www.samajalive.in
Sunday, December 7, 2025
13.1 C
Bhubaneswar

ଓଡ଼ିଶାରେ ନିବେଶ ପାଇଁ ନବୀନଙ୍କ ଆହ୍ୱାନ

୩୬ ଘଣ୍ଟିଆ ସ୍ମାର୍ଟ ଓଡ଼ିଶା ହାକାଥନ୍‍ର ଶୁଭାରମ୍ଭ

ଭୁବନେଶ୍ୱର : ମେକ୍‍ ଇନ୍‍ ଓଡ଼ିଶା ସମ୍ମିଳନୀ ୨୦୧୮ ଅନ୍ତର୍ଗତ ଓଡ଼ିଶା ସରକାରଙ୍କ ପକ୍ଷରୁ ଚେନ୍ନଇରେ ଆଜି ଏକ ରୋଡ୍‍ ଶୋ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକମାନଙ୍କୁ ଭେଟି ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ ଦେଇଛନ୍ତି। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ଦେଇ ଆସିଥିବା ପ୍ରତିଶ୍ରୁତିକୁ ସେ ଦୋହରାଇଛନ୍ତି।
ରାଜ୍ୟରେ ପୁଞ୍ଜିନିବେଶ ଜରିଆରେ ଶିଳ୍ପ ସ୍ଥାପନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଅହମ୍ମଦାବାଦ, ମୁମ୍ୱଇ, କଲକାତା ଏବଂ ନୂଆଦିଲ୍ଲୀ ପରେ ଚେନ୍ନଇଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଭଳି ରୋଡ୍‍ ଶୋ’ କରାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଚେନ୍ନଇ ଗସ୍ତ କରିଥିଲେ। ଭାରତୀୟ ବାଣିଜ୍ୟ ଓ ଶିଳ୍ପ ସଂଘ(ଫିକି) ସହଯୋଗରେ ଆୟୋଜିତ ଏହି ରୋଡ୍‍ ଶୋ ଅବସରରେ ନବୀନ୍‍ ଦକ୍ଷିଣ ଭାରତର କେତେ ଜଣ ନାମୀ ଶିଳ୍ପପତିଙ୍କୁ ଭେଟି ପୃଥକ୍‍ ଭାବେ ଆଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ ମୁରୁଗପ୍ପା ଗ୍ରୁପ୍‍ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏମ.ଏମ୍‍. ମୁରୁଗପ୍ପାନ, ଟାଫେ ଅଧ୍ୟକ୍ଷା ସୁଶ୍ରୀ ମଲ୍ଲିିକା ଶ୍ରୀନିବାସନ୍‍, ସେରଟେକ୍ସ ପେଟ୍ରୋ କେମିକାଲ୍ସ ଏମଡି ଏସ୍‍. ଇଲାନାହ,ଚେତିନାଦ୍‍ ଗ୍ରୁପ୍‍ର ପରିଚାଳନା ନିର୍ଦେଶକ ଏମ୍‍ଏଏମ୍‍ଆର ମୁଥିହା, ରାମକୋ ଗ୍ରୁପ୍‍ର ଅଧ୍ୟକ୍ଷ ପି.ଆର୍‍. ଭେଙ୍କଟରାମା ରାଜା, ଶ୍ରୀରାମ ଗ୍ରୁପ୍‍ ଅଧ୍ୟକ୍ଷ ଆର୍‍. ଥ୍ୟାଗ୍‍ରାଜନ୍‍ ପ୍ରମୁଖ ରହିଛନ୍ତି। ଏହି ରୋଡ୍‍ ଶୋ’ରେ ତାମିଲନାଡୁର ୩୫୦ରୁ ଅଧିକ କମ୍ପାନୀ ଅଂଶଗ୍ରହଣ କରିଥିଲେ। ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ, ସମୁଦ୍ର ଜାତ ଖାଦ୍ୟପଦାର୍ଥ, ଧାତୁ କ୍ଷେତ୍ରର ସହଯୋଗୀ ଶିଳ୍ପ, ବୟନ ଶିଳ୍ପ, ସ୍ୱାସ୍ଥ୍ୟ, ଇଏସଡିଏମ୍‍ ମାନୁଫାକ୍‍ଚରିଂ, ରସାୟନ୍‍, ପ୍ଳାଷ୍ଟିକ୍‍ ଶିଳ୍ପରେ ପୁଞ୍ଜିନିବେଶ ପାଇଁ କମ୍ପାନୀଗୁଡିକ ବିଶେଷ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଛନ୍ତି।
ନିବେଶକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଲେ, ପ୍ରାକୃତିକ ସମ୍ପଦ ହିଁ ଓଡ଼ିଶାର ପ୍ରକୃତ ଶକ୍ତି। ମୋ ସରକାରର ୧୮ ବର୍ଷ ଶାସନ କାଳ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦର ବିକାଶରେ ମୂଲ୍ୟଯୁକ୍ତ ଉତ୍ପାଦକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ଧାତୁ କ୍ଷେତ୍ରର ବିକାଶ ସମ୍ଭବ ହୋଇପାରିଛି। ଓଡ଼ିଶା ଆଲୁମିନିୟମ୍‍ ଏବଂ ଇସ୍ପାତ ଶିଳ୍ପରେ ପ୍ରମୁଖ ସ୍ଥାନ ହାସଲ କରିପାରିଛି। ସେହିପରି ଶକ୍ତି ସଞ୍ଚରଣ ତିନିଗୁଣା ବଢ଼ିଥିବାବେଳେ ପରିବହନ ବ୍ୟବସ୍ଥାରେ ୫୦% ବୃଦ୍ଧି ଘଟିଛି। ବିଗତ ୧୦ ମାସ ମଧ୍ୟରେ ଗୋ-ସ୍ୱିଫ୍ଟ (ନିବେଶକ ଫାସିଲିଟେସନ୍‍ ଏବଂ ଟ୍ରାକିଂ ନିମନ୍ତେ ରାଜ୍ୟ ସରକାରଙ୍କ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ)ରେ ୪୦୦ ପ୍ରସ୍ତାବ ଗ୍ରହଣ ହୋଇଛି। ଏହା ଅନ୍ତର୍ଗତ ଯାଜପୁରର କଳିଙ୍ଗନଗରଠାରେ ଟାଟା ଷ୍ଟିଲ୍‍ ପ୍ରୋସେସିଂ ଏବଂ ବିତରଣ ଲିମିଟେଡ୍‍ ପକ୍ଷରୁ ବାର୍ଷିକ ୧,୮୦,୦୦୦ୟୁନିଟ୍‍ କ୍ଷମତା ବିଶିଷ୍ଟ ଷ୍ଟିଲ ଡୋର୍‍ ଏବଂ ୱିଣ୍ଡୋ ସ୍ଥାପନ କରାଯିବ। ଏହି ପ୍ରକଳ୍ପରେ ୯୨ କୋଟି ଟଙ୍କା ନିବେଶ ହେବ। ଏହାଦ୍ୱାରା ୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ ୨୦୧୮ ଅର୍ନ୍ତଗତ ୩୬ ଘଣ୍ଟିଆ ସ୍ମାର୍ଟ ଓଡ଼ିଶା ହାକାଥନ୍‍ର ଶୁଭାରମ୍ଭ କରିଛନ୍ତିି। ଏଥିରେ ବିଭିନ୍ନ ଉଦ୍ୟୋଗ ଏବଂ ଶିକ୍ଷାର୍ଥୀଙ୍କୁ ଆହ୍ୱାନ କରାଯାଇଛି। ଏଥିରେ ଯାଞ୍ଚ ପରେ ପ୍ରସ୍ତୁତ ତାଲିକାରୁ ମନୋନୀତ କରାଯାଇଥିବା ଚିନ୍ତାଧାରାକୁ ପାଇଲଟ୍‍ ପ୍ରକଳ୍ପରେ ସ୍ଥାନିତ କରାଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।
ରୋଡ୍‍ ଶୋ’ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକଙ୍କୁ ଯୋଗାଇ ଦିଆଯାଉଥିବା ବ୍ୟବସାୟ, ପ୍ରୋତ୍ସାହନ ରାଶି, କ୍ଷେତ୍ର ଉପଯୋଗୀ କ୍ଲଷ୍ଟର ସମେତ ଶିଳ୍ପ ବିକାଶ ପାଇଁ ଉପଲବ୍ଧ ୧,୨୦,୦୦୦ଏକର ଜମି ସମ୍ପର୍କରେ ଆଲୋଚନା ହୋଇଥିଲା। କଳିଙ୍ଗନଗରଠାରେ ନ୍ୟାସନାଲ୍‍ ନିବେଶ ମାନୁଫାକଚରି ଜୋନ୍‍ (ଏନଆଇଏମଜେଡ୍‍) ଅନ୍ତର୍ଗତ ଶିଳ୍ପ ଭିତ୍ତିଭୂମି ବିକାଶ, ଖୋର୍ଦ୍ଧା ଏବଂ ଛତାବରଠାରେ ଖାଦ୍ୟ ପ୍ରକିୟାକରଣ ପାର୍କ, ରାମଦାସପୁର ଏବଂ ଧାମନଗରଠାରେ ବୟନ ପାର୍କ, ଅନୁଗୋଳ ଏବଂ ଝାରସୁଗୁଡ଼ାଠାରେ ଆଲୁମିନିୟମ୍‍ ପାର୍କ ତଥା ପାରାଦ୍ୱୀପରେ ପ୍ଲାଷ୍ଟିକ୍‍ ପାର୍କ ସମ୍ପର୍କରେ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରତିନିଧିମାନେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିସନର ଆର୍‍. ବାଳକ୍ରିଷ୍ଣନ୍‍, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀ ଏବଂ ଏମ୍‍ ରଫିକ୍‍ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories