ଚୀନର ଭାରତକୈନ୍ଦ୍ରିକ ବିଦେଶ ନୀତି; ଭାରତୀୟ ଉପମହାଦେଶରେ ଅସ୍ଥିରତା ଜାରି ରଖିବା ଚୀନର ମୂଳ ଉଦ୍ଦେଶ୍ୟ
କୌଣସି ଦେଶର ଆଭ୍ୟନ୍ତରୀଣ ମାମଲାରେ ଆଉ ଏକ ଦେଶ ହସ୍ତକ୍ଷେପ କରିବାକୁ ଅନ୍ତର୍ଜାତୀୟ ରାଜନୀତିରେ ଏକାଧିକାର କୁହାଯାଏ। ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ଚୀନ୍ ବୈଦେଶିକ ନୀତିର ପ୍ରମୁଖ ଅଂଶ କୁହାଯାଇପାରେ। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ କ୍ରମାଗତ ଏପରି କରିଚାଲିଛନ୍ତି। ସେ ନିଜକୁ ବିଶ୍ବର ସର୍ବେସର୍ବା ମନେ କରୁଥିବା ଜଣାପଡ଼ୁଛି। ନିକଟରେ ତିବ୍ବତ ଗସ୍ତ କରି ସେ ଉଭୟ ଭାରତ ଓ ଆମେରିକାକୁ ଖୋଲାଖୋଲି ଆହ୍ବାନ ଦେଇଛନ୍ତି। ଚୀନ୍ ବେଆଇନ ପୂର୍ବକ ତିବ୍ବତକୁ ଅକ୍ତିଆର କରି ଦୀର୍ଘ ଦିନ ହେଲା ଶାସନ ଚଳାଇ ଆସୁଛି। ରାଜଧାନୀ ଲାସା ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ। ଏହି ସହରକୁ ଚୀନ୍ ପ୍ରଶାସନ ଅନ୍ୟ ଦେଶର ସାମ୍ବାଦିକ ଅଥବା ବିଶେଷଜ୍ଞ ଦଳକୁ ପ୍ରବେଶ କରାଇବାକୁ ଦେଉ ନାହାନ୍ତି। ଏଥିପାଇଁ ତିବ୍ବତ ରାଜଧାନୀ ଲାସାକୁ ପ୍ରତିବନ୍ଧିତ ସହର କୁହାଯାଏ। ତିବ୍ବତକୁ କରାୟତ୍ତ କରିବାର ୭ ଦଶକ ବିତିଯାଇଥିଲେ ହେଁ ଚୀନ୍ ସେଠାରେ ନିଜକୁ ଅସୁରକ୍ଷିତ ମଣୁଛି। ତିବ୍ବତ ହେଉଛି ବୌଦ୍ଧ ଧର୍ମାବଲମ୍ବୀଙ୍କ ସ୍ଥାନ। ଏପଟେ ଚୀନ୍ ହେଉଛି କମ୍ୟୁନିଷ୍ଟ ବିଚାରଧାରା ସମ୍ପନ୍ନ ଦେଶ। ଚୀନ୍ର କମ୍ୟୁନିଷ୍ଟ ସରକାର କୌଣସି ଧର୍ମକୁ ମାନନ୍ତି ନାହିଁ। ଧାର୍ମିକ କାର୍ଡ ଖେଳି ତିବ୍ବତବାସୀଙ୍କୁୁ ଆପଣାର କରିବା ପାଇଁ ଜିନ୍ପିଙ୍ଗ ନିକଟରେ ତିବ୍ବତ ଯାଇଥିବା କୁହାଯାଉଛି। ୧୯୫୧ରେ ତିବ୍ବତକୁ ଚୀନ୍ ନିଜ ନିୟନ୍ତ୍ରଣକୁ ନେଇଥିଲା। ଏହାପରେ ତିବ୍ବତର ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା ନିଜ ଅନୁଗାମୀଙ୍କ ସମେତ ଭାରତରେ ଶରଣ ନେଇଥିଲେ। ଦଲାଇ ଲାମା ଭାରତରେ ଥାଇ ତିବ୍ବତରେ ନିର୍ବାସନ ସରକାର ଚଳାଇଛନ୍ତି। ପ୍ରତିଟି ତିବ୍ବତବାସୀଙ୍କ ଆଧ୍ୟାତ୍ମିକ ଗୁରୁ ହେଉଛନ୍ତି ଦଲାଇ ଲାମା। ତେଣୁ ତିବ୍ବତରୁ କିପରି ଦଲାଇ ଲାମାଙ୍କ ପ୍ରଭାବ ହ୍ରାସ କରିହେବ ସେ ନେଇ ଜିନପିଙ୍ଗ ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି। ଦଲାଇ ଲାମାଙ୍କ ବାର୍ଦ୍ଧକ୍ୟର ଦ୍ବାହି ଦେଇ ଚୀନ୍ ତାଙ୍କ ସ୍ଥାନରେ ନିଜ ମନ ମୁତାବକ ଆଉ ଜଣେ ଧର୍ମଗୁରୁ ବାଛିବା ପାଇଁ ପ୍ରୟାସ ଚଳାଇଛି। ଚୀନ୍ ପ୍ରତି ନିଷ୍ଠା ରଖୁଥିବା ଧର୍ମଗୁରୁ ଅନ୍ବେଷଣ ପାଇଁ ଗତ କିଛି ବର୍ଷ ହେଲା ସି ଜିନ୍ପିଙ୍ଗ ଉଦ୍ୟମ ଚଳାଇଛନ୍ତି। ଆମେରିକା ଓ ଭାରତ ଚୀନ୍ର ଏପରି ପ୍ରୟାସକୁ ବିରୋଧ କରିଆସୁଛନ୍ତି। ଗତ ବର୍ଷ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂତନ ତିବ୍ବତ ନୀତି ପ୍ରଣୟନ କରିଥିଲେ। ବୌଦ୍ଧ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ମନୋନୟନ କରିବାର ଅଧିକାର କେବଳ ତିବ୍ବତବାସୀଙ୍କର ା ଏଥିରେ ଚୀନ୍ର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି ଟ୍ରମ୍ପ କହିଥିଲେ। ତିବ୍ବତର ରାଜଧାନୀ ଲାସାରେ ଆମେରିକାର ବାଣିଜ୍ୟିକ ଦୂତାବାସ ଖୋଲାଯିବା ସହ ଏହି ସମସ୍ୟା ସମାଧାନ ପାଇଁ ଏକ ଅନ୍ତର୍ଜାତୀୟ ମେଣ୍ଟ ଗଠନ କରିବାକୁ ଆମେରିକା ପ୍ରସ୍ତାବ ଦେଇଥିଲା।
ସାମରିକ ଦୃଷ୍ଟିକୋଣରୁ ତିବ୍ବତ ଭାରତ ପାଇଁ ଅଧିକ ଗୁରୁତ୍ବ ବହନ କରେ। କାରଣ ଭାରତର ଅରୁଣାଚଳ ପ୍ରଦେଶ ତିବ୍ବତ ସୀମାକୁ ଲାଗିଛି। ତିବ୍ବତ ପ୍ରସଙ୍ଗରେ ଭାରତ ଉପରେ ଚୀନ୍ ସାମରିକ ଚାପ ପକାଇବା ପାଇଁ ସର୍ବଦା ଉଦ୍ୟମ ଜାରି ରଖିଛି। ଜିନ୍ପିଙ୍ଗ ହେଉଛନ୍ତି ଚୀନ୍ର ପ୍ରଥମ ନେତା ଯିଏକି ଭାରତ ସୀମା ସଂଲଗ୍ନ ତିବ୍ବତ ଅଞ୍ଚଳକୁ ନିକଟରେ ଗସ୍ତ କରିଥିଲେ। ୧୯୧୪ରେ ଇଂରେଜମାନେ ଚୀନ୍ ଓ ଭାରତ ମଧ୍ୟରେ ମ୍ୟାକ୍ମୋହନ ସୀମାରେଖା ସ୍ଥିର କରିଥିଲେ ା ତେବେ ଚୀନ୍ ଏହି ସୀମାରେଖାକୁ ସ୍ବୀକୃତି ଦେଉ ନାହିଁ। ଅରୁଣାଚଳ ପ୍ରଦେଶକୁ ଚୀନ୍ ଦକ୍ଷିଣ ତିବ୍ବତ ବୋଲି ଦର୍ଶାଇ ଆସୁଛି। ଭାରତୀୟ ନେତା ଅରୁଣାଚଳ ପ୍ରଦେଶ ଗସ୍ତ କଲେ ଚୀନ୍ ଆପତ୍ତି ଜଣାଇ ଆସୁଛି। ତିବ୍ବତକୁ ଅକ୍ତିଆର କରିବା ପରେ ଚୀନ୍ ସୀମା ଉଭୟ ଭାରତ ଓ ନେପାଳକୁ ଲାଗି ଯାଇଛି। ତିବ୍ବତର ରାଜଧାନୀ ଲାସାରୁ ନେପାଳର ରାଜଧାନୀ କାଠମାଣ୍ଡୁ ପର୍ଯ୍ୟନ୍ତ ହଜାରେ ୭ଶହ କି.