ଚିକିଟି: ଏମିତି କିଛି ଲୋକ ଅଛନ୍ତି ଜୀବନ ଜୀବିକା ପାଇଁ ଗୋଟିଏ କାମ ଧନ୍ଦା କରୁଥିବା ବେଳେ ସଉକ କିନ୍ତୁ ଅଲଗା ଥାଏ। ସିଏ ସୌଖିନ ହେଉ କି ବିପଦ ପୂର୍ଣ୍ଣ କିଛି ଫରକ ପଡିନି, ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ରାମଚନ୍ଦ୍ର ସାହୁ, ବୟସ ୪୦, ଘର ରାୟଗଡା ଜିଲା ପଦ୍ମପୁରରେ। ପେଶାରେ ସେ ଜଣେ ରାଜମିସ୍ତ୍ରୀ ହେଲେ ନିଶା ହେଉଛି ସାପ ଧରିବା। ବିଗତ ସାତ ବର୍ଷ ମଧ୍ୟରେ ସେ ସାତ ସହରୁ ଊର୍ଦ୍ଧ ବିଭିନ୍ନ ପ୍ରଜାତିର ବିଷଧର ସର୍ପ ଧରି ଜଙ୍ଗଲରେ ଛାଡିଲେଣି। ବର୍ତ୍ତମାନ ସେ ଚିକିଟି ବିଜ୍ଞାପିତ ଅଂଚଳ ଚିକିଟି ପେଣ୍ଠରେ ଦୁଇବର୍ଷ ଧରି ବାସିନ୍ଦା ହୋଇଗଲେଣି। କାମଧନ୍ଦା ଅଭାବ ହେବାରୁ ଗତ ଦୁଇବର୍ଷ ତଳେ ନିଜ ଭିଟାମାଟି ପଦ୍ମପୁର ଛାଡି ଭିଣୋଇ ଘର ଚିକିଟି ପେଣ୍ଠକୁ ଏକା ଆସିଥିଲେ। କ୍ରମଶଃ ରାଜମିସ୍ତ୍ରୀ ଭାବେ ଚାହିଦା ବଢ଼ିବାରୁ ଚିକିଟି ପେଣ୍ଠରେ ନିଜସ୍ୱ ଘର ନିର୍ମାଣ କରି ପରିବାର ସହ ବସବାସ କରୁଛନ୍ତି। ବ୍ରହ୍ମପୁର ସ୍ନେକ ହେଲ୍ପ ଲାଇନ ସହ ସେ ବର୍ତ୍ତମାନ ଅନୁବନ୍ଧିତ ବି ହୋଇସାରିଛନ୍ତି। ସାପ ଧରିବା କେମିତି ଶିଖିଲେ ବୋଲି ପଚାରିବାରେ ସେ କହିଥିଲେ ରାଜମିସ୍ତ୍ରୀ କାମରେ ନିୟୋଜିତ ଥିବାରୁ ନୂଆ ଘର ତିଆରି ବେଳେ ଗଛିତ ଥିବା ଇଟା ପଥର ଗଦାରେ ବିଭିନ୍ନ ବିଷଧର ସାପ ଦେଖା ଯାଇଥାଏ। ସାପା ଦେଖି ଭୟଭୀତ ହୋଇ ଶ୍ରମିକ ରୁହନ୍ତି। ପ୍ରାୟ ଅଂଚଳରେ ସାପ ଧରାଳି ହଟାତ ମିଳନ୍ତି ନାହିଁ।
ଯଦିବା ମିଳନ୍ତି ୫୦୦ ଟଙ୍କାରୁ ଅଧିକ ପାରିଶ୍ରମିକ ଡିମାଣ୍ଡ କରନ୍ତି। ଠିକା କାମରେ ଘର ତୋଳାଉଥିବା ଯୋଗୁଁ ପ୍ରଥମେ ସାହସ ଜୁଟାଇ ସାପ ଧରିଲି କ୍ରମଶଃ ଏହା ଅଭ୍ୟାସରେ ପରିଣତ ହେଲାଣି। ସାପ ଧରିବା ନିଷିଦ୍ଧ ଯୋଗୁଁ ଜଙ୍ଗଲ ବିଭାଗ ଧରପଗଡ଼ରୁ ବର୍ତ୍ତିବା ପାଇଁ ସ୍ନେକ ହେଲ୍ପ ଲାଇନ ର ସାର ମାନଙ୍କ ସହ ଯୋଗାଯୋଗ ରେ ରହିବା ପରେ ସାପ ଧରିବା ପାଇଁ ପ୍ରତିବନ୍ଧକ ଆଉ ରହୁନି। ନାଗ ସାପ ଗୁଡିକ ଚିକିଟି ଉପକଣ୍ଠରେ ରହିଥିବା ଋଷିଦଲ୍ଲୀ ପାହାଡରେ ଛଡ଼ାଯାଉଛି। ଅହିରାଜ, ଅଜଗର ବିରଳ ଏବଂ ଭୟଙ୍କର ବିଷଧର ସାପ ଧରାପଡ଼ିଲେ ବ୍ରହ୍ମପୁର ସ୍ନେକ ଲାଇନକୁ ହସ୍ତାନ୍ତର କରାଯାଉଛି l ସେଗୁଡିକୁ ସ୍ନେକ ଲାଇନ ସହର, ଗାଁର ବହୁ ଦୂରରେ ରହିଥିବା ଘଞ୍ଚ ଜଙ୍ଗଲରେ ଛାଡ଼ନ୍ତି ବୋଲି ସେ ସୂଚନା ଦେଇଛନ୍ତି। ହାତ ପାହାନ୍ତରେ ସାପ ଧରାଳି ମିଳିଯିବାରୁ ଅଂଚଳ ଲୋକ ବି ଖୁସି ଅଛନ୍ତି। ସାପ ଧରିବା ବେଳେ ପ୍ରତି ମୁହୂର୍ତ୍ତରେ ବିପଦ ଥିଲେ ମଧ୍ୟ ସେ ଆଗ୍ରହ ଓ ନିର୍ଭୟର ସହ ସାପ ଧରାକୁ ଆପଣେଇ ନେଇଛନ୍ତି।



