ମନ୍ଦିରମାଳିନୀ ସହର ଭୁବନେଶ୍ୱର ସମୟକ୍ରମେ ସ୍ମାର୍ଟସିଟିର ରୂପ ନେଇଛି। ଏହାର କଳେବର ଦିନକୁ ଦିନ ବଢ଼ି ଚାଲିଛି। ସେବର ଭୁବନେଶ୍ୱର ଓ ଆଜିର ଭୁବନେଶ୍ୱର ମଧ୍ୟରେ ଆକାଶପାତାଳ ଫରକ। ପୁରୁଣାଦିନର ଭୁବନେଶ୍ୱର ସହରର ଅନୁଭୂତି ବଖାଣିଛନ୍ତି ବରିଷ୍ଠ କଂଗ୍ରେସ ନେତା, ବିଧାୟକ ସୁରେଶ କୁମାର ରାଉତରାୟ…।
୧୯୫୬ରେ ଭୁବନେଶ୍ବର ରାମକୃଷ୍ଣ ମିଶନରେ ପାଠପଢ଼ା ଆରମ୍ଭ କରିଥିଲି। ସେତେବେଳେ ମୋଟ ୨ଟି ଉଚ୍ଚ ପ୍ରାଥମିକ ସ୍କୁଲ ଥିଲା। ଗୋଟିଏ ଟାଉନ ଉଚ୍ଚ ପ୍ରାଥମିକ ଏବଂ ଅନ୍ୟଟି ରାମକୃଷ୍ଣ ମିଶନ। ଭୁବନେଶ୍ୱର ଟାଉନରେ ମଧୁସୂଦନ ହାଇସ୍କୁଲ ଥିଲା। ସେତେବେଳେ କ୍ୟାପିଟାଲ ହାଇସ୍କୁଲ ଜନ୍ମ ନେଇ ନଥିଲା। ହାଇସ୍କୁଲ ପାସ୍ କରି ବିଜେବି କଲେଜରେ ପଢ଼ିଲି। ସେଠି ପୁଅ ଝିଅ ମିିଶି ପଢୁଥିଲୁ। ଛୋଟିଆ ଭୁବନେଶ୍ୱର ଯେଉଁଥିରେ ମାତ୍ର ୬ଟି ୟୁନିଟ୍ ଥିଲା। ଯେତେବେଳେ ଏଆଇସିସି ୧୯୬୪ରେ ହେଲା ଆଉ ୨ଟି ୟୁନିଟ୍ ବଢ଼ିଲା। ମୁଁ ସେତେବେଳକୁ ମହତାବଙ୍କ ନିର୍ଦେଶକ୍ରମେ ଚାକିରି ଛାଡ଼ି ଜଟଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଲଢ଼ି ଜିତିଥିଲି। ୧୯୭୭ରେ ପ୍ରଥମକରି ବିଧାୟକ ହୋଇଥିଲି।
୧୯୮୦ରେ ଜାନକୀ ବଲ୍ଲଭ ପଟ୍ଟନାୟକ ଆସିଥିଲେ। ସେତେବେଳେ ଗାଁ ଓ ଭୁବନେଶ୍ୱର ସହରରେ ଅନ୍ଧାର ରାଜୁତି କରୁଥିଲା। ବିଦ୍ୟୁତ୍ ବ୍ୟବସ୍ଥା ନଥିଲା, ରାସ୍ତାଘାଟ ନଥିଲା। ମୋ ଅଞ୍ଚଳର ଗାଁକୁ ରାସ୍ତା ଓ ବିଦ୍ୟୁତ୍ ଯୋଗାଣ ପାଇଁ ପ୍ରୟାସ କରିଥିଲି। ଶିଶୁପାଳଗଡ଼ରେ ମଧ୍ୟ ହାଇସ୍କୁଲ ନଥିଲା କି ରାସ୍ତା ନଥିଲା। ସେହି ସମୟରେ ପ୍ରଥମ କରି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଶିଶୁପାଳଗଡ଼କୁ ରାସ୍ତା ଓ ପରେ ହାଇସ୍କୁଲ କରାଗଲା। ଧଉଳି, ବାଙ୍କୁଆଳ, କୋରଡ଼କଣ୍ଟା, ନନ୍ଦନକାନନ, ଅନ୍ଧାରୁଆ ଆଦି ସ୍ଥାନରେ ଭୁବନେଶ୍ୱର ଓ ଜଟଣୀ ଅଞ୍ଚଳ ପାଇଁ ୪୨ଟି ହାଇସ୍କୁଲ ଓ ୧୭ଟି କଲେଜ ମୋର ୬ଥର ବିଧାୟକ ସମୟରେ ଲୋକଙ୍କ ସହଯୋଗରେ କରାଯାଇଥିଲା। ମୋଟର ସାଇକଲ ଚଳାଇ ନିର୍ବାଚନରେ ୪ଥର ଏମ୍ଏଲ୍ଏ ହୋଇଛି। ଶିକ୍ଷାର ବିକାଶ କ୍ଷେତ୍ରରେ ସ୍କୁଲ କଲେଜ ଦେଖିଲେ ଖୁସି ଲାଗୁଛି। ଲୋକଙ୍କ ପାଇଁ ସବୁ କାମ କରୁଛି। ଆନନ୍ଦ ଲାଗୁଛି। ମୋର ପୂଜ୍ୟ ଗୁୁରୁ ହରେକୃଷ୍ଣ ମହତାବ, ସତ୍ୟପ୍ରିୟ ମହାନ୍ତି, ନୀଳମଣି ରାଉତରାୟ, ବିଶ୍ୱନାଥ ଦାଶ, ନନ୍ଦିନୀ ଶତପଥୀ, ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଏବର ନବୀନ ବାବୁଙ୍କ ସହଯୋଗରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିଛି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ମାଗଣା ଜାଗା ଯୋଗାଇ ଦିଆଯାଇଛି। ନନ୍ଦନକାନନ, ଧଉଳି, ଖଣ୍ଡଗିରି, ଉଦୟଗିରି ସବୁର ଉନ୍ନତୀକରଣ ହୋଇଛି। ବରୁଣେଇ ଜଟଣୀରେ ମଧ୍ୟ ଅନେକ ଉନ୍ନତି କରାଯାଇଛି। ଭୁବନେଶ୍ୱର ଓ ଜଟଣୀ ଖୁବ୍ ଆଗେଇ ଚାଲିଛି। ନାଇଜର, ଆଇଆଇଟି, ଏମ୍ସ, ଇନ୍ଫୋସିଟି ୨ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଛି।
ହରେକୃଷ୍ଣ ମହତାବଙ୍କ ପାଇଁ ଭୁବନେଶ୍ୱରକୁ ରାଜଧାନୀ କରାଗଲା। ଅପୂର୍ବ ସହର ଭୁବନେଶ୍ୱର। ଏଠି ବାଘ, ମୟୂର, ବାର୍ହା, ହାତୀ, ହରିଣ ଥିଲେ। ଥରେ ଜେ.ବି ପଟ୍ଟନାୟକଙ୍କୁ ଡାକି ନେଇ ଏହା ଦେଖାଇଥିଲି। ଚନ୍ଦକା ଅଭୟାରଣ୍ୟ ବୁଲାଇ ଦେଖାଇବା ପରେ ସେ ଚନ୍ଦକା ଅଭୟାରଣ୍ୟକୁ ଏଲିଫ୍ୟାଣ୍ଟ ରିଜର୍ଭ ଫରେଷ୍ଟ ଘୋଷଣା କରିଥିଲେ। ମୁଁ ଅନେକ ଦେଶ ବିଦେଶ ବୁଲିଛି। ହେଲେ ସହର ପାଖରେ ଅଭୟାରଣ୍ୟ ଭଳି ୧୫୦ କିଲୋମିଟର ଜଙ୍ଗଲ କେଉଁଠି ଦେଖିନାହିଁ। ଏଠି ସବୁ ପଶୁ ପକ୍ଷୀ ପୂରି ରହିଥିବା ବେଳେ ଏକଦମ୍ ଚମତ୍କାର।



