ଚୀନରେ ମୁସଲମାନଙ୍କୁ ନିର୍ଯାତନା: ଖାଉଛନ୍ତି ଘୁଷୁରୀ ମାଂସ, ପିଉଛନ୍ତି ମଦ
ୱାଶିଂଟନ : ଚୀନରେ ବସବାସ କରୁଥିବା ମୁସଲମାନଙ୍କ ଉପରେ ପ୍ରତିଦିନ ଅକଥନୀୟ ଅତ୍ୟାଚାର ହେଉଛି ବୋଲି ଆମେରିକାର ପ୍ରସିଦ୍ଧ ଖବରକାଗଜ ୱାଶିଂଟନ ପୋଷ୍ଟରେ ପ୍ରକାଶ ପାଇଛି। ଏହି ଖବର ଅନୁସାରେ ଚୀନ ନିଜ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଶିକ୍ଷା ଶିବିର ଆଳରେ ବନ୍ଦୀ କରି ରଖିଛି। ଏହି ଶିବିରରୁ ବହାରକୁ ଆସିଥିବା କିଛି ମୁସଲମାନ ଚୀନ ନିର୍ଯାତନାର କାହାଣୀ ବଖାଣିଛନ୍ତି। ସେମାନେ କହିଛନ୍ତି ଯେ ଏହି କ୍ୟାମ୍ପରେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଘୁଷୁରୀ ମାଂସ ଖାଇବାକୁ ଓ ମଦ ପିଇବାକୁ ବାଧ୍ୟ କରାଯାଉଛି। ଚୀନର ଜିନଜିଆଙ୍ଗ ପ୍ରଦେଶରେ ଖୋଲାଯାଇଥିବା ରିଏଜୁକେଶନ ନାମକ ଏହି ଶିବିରରେ ମୁସଲମାନଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଛି । ଇସଲାମ ସରିୟାରେ ଘୁଷରୀ ମାଂସ ଖାଇବା ଓ ମଦ ପିଇବା ବେଆଇନ୍। ସବୁ ଦିନ ସେମାନଙ୍କୁ କମ୍ୟୁନିଷ୍ଟ ଦଳର ବହି ପଢିବାକୁ ବାଧ୍ୟ କରାଯାଉଛି। ପ୍ରତିଦିନ ଶିବିରରେ ରାଷ୍ଟ୍ରପତି ଜିନ୍ପିଙ୍ଗଙ୍କୁ ଧନ୍ୟବାଦ ଅର୍ପଣ ଏବଂ ତାଙ୍କ ଦୀର୍ଘ ଆୟୁ କାମନା କରି ସ୍ଲୋଗାନ ଦେବାକୁ କୁହାଯାଉଛି। ଶିବିରରୁ କେହି ଖସିଯିବାକୁ ଉଦ୍ୟମ କରୁଥିବା ଲୋକଙ୍କ ହାତ ଓ ଗୋଡ଼ରେ ଜଞ୍ଜିର ବାନ୍ଧି ଦିଆଯାଉଛି। ନିୟମ ପାଳନ ନକଲେ ମୁହଁରେ ମଇଳା ପାଣି ଢାଳି ଦିଆଯାଉଛି । ପ୍ରକାଶ ଯେ ଚୀନର ଜିନଜିଆଙ୍ଗ ପ୍ରଦେଶରେ ୧ କୋଟି ୧୦ ଲକ୍ଷ ମୁସଲମାନ ଅଛନ୍ତି। ଶିକ୍ଷା ଶିବିର ନାମରେ ସେମାନଙ୍କୁ ବନ୍ଦୀ କରି ରଖାଯାଇଛି।