ଭୁବନେଶ୍ବର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ସୃଷ୍ଟି ଦିଗରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଜାତୀୟ ତାପଜ ବିଦ୍ୟୁତ ନିଗମ ଲିଃର ଅଧ୍ୟକ୍ଷ ଗୁରୁଦୀପ ସିଂଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାରେ ମୁଖ୍ୟତଃ ତାଳଚେରଠାରେ ଟିଟିପିଏସ୍ ନୂଆ ୟନିଟ୍ ପ୍ରତିଷ୍ଠା ସହ ସ୍ଥାନୀୟ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଓ ଅସୁବିଧା ଆଦି ବିଷୟରେ ଆଲୋଚନା ହୋଇଥିଲା।
ଆଲୋଚନା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ତାଳଚେର ଟିଟିପିଏସ୍ର ନୂଆ ୟୁନିଟ୍ ପ୍ରତିଷ୍ଠା ବିଷୟରେ ନୀତିଗତ ନିଷ୍ପତ୍ତି ହୋଇଛି। ଖୁବ୍ ଶୀଘ୍ର ଗ୍ରୀଡ୍ଗୋ, ଏନ୍ଟିପିସି, ଶକ୍ତି ଏବଂ ଅନ୍ୟାନ୍ୟ ସଂପୃକ୍ତ ବିଭାଗମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ନୂଆ ୟୁନିଟ୍ ପ୍ରତିଷ୍ଠା ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କର ଅଭିଯୋଗର ଆଶୁ ସମାଧାନ ନିମନ୍ତେ ନିର୍ଦ୍ଧିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହେବ। ଏହି ମିଳିତ କାର୍ଯ୍ୟ ଯୋଜନାର ତ୍ବରାନ୍ବିତ କାର୍ଯ୍ୟାନ୍ବୟନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେବୋଲି ଶ୍ରୀ ମହାପାତ୍ର କହିଥିଲେ।



