ମାଟି ଅତଡ଼ା ଖସି ନାବାଳକ ମୃତ; ୨ ଆହତ

ଚାନ୍ଦିପୁଟ: ମାଟି ଅତଡା ଖସି ଜଣେ ୯ ବର୍ଷୀୟ ନାବାଳକର ମୃତ୍ୟୁ ଘଟିଛି । ଏଥିସହ ଅନ୍ୟ ଦୁଇ ନାବାଳକ ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଆର ଉଦୟଗିରି ଥାନା ଅନ୍ତର୍ଗତ ଛେଳିଗଡ ଗ୍ରାମପଞ୍ଚାୟତ ପାଟପାଣୀ ଗ୍ରାମରେ । ମୃତ ନାବାଳକ ହେଲେ ପାଟପାଣୀ ଗ୍ରାମର ଇଶ୍ଵର ରଇତ ଏବଂ ଆହତ ଦୁଇ ନାବାଳକ ହେଲେ ସେହି ଗ୍ରାମର ଭିମା ଶବର (୧୫) ଓ ଗୌତମ ରଇତ(୧୦) ।

ସୂଚନା ମୁତାବକ, ସୋମବାର ଗୌତମ ରଇତ, ଭିମା ଶବର ଓ ଇଶ୍ଵର ରଇତ ଗାଁ ନିକଟସ୍ଥ ତିଳିଗାଁ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀ ତଟରେ ଗାଧୋଇବା ସହ ମୌଜ୍‌ମଜଲିସ୍ କରୁଥିବା ବେଳେ ହଠାତ୍ ମାଟି ଅତଡା ଖସି ଯିବାରୁ ମାଟି ଭିତରେ ତିନି ଜଣ ଶିଶୁ ପୋତି ହୋଇଯାଇଥିଲେ । ବାହାରେ ଥିବା ୬ବର୍ଷୀୟ ନାବାଳକ ପ୍ରକାଶ ରଇତ ଘଟଣା ସ୍ଥଳରୁ ଦୌଡ଼ି ଯାଇ ଗାଁରେ ଏ ବିଷୟରେ କହିଥିଲା। ଏହାପରେ ଗାଁ ଲୋକେ ଯାଇ ପୋତି ହୋଇଯାଇଥିବା ମାଟିକୁ କାଢି ତିନି ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଇଶ୍ଵର ରଇତକୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣ ଚିକିତ୍ସାଧିନ ଅଛନ୍ତି ‌। ବର୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି। ମେଡିକାଲରେ ଆର ଉଦୟଗିରି ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ଏ ବାବଦରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମେଡିକାଲ ପଠାଯିବ ବୋଲି ଆର ଉଦୟଗିରି ପୁଲିସ ପକ୍ଷରୁ ସୂଚନା ମିଳିଛି।

Comments are closed.