ୍ନାନସାରି ଲୁଗା ଚିପୁଡ଼ି ସାଥିରେ ଆଣିଥିବା ଢ଼ାଳରେ ପାଣି ଭର୍ତ୍ତି କରି ଯିବାକୁ ଉଦ୍ୟତ ହେବା ସମୟରେ ପରିବ୍ରାଜକ ତାଙ୍କୁ ନମସ୍କାର କରି କହିଥିଲେ- ‘ମହାଶୟ! ମୁଁ ଚୀନ ଦେଶରୁ ଆସିଥିବା ଜଣେ ଭ୍ରମଣକାରୀ। ଭାରତବର୍ଷର ଅନେକ ସ୍ଥାନ ବୁଲିଲିଣି। ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ଦରବାରରେ ମହାମନ୍ତ୍ରୀ ଥିବା, ଅସାଧାରଣ କୂଟନୀତି ବିଶାରଦ କୁହାଯାଉଥିବା ଚାଣକ୍ୟଙ୍କୁ ମୁଁ ଭେଟିବା ପାଇଁ ଚାହୁଁଛି। ଆପଣ ତାଙ୍କ ଠିକଣା ମୋତେ କହିପାରିବେ କି?’
‘ଆପଣ ମୋର ପଶ୍ଚାତ୍ଗମନ କରନ୍ତୁ’- କହି ଆଗେଆଗେ ଚାଲିଲେ ପ୍ରୌଢ଼, ପଛେପଛେ ପରିବ୍ରାଜକ। ସେମାନେ ଯେଉଁ ରାସ୍ତାରେ ଯାଉଥିଲେ ତାହା କୌଣସି ନଗରୀ ଅଭିମୁଖେ ନଥିଲା। ଥିଲା ଜଙ୍ଗଲ ଦିଗରେ। ଭ୍ରମଣକାରୀ ମନେମନେ ଭାବୁଥାନ୍ତି ଏତେ ବଡ଼ ସାମ୍ରାଜ୍ୟର ମହାମନ୍ତ୍ରୀଙ୍କ ନିବାସ ସ୍ଥଳକୁ ଏମିତି ଅଣ-ଓସାରିଆ ବାଟ! ଜଙ୍ଗଲ ଭିତରେ କିଛି ବାଟ ଯିବା ପରେ ଏକ କୁଟିର ନିକଟରେ ବୃଦ୍ଧ ପହଞ୍ଚିଥିଲେ। ଚତୁର୍ଦିଗରେ ଥିଲା ଶାନ୍ତ ସୁନ୍ଦର ପରିବେଶ। କୁଟିରର ଦ୍ବାରଦେଶରେ ପହଞ୍ଚି ପ୍ରୌଢ଼ ଭ୍ରମଣକାରୀଙ୍କ ଉଦ୍ଦେଶ୍ୟରେ କହିଥିଲେ- ‘ମହାମନ୍ତ୍ରୀ ଚାଣକ୍ୟ ଆପଣା ଅତିଥିଙ୍କୁ ସ୍ବାଗତ କରୁଛନ୍ତି। ଭିତରକୁ ଆସନ୍ତୁ ମହାଶୟ।’ ଭ୍ରମଣକାରୀ ଏହା ଶୁଣି ନିଜ କର୍ଣ୍ଣକୁ ବିଶ୍ବାସ କରି ପାରିଲେ ନାହିଁ। ତାଙ୍କୁ ଲାଗିଲା- କିଛି ଭୁଲ୍ ଶୁଣି ନାହାନ୍ତି ତ। ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ମହାମନ୍ତ୍ରୀ ଥିବା ଚାଣକ୍ୟ ଯେ ଏଭଳି ଏକ କୁଟିରରେ ରହିଛନ୍ତି, ତାହା ପୁଣି ଜଙ୍ଗଲ ଭିତରେ, ତାଙ୍କର ଜୀବନଶୈଳୀ ଯେ ଏତେ ସାଦାସିଧା ହୋଇପାରେ, ଏହା କଳ୍ପନାର ବାହାରେ ଥିଲା, ଅବିଶ୍ବସନୀୟ ଥିଲା ତାଙ୍କ ପାଇଁ। ଚାଣକ୍ୟ ଭ୍ରମଣକାରୀଙ୍କୁ ଭାରତୀୟମାନଙ୍କର ସରଳ ଜୀବନ ଶୈଳୀ ସମ୍ପର୍କରେ ବୁଝାଇଥିଲେ। ସରଳ ଜୀବନ, ଉଚ୍ଚଚିନ୍ତା ଓ ଆଦର୍ଶକୁ ନେଇ ଜୀବନ ନିର୍ବାହ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ବୋଲି ଭ୍ରମଣକାରୀଙ୍କର ହୃଦ୍ବୋଧ ହୋଇଥିଲା।



