ଚମ୍ପୁଆ: ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମିଡିୟମ ସ୍କୁଲରେ ଅଘଟଣ। ଚାରି ମହଲା ହଷ୍ଟେଲ କୋଠାରୁ ଡେଇଁ ଅନ୍ତେବାସୀ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା । ଛାତ୍ରଙ୍କ ନାମ କ୍ରୀଷ୍ଣା ପ୍ରଧାନ । ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ସାଢେ଼ ପାଞ୍ଚଟା ବେଳେ ଏହି ଅଘଟଣ ଘଟିଛି । ଖବର ପାଇ ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ ଓ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଘଟଣା ସ୍ଥଳରେ ପହଂଚିଛନ୍ତି । ଚମ୍ପୁଆ ଥାନାଧିକାରୀ ରମାକାନ୍ତ ମୁଦୁଲି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଖବର ପାଇ ମୃତ ଛାତ୍ରଙ୍କ ପରିବାର ଲୋକେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଛନ୍ତି ।
ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ନିର୍ଯ୍ୟାତନା ସହିନ ପାରି ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ଉପଯୁକ୍ତ ଓ ନିରପେକ୍ଷ ତଦନ୍ତ କରି ଛାତ୍ର ମୃତ୍ୟୁର ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ ଦାବି କରିଛନ୍ତି । ମୃତ ଛାତ୍ରଙ୍କ ଘର ଝାଡଖଣ୍ଡ ରାଜ୍ୟର ଖରସୁଆଁରେ । ସେ ଗତବର୍ଷ କେରଳା ସ୍କୁଲ ରେ ନାମ ଲେଖାଇ ଥିବା ବେଳେ ସ୍କୁଲ ହଷ୍ଟେଲରେ ରହି ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ ।



