ଲଦାଖ : ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ସୈନିକମାନେ ଭାରତୀୟ ସୀମାର ୫କିଲୋମିଟର(କିମି) ଭିତରକୁ ପ୍ରବେଶ କରି ଅନାୟାସରେ ଫେରିଯାଇଛନ୍ତି। ଏହି ଘଟଣା ଗତ ୬ତାରିଖରେ ଘଟିଥିଲେ ମଧ୍ୟ ବିଳମ୍ବରେ ସାମ୍ନାକୁ ଆସିଛି।
ସୂଚନାନୁଯାୟୀ, ଲଦାଖ ସେକ୍ଟରର ଡେମ୍ଚୋକ୍ଠାରେ ତୀବ୍ବତୀୟମାନେ ଦଲାଇଲାମାଙ୍କ ୮୪ତମ ଜନ୍ମ ଦିବସ ପାଳନ ଅବସରରେ ସେମାନଙ୍କ ପତାକା ଉତ୍ତୋଳନ କରିଥିଲେ। ଏହି ସମୟରେ ପିଏଲଏ ସୈନିକମାନେ ଏକ ଗାଡ଼ି(ଏସ୍ୟୁଭି)ରେ ଭାରତୀୟ ସୀମା ଅତିକ୍ରମ କରି ଉତ୍ସବ ସ୍ଥଳେର ପହଞ୍ଚିଥିଲେ ଓ ଏହାର ପ୍ରତିବାଦ କରିଥିଲେ। ସେମାନେ ପ୍ରାୟ ୫କିଲୋମିଟର ଭାରତୀୟ ଅଞ୍ଚଳକୁ ପଶି ଆସିଥିଲେ। ସେଠାରେ ୁପସ୍ଥିତ ଭାରତୀୟ ଯବାନମାନେ ସେମାନଙ୍କୁ ଅଟକାଇବା ସହ ଆଗକୁ ବଢ଼ିବାର ସୁଯୋଗ ଦେଇ ନ ଥିଲେ। ଏହା ସତ୍ତ୍ବେ ଚୀନ୍ ସୈନିକମାନେ ସେଠାରେ କିଛି ଘଣ୍ଟା ରହିଥିଲେ। ଭାରତୀୟ ସେନା ସେମାନଙ୍କୁ ତୀବ୍ବତୀୟଙ୍କ କାର୍ଯ୍ୟକ୍ରମର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଫେରିଯାଇଥିଲେ ବୋଲି ଶୁକ୍ରବାର ଜଣେ ସରକାରୀ ଅଧିକାରୀ କହିଛନ୍ତି।