ମି ବ୍ୟାପୀ ରେଳପଥ ଚୀନ୍ ନିର୍ମାଣ କରୁଛି। ସାମରିକ ଦୃଷ୍ଟି କୋଣରୁ ଏହା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ। ନେପାଳରେ ଭାରତର ପ୍ରଭାବ ହ୍ରାସ କରିବା ପାଇଁ ଚୀନ୍ ଦୀର୍ଘଦିନ ହେଲା ଉଦ୍ୟମ ଚଳାଇ ଆସିଛି। ତେବେ ନେପାଳ ଓ ଭାରତବାସୀଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ବୟ ଥିବାରୁ ଚୀନ୍ ଏଥିରେ ସଫଳ ହୋଇ ପାରୁ ନାହିଁ। ଭାରତ ପ୍ରତି ଚୀନ୍ର ବୈଦେଶିକ ନୀତି ହାତର ୫ ଆଙ୍ଗୁଳି ଗଣନା ପରି। ଏହା ହେଲା-ନେପାଳ, ଭୁଟାନ, ଲଦାଖ, ସିକିମ ଓ ଅରୁଣାଚଳ ପ୍ରଦେଶ। ଏହି ଅଞ୍ଚଳଗୁଡ଼ିକୁ କରାୟତ୍ତ କରି ଭାରତକୁ ଦୃଢ ଜବାବ ଦେବା ପାଇଁ ଚୀନ୍ ଚାହୁଁଛି। ତେବେ ଚୀନ୍ର ଏହି ଯୋଜନାକୁ ଭାରତ କାର୍ଯ୍ୟକାରୀ ହେବାକୁ ଦେଉ ନାହିଁ। ଡୋକଲାମ ପ୍ରସଙ୍ଗରେ ଚୀନ୍ ପଛକୁ ଫେରିବାକୁ ବାଧ୍ୟ ହୋଇଥିବାବେଳେ ଅରୁଣାଚଳ ପ୍ରଦେଶରେ ଚୀନ୍ର ଧମକକୁ ଭାରତ ଖାତିର କରୁ ନାହିଁ। ଏପଟେ ନେପାଳର ଓଲି ସରକାର ପରିବର୍ତ୍ତନ ପରେ ଚୀନ୍ ବ୍ୟଥିତ ହୋଇଛି। କାରଣ ଏବେକାର ଦେଓବା ସରକାର ଭାରତର ସପକ୍ଷବାଦୀ। ସିକିମ୍ ପ୍ରସଙ୍ଗ ଚୀନ୍ ପାଇଁ ଯଦିଓ ସେତେଟା ମହତ୍ତ୍ବ ରଖେ ନାହିଁ ତେବେ ଏହି ରାଜ୍ୟକୁ ଅଧିକାରଭୁକ୍ତ କଲେ ବାଂଲାଦେଶ ପର୍ଯ୍ୟନ୍ତ ସଡ଼କ ବିଛାଯାଇ ପାରିବ ବୋଲି ଚୀନ୍ ଭାବୁଛି।
ମୋଟ ଉପରେ କହିବାକୁ ଗଲେ ୧୯୫୨ ନିଶା ଏ ପର୍ଯ୍ୟନ୍ତ ଚୀନ୍ର ପିଛା ଛାଡ଼ି ନାହିଁ। ଗଲୱାନ ଘାଟିରେ ଭାରତୀୟ ସୈନ୍ୟମାନେ ଏପରି ପ୍ରତିରୋଧ କରିବେ ବୋଲି ଚୀନ୍ ଭାବି ପାରି ନଥିଲା। ପୂର୍ବରୁ ଚୀନ୍ ଦୁଇ ହାତ ଭାରତୀୟ ସୀମା ଆଡ଼କୁ ମାଡ଼ି ଆସୁଥିଲା। ଭାରତ ଏଥିରେ ଆପତ୍ତି କରିବା ପରେ ହାତେ ପଛକୁ ଫେରୁଥିଲା। ଏବେ ଆଉ ତାହା ହେଉ ନାହିଁ। ଭାରତ ଦୃଢତାର ସହ ଜବାବ ଦେଉଛି। ଲଦାଖରୁୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଭାରତ ସାମରିକ ଘାଟି ନିର୍ମାଣ କରି ଚୀନ୍ ପଟୁ ଯେ କୌଣସି ଆକ୍ରମଣର ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି। ଏହା ଚୀନ୍କୁ ବିବ୍ରତ କରିଛି। ଚୀନ୍ର ବିଦେଶ ନୀତି କେବଳ ଭାରତ ଉପରେ କେନ୍ଦ୍ରୀଭୂତ ବୋଲି କୁହାଯାଇପାରେ। ଭାରତ ସହ ଲାଗିଥିବା ସୀମାକୁ ଏହି ଦେଶ ଯେପରି ଗୁରୁତ୍ବ ଦେଉଛି, ଅନ୍ୟ ଦେଶର ସୀମାକୁ ସେପରି ନୁହେଁ। ଚୀନ୍ ଯଦି ଭାରତବିରୋଧୀ କାର୍ଯ୍ୟରୁ ବିରତ ନ ରହେ ଭାରତୀୟ ଉପମହାଦେଶରେ ଅଶାନ୍ତ ବାତାବରଣ ସୃଷ୍ଟି ହେବ।
Comments are closed.